ରାଉରକେଲା/ବନ୍ଧମୁଣ୍ଡା: ଆମେ ଜମି ଛାଡ଼ିବୁନି। ଯଦି ଉଚ୍ଛେଦ କରିବାର ଅଛି ଆମ ଶବ ଉପରେ ଚଢ଼ି ଉଚ୍ଛେଦ କର। ଏହା କହି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ଜେସିବି ଆଗରେ ଶୋଇ ପଡ଼ିଥିଲେ ଆନ୍ଦୋଳନକାରୀ ଯୁବକ। ବହୁ ଦିନରୁ ଚାଲିଥିବା ଏହି ଆନ୍ଦୋଳନରେ ବିରକ୍ତ ହୋଇ ଯାଇଥିବା ଅଧିକାରୀମାନେ ହିତାହିତ ଜ୍ଞାନ ହରାଇ ସାରିଥିଲେ। ଜେସିବି ଚାଳକଙ୍କୁ ନିର୍ଦ୍ଦେଶ ଦେଲେ ତୁମେ ମେସିନ୍ ଆଗକୁ ବଢ଼ାଅ। ସେ ବଳେ ଉଠିଯିବେ। ଜେସିବି ଆଗକୁ ବଢ଼ିଲା, କିନ୍ତୁ ଆଗରେ ଶୋଇଥିବା ଆନ୍ଦୋଳନକାରୀ ଉଠିବାର ସୁଯୋଗ ପାଇଲେ ନାହିଁ। ଜଣେ ଆନ୍ଦୋଳନକାରୀଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଲେ ଆଦିବାସୀ ଯୁବକ ଏତୁଆ ଏକ୍କା (୩୭)। ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍ରୁ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପର୍ଯ୍ୟନ୍ତ ନୂଆ ରେଳଲାଇନ ନିର୍ମାଣ କାମକୁ ବିରୋଧ ବେଳେ ଶନିବାର ୧୧ଟାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଏତୁଆଙ୍କ ମୃତ୍ୟୁ ପରେ ବିକ୍ଷୋଭକାରୀମାନେ ଉଗ୍ର ହୋଇ ଉଠିଥିଲେ। ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ପଥର ମାଡ଼ କରିବା ସହ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର, ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀ, ଆର୍ଏସ୍ପି ଅଧିକାରୀ ଏବଂ ଜେସିବି ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ବିଶ୍ରାର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ, ଆର୍ଏସ୍ପିର ଜିଏମ୍, କନିଷ୍ଠ ଯନ୍ତ୍ରୀ, ଲ୍ୟାଣ୍ଡଗାର୍ଡ ଅଧିକାରୀ ଏବଂ ଜେସିବି ଡ୍ରାଇଭର ସାମୁଏଲ୍ ମାସି ଗୁରୁତର ହୋଇଛନ୍ତି। ଆର୍ଏସ୍ପିର ତିନି ଅଧିକାରୀଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ମାଡ଼ରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିବାବେଳେ ବିକ୍ଷୋଭକାରୀମାନେ ତାଙ୍କ ସାର୍ଟ, ଗଞ୍ଜି ଛିଣ୍ଡାଇ ଦେଇଥିଲେ। ପଥରମାଡ଼ରୁ ୪ ଏଏସ୍ଆଇଙ୍କ ସମେତ ୧୧ ପୁଲିସ କର୍ମଚାରୀ ବି ବର୍ତ୍ତିପାରି ନଥିଲେ।
ଆହତ ପୁଲିସ୍କର୍ମୀଙ୍କ ମଧ୍ୟରେ ଅଛନ୍ତି ଏଏସ୍ଆଇ ରାଜେନ୍ଦ୍ର ସାହୁ, ସରୋଜ ମୁଦୁଲି, ରାକେଶ ମହାରଣା, ହାବିଲଦାର ବି.ଡି. ଦାସ, କନେଷ୍ଟବଳ ମନୋରଞ୍ଜନ ଦାସ, ସୁଧୀର ବରୁଆ ଏବଂ ମହିଳା କନେଷ୍ଟବଳ ଏସ୍.ବେହେରା। କାହାର ମୁଣ୍ଡ ତ ଅନ୍ୟ କାହାର ଗୋଡ଼ ଓ ପିଠିରେ ଆଘାତ ଲାଗିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ବିକ୍ଷୋଭକାରୀମାନେ ଜେସିବି, ଆର୍ଏସ୍ପି ଓ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ମୃତ୍ୟୁବରଣ କରିଥିବା ଏତୁଆ ଏକ୍କାଙ୍କ ଶବ ରଖି ବିକ୍ଷୋଭକାରୀମାନେ ଧାରଣାରେ ବସି ରହିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ଓ କାମ ବନ୍ଦ ନ ହେବା ପର୍ଯ୍ୟନ୍ତ ଶବ ରଖି ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ବିଶ୍ରା ବ୍ଲକ୍ର ବହୁ ଆଦିବାସୀ ନେତା, ୬ରୁ ଅଧିକ ସରପଞ୍ଚ, ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରି ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଉତ୍ତେଜନା ବଢ଼ିବାରୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାନପୋଷ ଉପଜିଲ୍ଲାପାଳ ଶ୍ରୀ ନାୟକ ବିକ୍ଷୋଭକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ବୁଝାସୁଝା କରିଥିଲେ। ହେଲେ ବିକ୍ଷୋଭକାରୀମାନେ ତାଙ୍କର କୌଣସି କଥା ନ ଶୁଣିବାରୁ ଉପଜିଲ୍ଳାପାଳ ଘଟଣାସ୍ଥଳରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ସେପଟେ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଆଦିବାସୀ ଯୁବକଙ୍କ ମୃତ୍ୟୁ, ପୁଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ
ପଥରମାଡ଼, ଗାଡ଼ି ଭଙ୍ଗାରୁଜା; ଅତିରିକ୍ତ ତହସିଲଦାରଙ୍କ ସମେତ ୧୧ ଆହତ
ଶବ ରଖି ଧାରଣା ଦେଲେ ବିକ୍ଷୋଭକାରୀ, ଆଜି ବନ୍ଧମୁଣ୍ଡା ବନ୍ଦ
ଡିଆଇଜି ଶ୍ରୀ ରାୟ କହିଛନ୍ତି କେଉଁ ପରିସ୍ଥିତିରେ ଏମିତି ଘଟଣା ଘଟିଲା, ତା’ର ତଦନ୍ତ କରାଯାଉଛି। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଉତ୍ତେଜିତ ଗ୍ରାମବାସୀଙ୍କୁ ଆନ୍ଦୋଳନରୁ ହଟିଯିବାକୁ ବୁଝାସୁଝା କରାଯାଉଛି। ସୂଚନାଯୋଗ୍ୟ, ବନ୍ଧମୁଣ୍ଡା ଡୁର୍ମେତାରୁ ବରକାନି ଦେଇ ଆର୍ଏସ୍ପି କାରଖାନା ପରିସରକୁ ନୂତନ ରେଳଲାଇନ ନିର୍ମାଣ କରାଯାଉଛି। ଚାଷ ଜମିରେ ରେଳଲାଇନ ନିର୍ମାଣକୁ ବରକାନି ବାସିନ୍ଦା ବିରୋଧ କରିଆସୁଛନ୍ତି। ଏହାର ପ୍ରତିବାଦରେ ଗତ ଦେଢ଼ମାସ ଧରି ସେମାନେ ଧାରଣା ଜାରି ରଖିଥିଲେ। ଗତକାଲି ଶୁକ୍ରବାର ପୁଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରେଳଲାଇନ୍ ନିର୍ମାଣ କରାଯାଇଥିଲା, ଯାହାକୁ ଗ୍ରାମବାସୀ କଡ଼ା ବିରୋଧ କରିଥିଲେ। ଫଳରେ କାମ ଅଧାରୁ ବନ୍ଦ ରହିଥିଲା। ଶନିବାର ସକାଳୁ ଅଧିକ ପୁଲିସ ମୁତୟନ କରାଯାଇ ପୁଣି ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବିଶ୍ରା ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ, ଆର୍ଏସ୍ପିର ଜିଏମ୍, କନିଷ୍ଠ ଯନ୍ତ୍ରୀ, ଲ୍ୟାଣ୍ଡଗାର୍ଡ ଅଧିକାରୀ ଓ ବହୁ ବରିଷ୍ଠ ପୁଲିସ ଅଧିକାରୀ। ଜୋରଜବରଦସ୍ତ କାମ ହେବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଜେସିବି ଆଗରେ ଧାରଣାରେ ବସିଥିଲେ।
ଏପରିକି ଗ୍ରାମର କିଛି ଲୋକ ରାଉରକେଲା ଆସି ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ସାକ୍ଷାତ କରି କାମ ବନ୍ଦ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଜାତୀୟ ଜନଜାତି କମିସନଙ୍କ ରିପୋର୍ଟ, ୨୦୦୬ ଚୁକ୍ତିନାମା ଅନୁଯାୟୀ କାମ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଆର୍ଏମ୍ସି କାର୍ଯ୍ୟାଳୟରେ ଆଲୋଚନା ଚାଲିଥିବାବେଳେ ରେଳବାଇ ନିର୍ମାଣ କାମ କରିବାରୁ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଠେଲାପେଲା ହୋଇଥିଲା। ପରେ ଏହା ଖଣ୍ଡଯୁଦ୍ଧରେ ପରିଣତ ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ନ୍ୟାୟ ଦାବିରେ ଆସନ୍ତାକାଲି (ରବିବାର) ବନ୍ଧମୁଣ୍ଡା ଡି କ୍ୟାବିନ୍ରୁ ଡିଜେଲ କଲୋନି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ଏ ସଂପର୍କରେ ଆରଏସ୍ପି ପକ୍ଷରୁ କୁହାଯାଇଛି ‘ଉକ୍ତ ଜମି ଆର୍ଏସ୍ପିର। ଆଗରୁ ଯେଉଁ ସ୍ଥାନରେ ରେଳଲାଇନ୍ ଥିଲା ସେହିଠାରେ ହିଁ କାମ ହେଉଛି। ସଂପ୍ରସାରଣ ଜରୁରି ଥିବାରୁ ନୂଆ ଲାଇନ୍ ନିର୍ମାଣ କରାଯାଉଛି। ଉକ୍ତ ସ୍ଥାନରେ କାହାରି ଘର ନାହିଁ କି ଚାଷ ଜମି ବି ନାହିଁ’।