ନାଏବ ସରପଞ୍ଚ ନିର୍ବାଚନ ବେଳେ ହିଂସା

ସାହାରପଡ଼ାରେ ପୁଲିସ-ଜନତା ମୁହାଁମୁହିଁ, ୮ ପୁଲିସ ଆହତ
ହାଟଡିହିରେ ଆଶାୟୀଙ୍କ ସ୍ବାମୀଙ୍କୁ ହାଣିଲେ
ଯାଜପୁର, ବଲାଙ୍ଗୀରରେ ୱାର୍ଡସଭ୍ୟଙ୍କୁ ଅପହରଣ
ମୟୂରଭଞ୍ଜରେ ଉତ୍ତେଜନା, ଫାଟକ ଡେଇଁ ଭୋଟ୍‌କେନ୍ଦ୍ରରେ ପଶିଲେ ମହିଳା
କୋରାପୁଟ, ନବରଙ୍ଗପୁରରେ ନିର୍ବାଚନ ଅଧିକାରୀଙ୍କୁ ଅଟକ

ପାଟଣା/ ହାଟଡିହି/ ଯାଜପୁର ଟାଉନ/ କଳାବାଡ଼ିଆ/ଉଦଳା-୧/ ବଲାଙ୍ଗୀର/ଲମତାପୁଟ/ରାଇଘର : ନାଏବ ସରପଞ୍ଚ ନିର୍ବାଚନ ସମୟରେ ଆଜି ରାଜ୍ୟର କେତେକ ସ୍ଥାନରେ ହିଂସାକାଣ୍ଡ ଓ ୱାର୍ଡସଭ୍ୟଙ୍କୁ ଅପହରଣ ଭଳି ଘଟଣା ଦେଖିବାକୁ ମିଳିଛି। ତେବେ, ଉତ୍ତେଜନା ଓ ଛକାପଞ୍ଝା ଭିତରେ ସବୁ ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି।

ସୂଚନା ଅନୁସାରେ, ନାଏବ ସରପଞ୍ଚ ନିର୍ବାଚନ ବେଳେ କେନ୍ଦୁଝର ଜିଲ୍ଲାର ପାଟଣା ଏବଂ ହାଟଡିହି ବ୍ଲକ୍‌ରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ସେହିପରି ଯାଜପୁର ସଦର ବ୍ଲକ୍‌ର ପଣସା ପଞ୍ଚାୟତରେ ୱାର୍ଡସଭ୍ୟଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି। ପାଟଣା ଥାନା ଅନ୍ତର୍ଗତ ସାହାରପଡ଼‌ା ବ୍ଲକ୍‌ ରାଇଡିହା ପଞ୍ଚାୟତରେ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଆକ୍ରମଣ କରିବାରୁ ସାହାରପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ୮ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ହାଟଡିହି ବ୍ଲକ୍‌ ହାବଳେଶ୍ବର ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ବିପକ୍ଷ ଗୋଷ୍ଠୀର ସମର୍ଥକମାନେ ହାଣି ଦେବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଓ ଉଦଳା ବ୍ଲକ୍‌ର ଦୁଇଟି ପଞ୍ଚାୟତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଙ୍ଗିରିପୋଷିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ କିଛି ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଉଦଳାରେ ଭୋଟ୍‌ କେନ୍ଦ୍ର ଭିତରେ ପଶି ୱାର୍ଡସଭ୍ୟମାନଙ୍କୁ ବାହାର କରି ଦେଇଥିଲେ ଶତାଧିକ ମହିଳା। ଏହାକୁ ନେଇ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଫୋର୍ସ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସାହାଜବାହାଲ ପଞ୍ଚାୟର ଦୁଇଜଣ ୱାର୍ଡ ମେମ୍ବରକୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ହଇହଇ ସୃଷ୍ଟି ହୋଇଛି। ସାହାଜବାହାଲ ପଞ୍ଚାୟତରେ ନାଏବ ସରପଞ୍ଚ ପ୍ରାର୍ଥିନୀ ନିରୁପମା ମହାନନ୍ଦ ନିଜ ସମର୍ଥିତ ୱାର୍ଡସଭ୍ୟଙ୍କୁ ଧରି ଭୋଟ୍‌ ଦେବା ପାଇଁ ପଞ୍ଚାୟତକୁ ଯାଉଥିଲେ। ହଠାତ ଗାଁର ଆମ୍ବତୋଟା ନିକଟରେ ଆଗରୁ ଛକି ରହିଥିବା କିଛି ବ୍ୟକ୍ତି ୨ଜଣ ୱାର୍ଡସଭ୍ୟଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଥିଲେ। ସାହାଜବାହାଲ ଗାଁର ୱାର୍ଡ ୭ର ୱାର୍ଡସଭ୍ୟ ଯୁଧିଷ୍ଠିର ଡାଙ୍ଗ ଓ ୱାର୍ଡ ନମ୍ବର ୮ର ନାରାୟଣ ଭୋଇ ଅପହରଣ କରାଯାଇଥିବା ନେଇ ଦେଓଗାଁ ଥାନାରେ ନାଏବ ସରପଞ୍ଚ ଆଶାୟୀ ପ୍ରାର୍ଥୀ ନିରୁପମା ମାହାନନ୍ଦ ଏବଂ ଅପହୃତଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, କୋରାପୁଟର ଲମତାପୁଟ ବ୍ଲକ୍‌ରେ ନାଏବ ସରପଞ୍ଚ ନିବାର୍ଚନରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ପଞ୍ଚାୟତ ନିବାର୍ଚନ ଅଧିକାରୀ ଜୟରାମ ନାଉଡିଆଙ୍କୁ ମଝି ରାସ୍ତାରେ ଦୀର୍ଘ ୪ ଘଣ୍ଟା କାଳ ଅଟକ ରଖାଯାଇଥିଲା। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କଚରାପାରା ଗ୍ରାମପଞ୍ଚାୟତରେ ପ୍ରବଳ ଗଣ୍ଡଗୋଳ ହେବା ସହିତ ନିର୍ବାଚନ ଅଧିକାରୀ ତୁଷାର ଷଡ଼ଙ୍ଗୀଙ୍କୁ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର