ରାଜ୍ୟରେ ବଢ଼ୁଛି କାଠ ମାଫିଆଙ୍କ ଦୌରାତ୍ମ୍ୟ: ପାଞ୍ଚ ବର୍ଷରେ ୫୫ ହଜାର ମାମଲା

୫୦ ହଜାର ୭୪୦ ଜଣ ସମ୍ପୃକ୍ତ
୬୧୮୫ ଘନ ମିଟର କାଠ ଜବତ
ଆକ୍ରମଣରେ ୨ ମୃତ, ୩୬ ଆହତ

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି କାଠ ମାଫିଆଙ୍କ ଦୌରାତ୍ମ୍ୟ। ଗୋଟିଏ କି ଦୁଇଟି ବନଖଣ୍ଡରେ ନୁହେଁ, ସାରା ଓଡ଼ିଶାରେ ନିଜର ଜାଲ ବାଛାଇ ଚାଲିଛନ୍ତି ମାଫିଆ। ବରବରା ଜଙ୍ଗଲରୁ ଆରମ୍ଭ କରି ସୁନାବେଡ଼ା ପର୍ଯ୍ୟନ୍ତ, ସବୁଠି କାଠ ଚୋରି ବୃଦ୍ଧି ପାଇଛି। ବିଶେଷକରି ଗତ ୫ ବର୍ଷ ମଧ୍ୟରେ ଯେଉଁଭଳି ମାଫିଆଙ୍କ ରାଜ୍‌ ଚାଲିଛି; ତାହା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ତାହା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ୫ ବର୍ଷ ମଧ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ଜୀବନ ଯାଇଛି ଏବଂ ୩୬ ଜଣ ଆହତ ହୋଇଛନ୍ତି। ତଥାପି କାଠ ମାଫିଆଙ୍କ ଉପରେ ରୋକ୍‌ ଲଗାଇବାରେ ବିଫଳ ‌ହୋଇଛି ଜଙ୍ଗଲ ବିଭାଗ।

Telegraph India

‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ବିଗତ ପାଞ୍ଚ ବର୍ଷ ତଥା ୨୦୧୬-୧୭ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ବନଖଣ୍ଡରେ କାଠ ମାଫିଆଙ୍କ ବିରୋଧରେ ୫୫ ହଜାର ୪୧୨ଟି ମାମଲା ରୁଜୁ ହୋଇଛି। ଯେଉଁଥିରେ ୫୦ ହଜାର ୭୪୦ ଜଣ ସମ୍ପୃକ୍ତ ରହିଛନ୍ତି। ଦକ୍ଷିଣ ଓଡ଼ିଶା ଯଥା କୋରାପୁଟ, କଳାହାଣ୍ଡି, ମାଲକାନଗିରି, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଅଧିକ ରହିଛି। ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସମ୍ବଲପୁରରେ ବି ବହୁ ସଂଖ୍ୟକ କାଠ ମାଫିଆ ଧରାପଡ଼ିଛନ୍ତି। ଏହି ସମୟ ମଧ୍ୟରେ ୬ ହଜାର ୧୮୫ ଘନ ମିଟର କାଠ ଜବତ ସହ କାଠ ଚୋରି ଅପରାଧରେ ସମ୍ପୃକ୍ତ ୫୫୮ଟି ଯାନବାହନ ମଧ୍ୟ ଜବତ କରାଯାଇଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସମୟରେ ଦୁଇ ଜଣ ବନ କର୍ମଚାରୀ କାଠ ମାଫିଆ ଓ ଶିକାରୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୩୬ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସଂଖ୍ୟା ଆହୁରି ଅଧିକ ବୋଲି ଜଣାପଡ଼ିଛି। ପୁରାତନ ତଥା ଐତିହ୍ୟ ସମ୍ପନ୍ନ ବରବରା ଓ ଧୂଆନାଳୀ ଜଙ୍ଗଲ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବହୁ ପରିମାଣରେ ଦେଖିବାକୁ ମିଳିଛି। ପ୍ରତିବର୍ଷ ଶତାଧିକ ମାମଲା ଏହି ଦୁଇ ଜଙ୍ଗଲରେ ଘଟୁଥିବାବେଳେ ଜଙ୍ଗଲ ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିଛି।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉକ୍ତ ଦୁଇ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଦୁଇଟି ସ୍ବତନ୍ତ୍ର ସଶସ୍ତ୍ର ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ସହଯୋଗ କରିବା ପାଇଁ ୨୫ ଜଣ ବନରକ୍ଷୀ ଓ ୪ ଜଣ ବନପାଳ ସ୍ବତନ୍ତ୍ର ଭାବେ ନିୟୋଜିତ ହୋଇଛନ୍ତି। ଇତିମଧ୍ୟରେ ଓଡ଼ିଶା ଜଙ୍ଗଲ ଆଇନକୁ ସଂଶୋଧିତ କରାଯାଇ ଅପରାଧ ସଂକ୍ରାନ୍ତୀୟ ଦଣ୍ଡ ବିଧାନ ଦେୟକୁ ୧୦୦ରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆଇନ ଅନୁଯାୟୀ ଜଙ୍ଗଲ ଅପରାଧ ସମ୍ପର୍କରେ ସୂଚନା ଦେଉଥିବା ଯଥା ସୂଚନା ପ୍ରଦାନକାରୀ, ସରକାରୀ କର୍ମଚାରୀ, ବ୍ୟକ୍ତିବିଶେଷଙ୍କୁ ଜଙ୍ଗଲ ସୁରକ୍ଷା ଦିଗରେ ଅଧିକ ଆଗ୍ରହ ବଢ଼ାଇବା ପାଇଁ ଏବଂ କ୍ଷେତ୍ରୀୟ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ପୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଜଙ୍ଗଲ ସୁରକ୍ଷାକୁ ଠିକ୍‌ ଭାବେ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ଆବଶ୍ୟକ ହେଉଥିବା ଯୋଗାଯୋଗ ବ୍ୟବସ୍ଥା ଦୃଷ୍ଟିରୁ ରାଜ୍ୟରେ ୫୯୦ଟି ଭିଏଚ୍‌ଏଫ୍‌ ଷ୍ଟେସନ ଖୋଲାଯିବା ସହ ୮୮୦ଟି ୱାକିଟକି ସକ୍ରିୟ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର