ଭୁବନେଶ୍ବର: ନିର୍ବାଚନୀ ହିଂସାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ହିଂସା ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୋଜିଖୋଜି ବନ୍ଧା ହେବେ। ହିଂସାକାରୀଙ୍କୁ ୬ ମାସ ମଧ୍ୟରେ ଦୋଷୀ ସାବ୍ୟସ୍ତ କରାଯିବ। ସେଥିପାଇଁ ପୁଲିସ ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ କରି ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ସହଯୋଗ କରିବ। ହିଂସାକାରୀଙ୍କ ସମର୍ଥନରେ କୌଣସି ଅଧିକାରୀଙ୍କ ହାତ ଥିବା ପ୍ରମାଣ ମିଳିଲେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଆସନ୍ତାକାଲି ଓଡ଼ିଶାରେ ୧୧ ଜିଲ୍ଲାର ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ର ପାଇଁ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଏଭଳି ସୂଚନା ଦେଇଛନ୍ତି।

Advertisment

ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ୨୦ ତାରିଖରେ ରାଜ୍ୟର ୧୧ ଜିଲ୍ଲାରେ ମତଦାନ ହେବ। ସେଥିରୁ ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ମାଓପ୍ରବଣ ଜିଲ୍ଲା। ସେସବୁ ଅଞ୍ଚଳରେ ରହିଛି ୫୫୬ଟି ମାଓ ପ୍ରଭାବିତ ବୁଥ୍‌। ତେଣୁ ମତଦାନ ପୂର୍ବରୁ ଓ ମତଦାନ ସମୟରେ ଯେଭଳି କୌଣସି ମାଓ ହିଂସା ନ ଘଟେ ସେଥିପ୍ରତି କଡ଼ା ନଜର ରଖାଯାଇଛି। ମାଓପ୍ରବଣ ୪ ଜିଲ୍ଲାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡ ପୁଲିସ ସହ ବ୍ୟାପକ ଆଲୋଚନା ହୋଇଛି। ସେପଟୁ ଯେମିତି କୌଣସି ମାଓ ହମ୍‌ଲା ନ ହୁଏ, ସେଥିପ୍ରତି ସେସବୁ ରାଜ୍ୟ ପୁଲିସ ସହ ନିୟମିତି ଯୋଗାଯୋଗ ରହିଛି। ସେହିଭଳି ଆଣ୍ଟି ନକ୍ସଲ ଅପରେସନ୍‌କୁ ବ୍ୟାପକ କରାଯାଇଛି। ବୌଦ୍ଧରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି। ଜଣେ ଏଡିଜିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଏକ ଏୟାର୍‌ ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ପ୍ରସ୍ତୁତ ରହିଛି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ୮୭୯ ଟେଲି ଯୋଗାଯୋଗ ଦୁର୍ବଳ ଅଞ୍ଚଳକୁ ନେଇ ସ୍ବତନ୍ତ୍ର ଯୋଜନା କରାଯାଇଛି। ଭିଏଚ୍‌ପି ଓ ସାଟେଲାଇଟ୍ ମାଧ୍ୟମରେ ସେସବୁ ଅଞ୍ଚଳକୁ ଯୋଡ଼ାଯାଇଛି।

ଏହି ପର୍ଯ୍ୟାୟରେ ୯୧୬୨ ପୁଲିଂ ବୁଥ୍‌ ପାଇଁ ୩୩ ହଜାର ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ସେଥିରେ ୧୦୨ ପ୍ଲାଟୁନ୍‌ ସିଏପିଏଫ୍‌ ଓ ୬୬ ପ୍ଲାଟୁନ୍‌ ଓଏପି ସାମିଲ୍‌ ରହିଛି। ୪୭ ଜଣ ଅତିରିକ୍ତ ଏସ୍‌ପି, ୮୮ଜଣ ଡିଏସ୍‌ପି, ୨୩୬ଜଣ ଅଇଆଇସି, ୨୦୦୦ ଏସ୍‌ଆଇ ଓ ଏଏସ୍‌ଆଇ, ୧୧,୮୦୦ କନେଷ୍ଟବଳ ଓ ହାବିଲଦାରଙ୍କୁ ନିୟୋଜିତ କରାଯାଇଛି। ସେହିପରି ୬୫୫ ମୋବାଇଲ ପେଟ୍ରୋଲିଂ ଟିମ୍‌ ମଧ୍ୟ ନିୟୋଜିତ ହୋଇଛି। ରାଜ୍ୟ ଓ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ମଧ୍ୟ ଚେକିଂ, ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ୪୮ଟି ଆନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଉଛି। ସେଠାରେ ସିସିଟିଭି ଖଞ୍ଜାଯାଇଛି। ୯୩ଟି ଜିଲ୍ଲା ସୀମାନ୍ତରେ ଚେକିଂ ବ୍ଲିକଂ କରାଯାଉଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମୁତାବକ ୨୫୭ଟି ଫ୍ଲାଇଂ ସ୍କ୍ୱାଡ୍‌, ୨୫୧ଟି ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ମଧ୍ୟ ନଜର ରଖିଛନ୍ତି। ଜିପିଏସ୍‌ ଜରିଆରେ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ ରହିଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନରେ କୁଇକ୍‌ ଆକ୍ସନ ଟିମ୍‌, ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି। ୧୧ଟି ଜିଲ୍ଲାରେ ୧୮ ଟି ଇଭିଏମ୍‌ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଛି ଏବଂ ସେଠାରେ ମଧ୍ୟ ସିଏପିଏଫ୍‌ ଓ ଏସ୍‌ଏପିଙ୍କୁ ମୁତୟନ କରାଯାଇଛି। ବୈଠକରେ ଏଡିଜି(ସଶସ୍ତ୍ରବାହିନୀ) ଆର୍‌ପି କୋଚେ, ଏଡିଜି(ଆଇନ୍‌ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜି(ଆଧୁନୀକରଣ) ଯତିନ୍ଦ୍ର କେଏଲ, ଆଇଜି(ଟ୍ରେନିଂ) ଏସ୍‌ ସାଇନି, ଆଇଜି(କ୍ରାଇମ୍‌ବ୍ରାଞ୍ଚ) ସେଫିନ୍‌ ଅହମ୍ମଦ ଓ ଏସ୍‌ପି(ମୁଖ୍ୟାଳୟ) ବି ଗଙ୍ଗାଧର ଉପସ୍ଥିତ ଥିଲେ।

୪ ମାଓ ପ୍ରବଣ ଜିଲ୍ଲାରେ ୫୫୬ ସମ୍ବେଦନଶୀଳ ବୁଥ୍‌
ଦାୟିତ୍ବରେ ୩୩ ହଜାର ପୁଲିସ
ସିସିଟିଭି ନଜରରେ ୪୮ ସୀମାନ୍ତ ଅଞ୍ଚଳ
୩ ରାଜ୍ୟ ସୀମାରେ କଡ଼ାକଡ଼ି ଯାଞ୍ଚ

୧୦୦୦ ପଳାତକ ଗିରଫ, ୧୧ ଜଣଙ୍କ ବିରୋଧ‌ରେ ଏନ୍‌ଏସ୍‌ଏ
ଡିଜିପି ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଏପର୍ଯ୍ୟନ୍ତ ୪୮ଟି ନିର୍ବାଚନୀ ହିଂସା ମାମଲା ରୁଜୁ ହୋଇଛି। ସେଥିରୁ ୯ ମାମଲା ଆଚରଣ ବିଧି ଉଲ୍ଲଂଘନକୁ ନେଇ ଓ ବାକି ୩୯ଟି ଗଣ୍ଡଗୋଳ ଓ ହିଂସା ସଂକ୍ରାନ୍ତୀୟ। ଜାନୁଆରି ଆରମ୍ଭରୁ ଏପର୍ଯ୍ୟନ୍ତ ୩୪,୦୦୦ ଜଣଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରାଯାଇଛି। ୪ ହଜାର ପଳାତକଙ୍କ ବିରୋଧରେ ଲଟ୍‌କା ଜାରି କରାଯାଇଛି। ପଳାତକଙ୍କ ମଧ୍ୟରୁ ୧୦୦୦ ଜଣଙ୍କୁ ଗିରଫ କରାଯାଇଛି। ୫୦,୮୪୯ ବିଶୃଙ୍ଖଳାକାରୀ ଆତ୍ମସମର୍ପଣ କରିଛନ୍ତି ଓ ୪୨,୬୫୪ଜଣ ଅଣ୍ଡରଟେକିଂ ଦେଇଛନ୍ତି। ଭୁବନେଶ୍ୱର ଓ କଟକରେ ୩ ଜଣଙ୍କୁ ତଡ଼ିପାର କରାଯାଇଛି। ୧୧ ଜଣଙ୍କୁ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ)ରେ ବୁକ୍‌ କରାଯାଇଛି। ୨୩୬ ଜଣଙ୍କଠାରୁ ୧୧୩ କାଟ୍ରିଜ୍‌, ୧୧୯ ବୋମା, ୧୫୩୨ ବିସ୍ଫୋରକ ଆଦି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେହିପରି ୩ ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି ଏବଂ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି। ୨୫,୧୬୪ ଏନ୍‌ଡିପିଏସ୍‌ ମାମଲାରେ ୧୨୧୭ ନିଶା ବ୍ୟବାସାୟୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୬ ଲକ୍ଷ ୪୧ ହଜାର ଲିଟର ମଦ, ୮୩୯ ହଜାର କୁଇଣ୍ଟାଲ୍‌ ଗଞ୍ଜେଇ, ୫ କେଜି ବ୍ରାଉନ୍‌ସୁଗାର ଜବତ କରାଯାଇଛି। ୫୦୦୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ନଗଦ ୫.୬୮ କୋଟି ଟଙ୍କା ଓ ସମୁଦାୟ ୮୭ କୋଟିର ନିଶାଦ୍ରବ୍ୟ ଜବତ କରାଯାଇଛି। ସେହିଭଳି ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ପୋଷ୍ଟ ଓ ମନ୍ତବ୍ୟକୁ ନେଇ ୧୩୧ଟି ଅଭିଯୋଗ ହୋଇଛି ଏବଂ ୩୭୧ଟି କଣ୍ଟେଣ୍ଟକୁ ହଟାଇଦିଆଯାଇଛି। ଏହାକୁ ନେଇ ୫ଟି ମାମଲା ରୁଜୁ ହୋଇଛି ଏବଂ ଜଣଙ୍କୁ ଗିରଫ କରାଯାଇଛି। ୬୮୨ଟି ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ ଉପରେ ନଜର ରଖାଯାଇଛି।