ପୁରୀରେ ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ

ଅହିଂସାର ପୂଜାରୀଙ୍କ ଶୋଭାଯାତ୍ରାରେ ହିଂସା

ପୁରୀ: ହିଂସାକୁ ପରିତ୍ୟାଗ କରି ଅହିଂସାର ମାର୍ଗରେ ଚାଲିବାକୁ ସଦାସର୍ବଦା ପରାମର୍ଶ ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଆଜି ହିଂସା ଦେଖିବାକୁ ମିଳିଛି। ପୁରୀ ରେଳ ଷ୍ଟେସନରେ ଗାନ୍ଧୀଙ୍କ ଫଟୋଚିତ୍ର ଉନ୍ମୋଚନ ବେଳେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗାନ୍ଧୀଙ୍କ ଫଟୋଚିତ୍ର ବି ସାମାନ୍ୟ ଚିରିଯାଇଛି। ବଡ କଥା ହେଉଛି ମନ୍ତ୍ରୀ, ସାଂସଦଙ୍କ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଛି।

ଗାନ୍ଧୀଙ୍କ ପୁରୀ ଆଗମନୀର ଶତବାର୍ଷିକୀ ଉପଲକ୍ଷେ ସର୍ବଦଳୀୟ ଶୋଭାଯାତ୍ରା ଓ ସଭାର ଆୟୋଜନ କରାଯାଇଥିଲା। ପୁରୀ ରେଳ ଷ୍ଟେସନଠାରୁ ଶୋଭାଯାତ୍ରା ବାହାରି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଥିଲା। ଶୋଭାଯାତ୍ରା ପହଂଚିବା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ସଭାର ଆୟୋଜନ କରାଯାଇଥିଲା। ଏଥିପାଇଁ ଆଜି ବିଜେଡି ସହ ଅନ୍ୟ ଦଳମାନେ ପୁରୀ ରେଳଷ୍ଟେସନଠାରେ ଏକାଠି ହୋଇଥିଲେ। ବିଜେଡିରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ପିନାକୀ ମିଶ୍ର, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଏହି ସମୟରେ ବିଜେଡିର କିଛି ଗୋଷ୍ଠୀ ମହେଶ୍ୱର ମହାନ୍ତି ଜିନ୍ଦାବାଦ ବୋଲି ନାରା ଦେଇଥିଲା। ଏହା ଶୁଣି ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଶୁଭାଶିଷ ଖୁଣ୍ଟିଆ ଜିନ୍ଦାବାଦ ବୋଲି ନାରା ଦେଇଥିଲେ, ଯାହାକୁ ନେଇ ଚାପ ଉତ୍ତେଜନା ବି ଦେଖା ଦେଇଥିଲା।

ରେଳ ଷ୍ଟେସନ ପ୍ରବେଶ ପଥରେ ଗାନ୍ଧୀଙ୍କ ଫଟୋଚିତ୍ର ଧରି ଫଟୋ ଉତ୍ତୋଳନ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ପୁରୀ ନଗର ବିଜେଡି ସଭାପତି ମୁହାଁମୁହିଁ ହୋଇଥିଲେ। ଦୁଇଜଣ ଠେଲାପେଲା, ଧକ୍କା ମରାମରି ହୋଇଥିଲେ। ପରେ ଉଭୟପକ୍ଷର ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଶେଷରେ ମନ୍ତ୍ରୀ ଶ୍ରୀ ଦାଶ ପହଂଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେଵେ ଆଜିର ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ବି ଏହାକୁ ଦୃଢ ନିନ୍ଦା କରିଛନ୍ତି। ଗାନ୍ଧୀଙ୍କ ପାଇଁ ଆୟୋଜିତ ଶୋଭାଯାତ୍ରାରେ ଏଭଳି ହିଂସାକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରସର ବରିଷ୍ଠ ନେତା ବିଶ୍ୱାବସୁ ବିନାୟକ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର