ନିମାପଡ଼ା: ପୁରୀ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ଜୁନ ୧ରେ ନିମାପଡ଼ା ଓ କାକଟପୁର ବିଧାନସଭା ଆସନରେ ହେବାକୁ ଯାଉଛି। ନିର୍ବାଚନକୁ ଆଉ ୫ ଦିନ ବାକି ଥିବା ବେଳେ ନିମାପଡ଼ାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବିଜେପିର କିଛି ନେତା ଓ କର୍ମୀ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଗାଡ଼ି ସହ ସାଙ୍ଗରେ ଥିବା ୪ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ନିମାପଡ଼ା ବ୍ଲକ ତେରୁଣ୍ଡିଆ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଏହି ପଞ୍ଚାୟତ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କର। ଏଣୁ ପ୍ରଭାତୀ ଓ ନିକଟରେ ବିଜେପିରେ ମିଶିଥିବା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ପ୍ରରୋଚନାରେ ତାଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ବିଧାୟକ ଶ୍ରୀ ମହାରଥୀ ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଅଭିଯୋଗ କରିଛନ୍ତି।
ବିଧାୟକଙ୍କୁ ଆକ୍ରମଣ ଖବର ଶୁଣି ପିପିଲି ନିର୍ବାଚନମଣ୍ଡଳୀର ବହୁ ବିଜେଡି ନେତା ଓ କର୍ମୀ ନିମାପଡ଼ା କୋର୍ଟ ଛକରେ ଏକତ୍ରିତ ହୋଇଛନ୍ତି। ଏହି ଘଟଣାରେ ନିମାପଡ଼ା ଥାନା ପୁଲିସ ବିଜେପିର ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ ଦୁଇ ଜଣଙ୍କୁ ଛାଡିବା ଦାବିରେ ବିଜେପି ନେତା ଓ କର୍ମୀ ନିମାପଡ଼ା ଥାନା ଆଗରେ ଧାରଣା ଦେଇଛନ୍ତି। ନିମାପଡ଼ା ନିର୍ବାଚନ ପରିଚାଳନା ପାଇଁ ବିଜେଡି ଏକ କମିଟି ଗଠନ କରିଛି। ଯେଉଁଥିରେ ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ, ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର, ପିପିଲି ବିଧାୟକ ଶ୍ରୀ ମହାରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ପ୍ରାର୍ଥୀ ସୁନିଲ କୁମାର ମହାନ୍ତି, ରାମରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ କୁମାର ପାତ୍ର ରହିଛନ୍ତି।
ଆଜି ରାତିରେ ନିମାପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମହାରଥୀ କହିଛନ୍ତି, ଆଜି ସେ ପ୍ରଚାରରେ ୬ଟି ଗାଡ଼ିରେ ତେରୁଣ୍ଡିଆ ଯାଇଥିଲେ। ସାଙ୍ଗରେ ୨୧ ନମ୍ବର ଜିଲ୍ଲା ପରିଷଦ ସସ୍ମିତା ନାୟକ ଓ ଅନ୍ୟ ଦଳୀୟ ନେତା ଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଲୋକ ତେରୁଣ୍ଡିଆରେ ସେମାନଙ୍କ ଗାଡିକୁ ଅଟକାଇଥିଲେ। ପରେ କିଛି ବ୍ୟକ୍ତି ଟର୍ଚ୍ଚ ପକାଇ ତାଙ୍କୁ ଖୋଜି ଖୋଜି ଆକ୍ରମଣ କରିଥିଲେ। ଠେଙ୍ଗା, ମାରଣାସ୍ତ୍ର ଆଦିରେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏଥିରେ ତାଙ୍କର କିଛି କ୍ଷୟକ୍ଷତି ହୋଇନଥିଲେ ବି ତାଙ୍କର ଓ ସାଙ୍ଗରେ ଥିବା ଅନ୍ୟ ୪ ଗାଡ଼ି କ୍ଷୟକ୍ଷତି ହୋଇଛି। ସାଂସଦ ଶ୍ରୀ ଖୁଣ୍ଟିଆ ବି ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ବି ଏହି ଆକ୍ରମଣ ପ୍ରଭାତୀ ଓ ସମୀରଙ୍କ ପ୍ରରୋଚନାରେ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ସସ୍ମିତା ନାୟକ ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/rudra-pratap.jpg)