ବାଲେଶ୍ବର: ବାଲେଶ୍ବର ରେଳଷ୍ଟେସନ୍ ସମ୍ମୁଖ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଯୁବତୀଙ୍କୁ ତଳେ ପକାଇ ଆକ୍ରମଣ କରାଯାଇଛି। ଯୁବତୀଙ୍କୁ ୫ ଜଣ ଯୁବକ ଘେରି ରହିଥିବା ବେଳେ ଜଣେ ଯୁବକ ତାଙ୍କ ପେଟ, ଛାତିକୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ଯୁବତୀ ଜଣକ ବଞ୍ଚିବା ପାଇଁ ଚିତ୍କାର କରୁଥିଲେ। ତେବେ, କାହିଁକି ଏଭଳି ଘଟଣା ଘଟିଲା ? ସଂପୃକ୍ତ ଯୁବତୀ କିଏ? ତାଙ୍କୁ ଆକ୍ରମଣ କରୁଥିବା ଅଭିଯୁକ୍ତମାନେ କିଏ ବୋଲି ପ୍ରଶ୍ନ ଉଠିଛି। ଯୁବତୀଙ୍କୁ ଆକ୍ରମଣ ସମ୍ପର୍କିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରୁ ଜଣାପଡ଼ିଛି ଯେ ରାତି ସମୟରେ ଏହିଭଳି ଘଟଣା ଘଟିଛି। ଏହି ଅମାନବୀୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ସାଂସଦ, ବିଧାୟକଙ୍କ ଭଳି ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷ, ସଚେତନ ନାଗରିକ ଭିଡିଓକୁ ପୋଷ୍ଟ କରି ତୀବ୍ର ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପରିକି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ ସହଦେବଖୁଣ୍ଟା ଆଇଆଇସି ଅଜୟ ମୁର୍ମୁଙ୍କୁ ପଚାରିବାରୁ ଏହା ରେଳଷ୍ଟେସନ୍ର ଘଟଣା ହୋଇଥିବାରୁ ଜିଆର୍ପି ପୁଲିସ ଅନୁଧ୍ୟାନ କରିବ ବୋଲି କହିଛନ୍ତି। ଅପରପକ୍ଷେ ବାଲେଶ୍ବର ଜିଆର୍ପି ଥାନା ଆଇଆଇସି ଗଣେଶରାମ ସଙ୍କୁ ପଚାରିବାରୁ ଏହା ରେଳଷ୍ଟେସନ୍ ବାହାର ଘଟଣା ହୋଇଥିବାରୁ ସହଦେବଖୁଣ୍ଟା ପୁଲିସ ଏହାର ଅନୁଧ୍ୟାନ କରିବ ବୋଲି କହିଛନ୍ତି। ଜିଆର୍ପି ଓ ସହଦେବଖୁଣ୍ଟା ଥାନା ପୁଲିସର ଏଭଳି ସୀମା ବିବାଦ ପାଇଁ ଏହି ଘଟଣା ଦବିଯିବ ନାହିଁ ତ ବୋଲି ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/08/sfsfsxccc-2025-10-08-03-04-26.jpg)