ସବୁ ସୀମା ଟପିଗଲେ : ୭ ଘଣ୍ଟା ଧରି ଜଳିଲା ପୁରୀ

ପୁରୀ : ଗତ ଦୁଇ ଦିନ ଧରି ଛକାପଞ୍ଝା ଚାଲିଥିଲା। ସ୍ଥାନୀୟ କିଛି ଭକ୍ତ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ଉଲ୍ଲଂଘନ କରି ଧସେଇ ପଶୁଥିଲେ। ଆଉ ପରବର୍ତୀ ସମୟରେ ପ୍ରଶାସନ ପୁଣି ଥରେ ବ୍ୟବସ୍ଥାକୁ ସଜାଡି ଧାଡ଼ି ଦର୍ଶନ ପାଇଁ ବାଟ ଖୋଲୁଥିଲା। ଆଜି କିନ୍ତୁ ପୁରୀ ବନ୍ଦ ଆଳରେ ସବୁ ସୀମା ଟପିଗଲେ ଆନ୍ଦୋଳନକାରୀ ଓ ଉତ୍ତ୍ୟକ୍ତ ଜନତା। ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ସୃଷ୍ଟି କରାଯାଉଛି ବୋଲି ଅଭିଯୋଗ ଆଣି ଏମିତି ହିଂସାକାଣ୍ଡ ଭିଆଇଲେ, ଯାହା ପୁରୀ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

ଆଉ ସେପଟେ ଜିଲ୍ଲା ପ୍ରଶାସନ ଓ ପୁଲିସ କେତେ ଢିଲା ହୋଇପାରେ, ତାହାର ନମୁନା ମଧ୍ୟ ଦେଖିଲେ ରାଜ୍ୟବାସୀ। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ଦୀର୍ଘ ୭ ଘଣ୍ଟା ଧରି ଉତ୍ତ୍ୟକ୍ତ ଲୋକ, ଆନ୍ଦୋଳନକାରୀଙ୍କ ହାତରେ ସାଧାରଣ ଲୋକଙ୍କ ଭାଗ୍ୟ ଓ ବ୍ୟବସ୍ଥାକୁ ଛାଡିଦିଆଗଲା। ପୁଲିସ, ପ୍ରଶାସନ କାର୍ଯ୍ୟ କରୁଛନ୍ତି, ଏକଥା କେହି ଜାଣିପାରିଲେନି। ଓଡ଼ିଶା ଇତିହାସରେ ଏହା ବି ବିରଳ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ସବୁଠାରୁ ବଡ଼ କଥା ହେଲା, ଆନ୍ଦୋଳନକାରୀଙ୍କ ଡଢଲା ପତିତପାବନଙ୍କ ଆଖିରେ ବାଜିଲା। ଆଉ ପୁଲିସର ରବର ଗୁଳି ଶ୍ରୀମନ୍ଦିର କାନ୍ଥରେ ବାଜିଲା। କେବଳ ସେତିକି ନୁହେଁ, ସବୁ ସୀମା ଉଲ୍ଲଂଘନ କରି ଫୋର୍ସ ମଧ୍ୟ ଶ୍ରୀମନ୍ଦିର ମଧ୍ୟରେ ଜୋତା ପିନ୍ଧି ପଶିଗଲେ। ମହାପ୍ରଭୁଙ୍କ ପ୍ରତି ଉଭୟ ଆନ୍ଦୋଳନକାରୀ ଓ ପୁଲିସର ଏଭଳି ଆଚରଣକୁ ଶ୍ରୀଜଗନ୍ନାଥ ପ୍ରେମୀମାନେ ନିନ୍ଦା କରିଛନ୍ତି।

ଯଦିଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ତଥାପି ରାଜ୍ୟ ସରକାର ପୁରୀକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ନିର୍ଦିଷ୍ଟ କି ପଦକ୍ଷେପ ନିଆଯିବ, ସେ ନେଇ ଶାସନର ଶୀର୍ଷସ୍ତରରେ ଘନ ଘନ ବୈଠକ କରାଯାଇଛି। ପ୍ରଶାସନର ହୁଗୁଳାପଣ ଓ ପୁରୀ ପୁଲିସର କାର୍ଯ୍ୟକଳାପକୁ ନେଇ ରାଜ୍ୟ ସରକାର ଅସନ୍ତୁଷ୍ଟ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ବିନା ପ୍ରସ୍ତୁତିରେ ଧାଡି ଦର୍ଶନ ଆରମ୍ଭ କରାଯିବା, ସ୍ଥାନୀୟ ଲୋକ ପ୍ରତିନିଧି ଓ ବରିଷ୍ଠ ନାଗରିକଙ୍କୁ ବିଶ୍ୱାସକୁ ନ ନେଇ ପ୍ରଶାସନ ଏକତରଫା ନିଷ୍ପତ୍ତି କାର୍ଯ୍ୟକାରୀ କରିଥିବାରୁ ଲୋକେ କ୍ଷୁବ୍ଧ ଥିଲେ। କେବଳ ଏତିକି ନୁହେଁ, ପୁରୀ ପୁଲିସ ବିରୋଧରେ ମଧ୍ୟ ଦୀର୍ଘ ଦିନ ଧରି ଅସନ୍ତୋଷ ପୁଞ୍ଜିଭୂତ ହୋଇ ରହିଥିଲା। ଏହାର ପରିଣାମ ଆଜି ପୁରୀ ବଡ଼ ଦାଣ୍ଡରେ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆମିକସ କ୍ୟୁରି ଘଟଣା ସଂପର୍କରେ ଖବର ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ରିପୋର୍ଟ ଓ ଭିଡିଓ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ଧାଡ଼ି ଦର୍ଶନକୁ ନେଇ ଗତ ତିନି ଦିନ ଧରି ଦେଖାଦେଇଥିବା ଅସନ୍ତୋଷ ଆଜି ସୀମା ଲଂଘିଥିଲା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ବନ୍ଦପାଳନ ବେଳେ ଆନ୍ଦୋଳନକାରୀମାନେ ଲଙ୍କାକାଣ୍ଡ ଭିଆଇବା ସହ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବଡ଼ଦାଣ୍ଡରେ ପୋଡ଼ାଜଳା, ଭଙ୍ଗାରୁଜା ସାଙ୍ଗକୁ ବ୍ୟାପକ ହିଂସାକାଣ୍ଡ ଘଟିଛି। ୭ ଘଣ୍ଟାରୁ ଅଧିକ ସମୟ ଧରି ବଡ଼ଦାଣ୍ଡରେ ଏକପ୍ରକାର ଆତଙ୍କ ଖେଳି ଯାଇଥିଲା।

ଉତ୍ତ୍ୟକ୍ତ ଜନତା ଧାଡ଼ି ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଡ୍‌କୁ ଉପାଡ଼ି ଫିଙ୍ଗିଦେବା ସହ ହୋର୍ଡିଂ, ପାଲ, ସୂଚନା ଫଳକରେ ନିଆଁ ଲଗାଇ ଦେଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଓ ଆସବାବପତ୍ର ବି ପୋଡ଼ି ଦିଆଯାଇଛି। ଜନ ଆ‌େକ୍ରାଶରୁ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ ବି ବାଦ୍‌ ପଡିନାହିଁ। ତାଙ୍କ ଘରେ ଭଙ୍ଗାରୁଜା ହୋଇଛି। ପୁରୀ ରେଳ ଷ୍ଟେସନରେ ବି ଲୋକେ ଭଙ୍ଗାରୁଜା କରିଛନ୍ତି। ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଆକ୍ରମଣରୁ ପୁଲିସ, ଜନତା, ଭକ୍ତ କେହି ବାଦ୍ ପଡ଼ିନାହାନ୍ତି।

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ରବର ବୁଲେଟ୍, ଲୁହବୁହା (ଟିୟର) ଗ୍ୟାସ୍ ପ୍ରୟୋଗ କରିଛି। ଶ୍ରୀମନ୍ଦିର ଚାରିପାଖ ସମେତ ବଡ଼ଦାଣ୍ଡ ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଏତେ ବଡ଼ ଘଟଣା ପାଇଁ ସମସ୍ତେ ଗୁଇନ୍ଦା ବିଭାଗ ଓ ପୁଲିସର ବିଫଳତାକୁ ହିଁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଏହି ବିଶୃଙ୍ଖଳା ପାଇଁ ଆଜି ମହାପ୍ରଭୁଙ୍କ ନୀତି ବିଳମ୍ବିତ ହୋଇଛି।

ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାରେ ଦାନଦକ୍ଷିଣା, ଅନ୍ନଦାନ ଆଟିକା, ଥାଳି ଆଦି ପ୍ରଥା ଶତ ପ୍ରତିଶତ ବନ୍ଦ କରିବା ପୂର୍ବରୁ ପ୍ରଶାସନ ଗତ ୧ ତାରିଖରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଥିଲେ। ଏହାକୁ ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରୁଥିଲେ। ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ ଜଣାଇ କଂଗ୍ରେସ, ବିଜେପି, ସିପିଆଇ (ଏମ୍‌) ସମେତ ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ ଓ ସଚେତନ ନାଗରିକ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆରମ୍ଭରୁ ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ ହୋଇଥିଲା।

ଆଜି ସକାଳ ପ୍ରାୟ ୬ଟା ୪୦ରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ ମୋଚିସାହି ଛକସ୍ଥିତ ତାଙ୍କ ବାସଭବନରୁ ଗିରଫ କରି ନେବା ପରେ ପୁରୀ ସହରର ଶାନ୍ତ ପରିବେଶ ହଠାତ୍ ଅଶାନ୍ତ ହୋଇ ଯାଇଥିଲା। ଆନ୍ଦୋଳନକାରୀମାନେ ହିଂସ୍ର ହୋଇ ଉଠିଥିଲେ। ସେବାୟତ ଓ ଆନ୍ଦୋଳନକାରୀ ଏକ ଶୋଭାଯାତ୍ରାରେ ସିଂହଦ୍ୱାରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପିକେଟିଂ କରିଥିଲେ। ଫେରିବା ବାଟରେ ଆନ୍ଦୋଳନକାରୀମାନେ ପ୍ରଥମେ ସିଂହଦ୍ୱାରରୁ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଧାଡ଼ି ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଡ୍‌କୁ ଓପାଡ଼ି ଫିଙ୍ଗି ଦେଇଥିଲେ। ଏଥିରେ ଲାଗିଥିବା ପାଲ ଟାଣି ଚିରିଦେବା ସହ ନିଆଁ ଲଗାଇ ଦେଇଥିଲେ। ସିଂହଦ୍ୱାର ସମ୍ମୁଖରେ ଥିବା ସୂଚନା ଫଳକ ଭାଙ୍ଗି ତାକୁ ଜାଳି ଦେଇଥିଲେ।

ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଡ୍‌କୁ ଓପାଡ଼ି ଫିଙ୍ଗି ଦେଇଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ମେଟାଲ ଡିଟେକ୍ଟର ସବୁକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ବଡ଼ଦାଣ୍ଡରେ ଥିବା ଜୋତା ଷ୍ଟାଣ୍ଡଗୁଡିକୁ ଓଲଟାଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏତିକିରେ ମନ ବୁଝିନଥିଲା ଆନ୍ଦୋଳନକାରୀଙ୍କର। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ଭିତରେ ପଶି ଆସବାବପତ୍ର ପିଙ୍ଗାଫୋପଡ଼ା କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଢେଲାପଥର ମାଡ଼ କରିଥିଲେ। ହୁଣ୍ଡିଠାରୁ ଆରମ୍ଭ କରି ଆଲମିରା, ଦରକାରୀ କାଗଜପତ୍ରକୁ ବାହାରକୁ ଫିଙ୍ଗା ଫୋପଡ଼ା କରି ସେଥିରେ ନିଆଁ ଲଗାଇ ଦେଇଥିଲେ।

ଏତେସବୁ କାଣ୍ଡ ପରେ ବି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା। କିମ୍ବା ସ୍ଥିତି ରକ୍ଷା ପାଇଁ କେଉଁ ସ୍ତରରେ ବି ଉଦ୍ୟମ ହେଲାନାହିଁ। ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢିଲା ଓ ହିସାଂକାଣ୍ଡ ବି। ବଡ଼ଦାଣ୍ଡରେ ଗୋଟିଏ ଗୋଷ୍ଠୀ ଭଙ୍ଗାରୁଜା କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ କୁମୁଟି ସାହିସ୍ଥିତ ରାଜସ୍ୱ ମନ୍ତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ପରେ ବଡ଼ଦାଣ୍ଡ ଉପରେ ଥିବା ଟ୍ରାଫିକ୍ ପୋଷ୍ଟକୁ ଗୋଟିଏ ପରେ ଗୋଟିଏ ଜାଳି ଦେଇଥିଲେ। ମେଡିକାଲ୍ ଛକରୁ ଆରମ୍ଭ କରି ବଡ଼ଦାଣ୍ଡ ଟ୍ରାଫିକ୍ ପୋଷ୍ଟ, ଷ୍ଟପ ପୋଷ୍ଟ୍ ଓ ବ୍ୟାରିକେଡ୍ ଗୁଡିକୁ ଏଣେତେଣେ ଫିଙ୍ଗା ଫୋପଡ଼ା କରିବା ସହ ଦଳବଦ୍ଧ ହୋଇ ଲଙ୍କାକାଣ୍ଡ ଭିଆଇଥିଲେ।

ଅପରାହ୍ନ ଗୋଟାଏ ବେଳକୁ ପୁଲିସର ସକ୍ରିୟତା ଦେଖିବାକୁ ମିଳିଥିଲା। ପୁଲିସ ଫୋର୍ସ ପହଞ୍ଚିଥିଲେ। ଶ୍ରୀମନ୍ଦିର ଚାରିପାର୍ଶ୍ବ, ମାର୍କେଟ୍ ଛକଠାରୁ ସିଂହଦ୍ୱାୀ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିବା ସହ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରାଯାଇଥିଲା। ଏଥିରେ ଉଭୟ ଆନ୍ଦୋଳନକାରୀ ଓ ପୁଲିସ ରକ୍ତାକ୍ତ ହୋଇଥିଲେ। ତେବେ ଏକାଧିକ ବାର ଲାଠି ଚାର୍ଜ ହୋଇଥିଲେ ମଧ୍ୟ ଆନ୍ଦୋଳନକାରୀ ଶାନ୍ତ ପଡ଼ିନଥିଲେ। ସ୍ଥିତି ବିଗୁଡୁଥିବା ଦେଖି ପୁଲିସ ଲୁହବୁହା ଗ୍ୟାସ୍ ସାଙ୍ଗକୁ ରବର ବୁଲେଟ୍ ମାଡ଼ କରିଥିଲା। ତଥାପି ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା। ଶେଷରେ ପୁଲିସ ବଡ଼ଦାଣ୍ଡ ସମେତ ଗଳିକନ୍ଦିରେ ଫ୍ଲାଗ୍‌ମାର୍ଚ୍ଚ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେତେବେଳକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମେତ ପୂରା ବଡ଼ଦାଣ୍ଡ ଛାର୍‌ଖାର୍‌ ହୋଇ ସାରିଥିଲା।

ଗତ ଦୁଇ ଦିନ ତଳୁ ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିଲା। ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ ଜଣାଇଥିଲେ। ଏ ସଂପର୍କରେ ପ୍ରଶାସନ ଓ ପୁଲିସ ପାଖରେ ସୂଚନା ଥିଲେ ମଧ୍ୟ ପୁଲିସ ଓ ପ୍ରଶାସନ ଏହାକୁ ହାଲୁକା ଭାବେ ନେଇଥିଲା। ଯାହାର ପରିଣାମ ଆଜି ସାଧାରଣ ଜନତା, ଭକ୍ତ ଓ ପର୍ଯ୍ୟଟକଙ୍କୁ ଭୋଗିବାକୁ ପଡ଼ିଛି। ସବୁ ଛାରଖାର ହେବା ପରେ ପୁଲିସ ୭ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଯେଉଁଥିପାଇଁ ସାଧାରଣ ଜନତା, ଭକ୍ତ ଆନ୍ଦୋଳନକାରୀଙ୍କଠାରୁ ମାଡ଼ ଖାଇଛନ୍ତି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର