ସ୍ୱାମୀ ଓ ଶାଶୂ ବିରୋଧରେ ନିର୍ଯାତନା ମାମଲା : ନ୍ୟାୟ ପାଇଁ ମହିଳା ଥାନା ଅଧିକାରୀ ଗୁହାରି କରିବେ କାହାକୁ?

ବୀରମିତ୍ରପୁର : ବୀରମିତ୍ରପୁର ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନାଙ୍କ ନିର୍ଯାତନା ପ୍ରସଙ୍ଗ ବର୍ତ୍ତମାନ ବିଚିତ୍ର ରୂପ ଧାରଣ କରିଛି। ନ୍ୟା‌ୟ ପାଇବା ଲାଗି ନାଗରିକମାନେ ପୁଲିସ ନିକଟରେ ଅଭିଯୋଗ କରନ୍ତି, ବୀରମିତ୍ରପୁର ଥାନା ଅଧିକାରୀ ମଧ୍ୟ ନ୍ୟାୟ ପାଇବା ପାଇଁ ନିଜ ବିଭାଗ ପାଖରେ ଗୁହାରି କରିଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ଏତଲା ହେବାର ୫ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାର୍ଯାନୁଷ୍ଠାନ ଶୂନ୍। ନିଜ ବିଭାଗର ଜଣେ ମହିଳା ଅଧିକାରୀଙ୍କୁ ନିର୍ଯ‌ାତନା ଦିଆଯିବାର ଅଭିଯୋଗରେ ପୁଲିସ ନିରବ ରହିବା ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି।

ବୀରମିତ୍ରପୁର ଥାନା ଅଧିକାରୀ ଶ୍ରୀମତୀ ସୁନା ତାଙ୍କ ସ୍ବାମୀ, ଶାଶୂ ଓ ନଣନ୍ଦଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗତ ୧୭ ତାରିଖ ଦିନ ରାଉରକେଲା ରଘୁନାଥପାଲି ଥାନାରେ ତାଙ୍କର ଏତଲା ଗ୍ରହଣ ହୋଇଛି। ତାଙ୍କ ସ୍ବାମୀ ରାଉରକେଲା ସରକାରୀ ମହାବିଦ୍ୟାଳୟର ଜଣେ ଅଧ୍ୟାପକ। ଶ୍ରୀମତୀ ସୁନାଙ୍କ ଅଭିଯୋଗ ହେଲା, ବାହାଘରର ୩ ମାସ ପରଠାରୁ ତାଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି। ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ, ଖାଇବାକୁ ବାରଣ କରିବା, ଚୁଡ଼ି ନ ପିନ୍ଧିବା, ପୂଜା ନ କରିବା ପାଇଁ ଚାପ ପକାଇ ମାଡ଼ ଦିଆଯାଉଥିବା ଭଳି ଗୁରୁତର ଅଭିଯୋଗ ସେ ଆଣିଛନ୍ତି। ଅଧ୍ୟାପକ ସ୍ବାମୀ ତାଙ୍କୁ ବିଦ୍ୟୁତ୍ ତାର ଓ ବେଲ୍‌ଟରେ ପିଟିବା ସହ ବେକରେ ଗୁଡାଇ ମାରିବା ପାଇଁ ଅନେକ ଥର ଉଦ୍ୟମ କରିଥିବା ଶ୍ରୀମତୀ ସୁନା କହିଛନ୍ତି। ସେହିପରି ଶାଶୂ ଓ ନଣନ୍ଦ ମଧ୍ୟ ଯୌତୁକ ପାଇଁ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଛନ୍ତି। ଥାନା ଅଧିକାରୀ ଶ୍ରୀମତୀ ସୁନା ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ରଘୁନାଥପାଲି ପୁଲିସ କେବଳ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଚୁପ୍ ବସିଛି। ଉଲ୍ଲେଖନୀୟ ଯେ ଶ୍ରୀମତୀ ସୁନା ଥିବା ବୀରମିତ୍ରପୁର ଥାନା ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅଧୀନରେ ଥିବାବେଳେ ସେ ଏତଲା ଦେଇଥିବା ରଘୁନାଥପାଲି ଥାନା ଆସୁଛି ରାଉରକେଲା ପୁଲିସ ଜିଲ୍ଲାରେ।

ନିର୍ଯାତନାର ଶିକାର ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ସରକାର କଡ଼ା ଆଇନ ପ୍ରଣୟନ କରିଛନ୍ତି। ଥାନାରେ ଅଭିଯୋଗକାରୀଙ୍କ ଏତଲା ଗ୍ରହଣ ସହ ତାଙ୍କୁ ସବୁପ୍ରକାର ସୁରକ୍ଷା ଯୋଗାଇ ଦେବାର ନିୟମ ରହିଛି। କିନ୍ତୁ ଶ୍ରୀମତୀ ସୁନାଙ୍କୁ ନ୍ୟାୟ ଦେବା ପାଇଁ ତଦନ୍ତରେ କଚ୍ଛପଗତିକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର