ଆଗୁଆ ପଦକ୍ଷେପ ନେଇ ଅପରାଧୀଙ୍କୁ ଗିରଫ ନ କଲେ ହିଂସା ବନ୍ଦ ହେବନି: କଂଗ୍ରେସ

ଭୁବନେଶ୍ବର : ଶାସକ ବିଜୁ ଜନତା ଦଳର ନେତାମାନେ ପୁଲିସର ସହଯୋଗରେ ଅପରାଧୀମାନଙ୍କୁ ଧରି ବୁଥ୍ ଜବରଦଖଲ କରୁଛନ୍ତି। ପ୍ରତିବାଦ କଲେ ବିରୋଧୀ ଦଳର କର୍ମୀମାନଙ୍କୁ ଲହୁଲୁହାଣ କରି ଆକ୍ରମଣ କରାଯାଉଛି। ଯଦି ପୁଲିସ ଆଗୁଆ ପଦକ୍ଷେପ ନେଇ ଏହି ଅପରାଧୀମାନଙ୍କୁ ଗିରଫ ନ କରେ ତାହାହେଲେ ହିଂସାକୁ ରୋକି ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇଛି କଂଗ୍ରେସ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ବଲାଙ୍ଗୀର ଜିଲ୍ଳା ଅନ୍ତର୍ଗତ ଦେଓଗାଁ ଓ ବଲାଙ୍ଗୀର ବ୍ଲକରେ କେତେକ ଅପରାଧୀ ଓ ଜମି ମାଫିଆମାନେ ବିଜେଡି ସମର୍ଥିତ ସମିତି ସଭ୍ୟ, ସରପଂଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଜନସାଧାରଣଙ୍କୁ ଭୟଭୀତ କରୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ରାଜକନିକା ବ୍ଲକର ହାବଳଗଣ୍ଡ ଗ୍ରାମରେ ବୁଥ୍ ଜବରଦଖଲ କରାଯାଇଛି। ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଲକର ପାଟଣା ୟୁଜିଏମଇ ସ୍କୁଲରେ ପୁଲିସ ଓ ପୋଲିଂ ଅଧିକାରୀଙ୍କ ସାହାଯ୍ୟରେ ବୁଥ ଜବରଦଖଲ ହୋଇଛି। ଭଦ୍ରକ ଜିଲ୍ଳା ଅଧୀନ ଚାନ୍ଦବାଲି ବ୍ଲକର ହଳଦିଆ ଗ୍ରାମରେ ବୁଥ ଜବରଦଖଲର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ ଓ ପୁନଃ ନିର୍ବାଚନ ଘୋଷଣା ପାଇଁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପ୍ରତିନିଧି ଦଳରେ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର, ଏଆଇସିସି ସଭ୍ୟ ଶାନ୍ତନୁ ସାହୁ ଓ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ କମିସନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର