କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ଠିକ୍ ପୂର୍ବଦିନ ତାଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ଘଟିଛି ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଉମର ଗ୍ରାମରେ। ଉମର ଗ୍ରାମର ହନୁମାନ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଉତ୍ସାହୀ ବିଜୁପ୍ରେମୀଙ୍କ ଦ୍ବାରା ବିଜୁ ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଆସନ୍ତାକାଲି ବିଜୁ ଜୟନ୍ତୀ ଥିବାବେଳେ ଆଜି କେହି ଦୁର୍ବୃତ୍ତ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରିଦେଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଭଦ୍ରେଶ୍ୱର ଥାନାରେ ଏ ସଂପର୍କରେ ଅଭିଯୋଗ କରାଯିବା ସହିତ ଘଟଣାର ତଦନ୍ତ ଏବଂ ଏଥିରେ ସଂପୃକ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ସାଲେପୁର ଏସ୍ଡିପିଓ ବିରଞ୍ଚି ନାରାୟଣ ପତି ଓ ଭଦ୍ରେଶ୍ୱର ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ମନ୍ଦିର ଓ ବିଭିନ୍ନ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଭଗ୍ନ ମୁଣ୍ଡଟିକୁ ନେଇ ପ୍ରତିମୂର୍ତ୍ତି ଉପରେ ପୁଣି ରଖିଦେଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/QQRylMJxN9CglHmCVb9O.jpg)