ସୁନ୍ଦରଗଡ଼ : ଗୋ ହତ୍ୟା ଅଭିଯୋଗ ଆଣି ନିଜକୁ ବଜରଙ୍ଗ ଦଳର ସଦସ୍ୟ ପରିଚୟ ଦେଉଥିବା ଶତାଧିକ ଯୁବକ ଗତ ୧୯ ତାରିଖରେ ତଳସରା ଥାନା ସରବାହାଲପଡ଼ାସ୍ଥିତ ଦେଶୀ ମଦଭାଟିରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଭାଟି ପରିଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଆଲମିରାରୁ ୪.୨୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏପରିକି ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ତଳସରା ଥାନାର ଜଣେ ପୁଲିସ ଅଧିକାରୀଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିଥିଲେ। ଭାଟି ପରିଚାଳକଙ୍କ ଏତଲାକ୍ରମେ ପୁଲିସ ୧୪୭, ୧୪୮, ୩୪୧, ୩୨୩, ୩୫୩, ୩୦୭, ୨୯୪, ୫୦୬, ୨୮୩, ୧୪୯ରେ ମାମଲା ରୁଜୁ କରି ମହୁଲଗାଁର ସୁଜିତ ଓରାମ (୨୦), ସରବାହାଲର ଅନୁଜ କୁମାର ସାଏ (୩୩), ଅଲେଖ ରଣା ଓରଫ ଅନ୍ଧି(୪୮), ବାଲିଶଙ୍କରା ବସଷ୍ଟାଣ୍ଡର ରୋହିତ ପ୍ରସାଦ ସାହୁ (୨୧), କିଞ୍ଜିରକେଲା ଥାନା ବି.କରୁଆବାହାଲର ଦେବେନ ତିର୍କୀ ଓରଫ ଦେବେନ୍ଦ୍ର ଟପ୍ପୋ (୪୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ନାବାଳକ ଅଭିଯୁକ୍ତକୁ ସୁନ୍ଦରଗଡ଼ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଗତ ୧୯ ତାରିଖରେ ବାଲିଶଙ୍କରାର ଦିଲୀପ କୁଜୁରଙ୍କ ଗାଈ ସରବାହାଲପଡ଼ାସ୍ଥିତ ମଦଭାଟି ପାଖରେ ମରି ପଡ଼ିଥିଲା। ତେଣୁ ଆଗକୁ ମଢ଼ ପଚି ଦୁର୍ଗନ୍ଧ ହେବା ଭୟରେ ଭାଟି ପରିଚାଳକ ବିନୋଦ ଚୌଧୁରୀ ଅପରାହ୍ନ ୪ଟାରେ ଭାଟି କର୍ମଚାରୀଙ୍କ ଜରିଆରେ ସ୍ଥାନୀୟ ଲୋକଙ୍କୁ ଡାକି ତାକୁ ଅନ୍ୟତ୍ର ହଟାଇ ଦେଇଥିଲେ। ସନ୍ଧ୍ୟା ୬ରୁ ସାଢ଼େ ୬ଟା ମଧ୍ୟରେ କିଛି ଲୋକ ଗାଈକୁ କାଟୁଥିବା ମାଲିକ ଦିଲୀପ କୁଜୁର ଦେଖିବାକୁ ପାଇଥିଲେ। ଏହା ପରେ ଗାଈକୁ ମାରି ମାଂସ କାଟୁଥିବା ପ୍ରଚାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ସମ୍ପୃକ୍ତ ମାଂସ କଟାଳିମାନଙ୍କୁ ମାଡ଼ ମାରି ପଚାରିବାରୁ ଭୟଭୀତ ହୋଇ ମିଛରେ ଭାଟି ପରିଚାଳକଙ୍କ ନିର୍ଦ୍ଦେଶରେ ସେମାନେ ଗାଈକୁ କାଟୁଥିବା ପ୍ରକାଶ କରିଥିଲେ। ଏକଥା ଉତ୍ତେଜନା ସୃଷ୍ଟି କରିଥିଲା। ୧୫ରୁ ୨୦ ଲୋକ ଭାଟିରୁ ପରିଚାଳକ ଶ୍ରୀ ଚୌଧୁରୀଙ୍କୁ ଘଟଣାସ୍ଥଳକୁ ନେଇ ପଚରାଉଚରା କରିବା ସହ ଆକ୍ରମଣ କରିଥିଲେ। ଘଣ୍ଟାଏ ପରେ ଭାଟି ପରିଚାଳକ ଫେରି ଆସିଥିଲେ।
ଏହା ପରେ ନିଜକୁ ବଜରଙ୍ଗଦଳର ସଦସ୍ୟ ବୋଲି ପରିଚୟ ଦେଉଥିବା ଶହେରୁ ଅଧିକ ଲୋକ ଲାଠି, ଲୁହା ରଡ୍ ଧରି ରେରେକାର ଡାକ ଦେଇ ଭାଟିକୁ ଆସି ଭଙ୍ଗାରୁଜା କରି ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିଲେ। ଏହା ପରେ ଭାଟିର ଆଲମିରା ଭାଙ୍ଗି ୪.୨୮ ଲକ୍ଷ ନଗଦ ଟଙ୍କା, ସିସିଟିଭି ଡିଭିଆର୍, ୨୫ ବ୍ୟାଗ ଶୁଖିଲା ମହୁଲ ଫୁଲ, ୧୬୦ ଲିଟର ଦେଶୀ ମଦ ଲୁଟି ନେଇଥିଲେ। ସୂଚନା ପାଇ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ବେଳେ ଜଣେ ପୁଲିସ ଏସଆଇଙ୍କୁ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଥିବା ଅନ୍ୟ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଜୀବନରେ ମାରିଦେବାର ଧମକ ଦେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପରେ ପରେ ପୁଲିସ ଫୋର୍ସ ପହଞ୍ଚି ରାସ୍ତାରୋକ ହଟାଇ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଭିଡ଼ ହିଂସାରେ ସାମିଲ ଆଉ କିଛି ଲୋକ ଚିହ୍ନଟ ହୋଇ ସାରିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ବୋଲି ପୁଲିସ କହିଛି।