ସମ୍ବଲପୁର : ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନର କର୍ଫ୍ୟୁ ଘୋଷଣା ପରେ ସମ୍ବଲପୁରରେ ହିଂସାକାଣ୍ଡ ଥମିଛି। ତଥାପି ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି।
ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ୧୪ ତାରିଖ ପର୍ଯ୍ୟନ୍ତ ଲାଗିରହିଥିଲା। ସ୍ଥିତି ଅଣାୟତ୍ତ ଆଡ଼କୁ ଯାଇପାରେ ବୋଲି ଆଶଙ୍କା କରି ପ୍ରଶାସନ ଶୁକ୍ରବାର ମଧ୍ୟରାତ୍ରିରୁ ସହରରେ ଅନ୍ୟାଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି। ଏହାର ପ୍ରଭାବ ଶନିବାର ସହରରେ ଦେଖିବାକୁ ମିଳିଛି। ଶନିବାର ଦିନ ସହର ଖାଁ ଖାଁ ଲାଗୁଥିଲା। ସକାଳ ୮ ପୂର୍ବରୁ କିଛି ଦୋକାନ ଖୋଲା ଯାଇଥିବା ଦେଖି ପୁଲିସ ତୁରନ୍ତ ବନ୍ଦ କରାଇଥିଲା। ସେପଟେ ସମ୍ବଲପୁରକୁ ଆଜି ଦିନତମାମ ବସ୍ ସେବା ବନ୍ଦ ରହିଥିଲା। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ଟାରୁ ୧୦ଟା ଏବଂ ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିଲା। ସେହି ସମୟରେ ବିଭିନ୍ନ ଦୋକାନରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏହା ପରେ ସବୁ ଦୋକାନବଜାରକୁ ପୁଣି ବନ୍ଦ କରି ଦିଆଯାଇଥିଲା। ସେହିଭଳି ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିରେ ତାଲା ଝୁଲୁଥିଲା।
ଟ୍ରେନ୍ ସ୍ବାଭାବିକ, ବସ୍ ଚଳାଚଳ ବନ୍ଦ
କୋଟି କୋଟି ଟଙ୍କାର ସମ୍ପତ୍ତି ସ୍ବାହା
/sambad/media/post_attachments/wp-content/uploads/2023/04/curfew-1-750x430.jpg)
ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ପରିସ୍ଥିତି ସ୍ବାଭାବିକ ନ ହେବା ଯାଏ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର କହିଛନ୍ତି। ହିଂସାକାଣ୍ଡକୁ ଆଖି ଆଗରେ ରଖି ପୂର୍ବରୁ ଗୁରୁବାର ସକାଳ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଯାହା ଶନିବାର ଦିନ ୧୦ଟାରେ ଶେଷ ହୋଇଥାନ୍ତା। କିନ୍ତୁ ସହରର ସମ୍ବେଦନଶୀଳ ସ୍ଥିତିକୁ ନଜରରେ ରଖି ଇଣ୍ଟରନେଟ୍ ସେବା ବନ୍ଦ ସମୟ ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା। ଆସନ୍ତା ୧୭ ତାରିଖ ସକାଳ ୧୦ଟା ପରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହେବ ବୋଲି କହାଯାଇଛି। ସ୍ଥିତି ସମ୍ବେଦନଶୀଳ ଥିବାରୁ କୌଣସି ପ୍ରକାର ଉତ୍ତେଜନା ସୃଷ୍ଟି କରିବା ଭଳି ଭିଡିଓ, ଫଟୋ ବା ବାର୍ତ୍ତା ଉପରେ ରୋକ ଲଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି। ଏହି ସମୟରେ ବ୍ୟାପକ ଉଡ଼ା ଖବର ପ୍ରସାରିତ ହେଉଛି। ସେଥିମଧ୍ୟରୁ ୯୫ ପ୍ରତିଶତ ଖବର ମିଛ। ତେଣୁ ସେଭଳି କିଛି ଖବର ଆସିଲେ ପୁଲିସକୁ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
/sambad/media/post_attachments/wp-content/uploads/2023/04/sambalpur-ppp-750x430.jpg)
ଏପଟେ ସହର ସାରା ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ୪୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଆଜି ଆଉ ଅଧିକ ୪ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ସହରକୁ ବର୍ତ୍ତମାନ ୪୬ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କ ବଳୟରେ ରଖାଯାଇଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସହରର ୧୧ଟି ଅଂଚଳରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସଂପତ୍ତି ଜଳି ସ୍ବାହା ହୋଇଯାଇଛି। ଅଗ୍ନିକାଣ୍ଡରେ ଫଶିଥିବା ୪ ଜଣ ଛୋଟ ପିଲାଙ୍କୁ ରାତିରେ ୩ ମହଲା ବିଶିଷ୍ଟ ଆମାଜିଂ ବେକ୍ରି କୋଠାରୁ ନିକଟସ୍ଥ ଅନ୍ୟ ଏକ କୋଠାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/sambalpur.jpg)