ଜଳେଶ୍ୱର: ନିଜ ଘର କଥା ତ ମନ୍ତ୍ରୀ ସମ୍ଭାଳି ପାରୁନାହାନ୍ତି, ଜିଲ୍ଲା ସଂଗଠନ ବୁଝିବେ କଣ? ଜଳେଶ୍ବରଠୁ ସିମୁଳିଆ; ସବୁ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଓ ବିଦ୍ରୋହର ନିଆଁ। ଦଳ ଭିତରେ ଖାଲି ସମାନ୍ତରାଳ ଗୋଷ୍ଠୀ ମୁଣ୍ଡ ଟେକିନାହାନ୍ତି, ନେତୃତ୍ବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅନୁଗତ ବିଦ୍ରୋହୀ ଗୋଷ୍ଠୀ। ଯେଉଁମାନେ ପଦୁଟିଏ କହିବାକୁ ସାହସ କରୁନଥିଲେ, ସବୁ କଥା​ରେ ହଁ ଭରୁଥିଲେ; ଏବେ ସେମାନେ ଆଖିକୁ ଆଖି ମିଳାଇ ଯୁଦ୍ଧଂ ଦେହି ଡାକରା ଦେଲେଣି। ନିଜ ନିର୍ବାଚନମଣ୍ଡଳୀ ଜଳେଶ୍ବରରେ ଏମିତି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ଅବକାରୀ, ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର।
ବାଲେଶ୍ବର ଜିଲ୍ଲାରେ ଶାସକ ବିଜେଡିର ସବୁଠୁ ଟାଣୁଆ ନେତା ହେଉଛନ୍ତି ଅଶ୍ବିନୀ। ଏବେ ତାଙ୍କ ମୁଣ୍ଡ ଉପରେ ଜିଲ୍ଲା ସଙ୍ଗଠନର ଗୁରୁଦାୟିତ୍ବ। ଜଳେଶ୍ବରରୁ ଚାରିଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅଶ୍ବିନୀଙ୍କୁ ଗଲା ବର୍ଷେ ଧରି ନିଜ ଦଳରୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡୁଛି। ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଠିକାଦାରୀ, ବାଲିମାଫିଆଙ୍କୁ ଅନୁକମ୍ପା, ଉନ୍ନୟନମୂଳକ କାମରେ ବ୍ୟାପକ ଦୁର୍ନୀତି, ମନ୍ତ୍ରୀ ଥିବା ସତ୍ତ୍ବେ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ବିକାଶ କାମ ନ ହୋଇପାରିବା ଆଦିକୁ ପ୍ରସଙ୍ଗ କରିଛନ୍ତି ନିଜ ଦଳର ନେତା ଓ କର୍ମୀ।
ମନ୍ତ୍ରୀଙ୍କ ଦୁର୍ବଳ ଲୋକସଂପର୍କ, ଏକପାଖିଆ ତଥା ପାତରଅନ୍ତର ବ୍ୟବହାରରେ ଅତିଷ୍ଠ ହୋଇ ନିଜ ଦଳର ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ଷଣ୍ଢୁଆସି ଭଳି ଅଶ୍ବିନୀଙ୍କୁ ଘେରୁଛନ୍ତି। ସବୁଠୁ ବଡ଼ କଥା ହେଲା, ଅସନ୍ତୁଷ୍ଟ କର୍ମୀ ଏତେ ସଙ୍ଗଠିତ ଯେ, ସେମାନଙ୍କୁ ସାମ୍ନା କରିବା ଦୂରେ ଥାଉ, ବରଂ ଅନେକ ଜାଗାରେ ଅପଦସ୍ଥ ହେଉଛନ୍ତି ଅଶ୍ବିନୀ। ଜଳେଶ୍ବର ବିଜେଡିର କେତେକ ଛାମୁଆ ନେତା ବର୍ତ୍ତମାନ ବିଦ୍ରୋହ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ଅଶ୍ବିନୀଙ୍କ ପାଇଁ ଖାଲି ବିପଦ ବଢ଼ିନାହିଁ, ବରଂ ପୂରା ନିର୍ବାଚନମଣ୍ଡଳୀର ବାତାବରଣକୁ ସରଗରମ୍ କରିଛି।
ଅଶ୍ବିନୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି ପ୍ରାକ୍ତନ ବ୍ଲକ୍ ଉପାଧ୍ୟକ୍ଷ ତଥା ଏବର ନଛିମପୁର ପଞ୍ଚାୟତ ସମିତିସଭ୍ୟ ବ୍ରଜମୋହନ ପ୍ରଧାନ, ପୂର୍ବତନ ବିଜେଡି ବ୍ଲକ୍ ସଭାପତି ଭୂପତି ମିର୍ଦ୍ଧା, ବିଜୁ ଯୁବବାହିନୀର ପୂର୍ବତନ ବ୍ଲକ୍ ସଂଯୋଜକ କାଳୀଚରଣ ଦାସ, ପୂର୍ବତନ ସରପଞ୍ଚ ସତ୍ୟଶୋଭନ ମିଶ୍ର, ସୁଧୀର ପାତ୍ର, ରାସବିହାରୀ ରଣା, ଚନ୍ଦନ କର, ରାଜେଶ ଜେନା, ରାଜେନ୍ଦ୍ର ପାତ୍ର, ଶ୍ରୀକଣ୍ଠ ମହାନ୍ତି, ଦୁର୍ଗାଶଙ୍କର ଭୂୟାଁ, ରବୀନ୍ଦ୍ର ଗିରି, ରବୀନ୍ଦ୍ର ବେହେରାଙ୍କ ଭଳି କେତେକ ନେତା ଓ କର୍ମୀ। ଗଲା ୧୦ ତାରିଖ ରବିବାର ଜଳେଶ୍ୱର ବ୍ଲକ୍ ଗୋବରଘାଟା ପଞ୍ଚାୟତ ସରପଞ୍ଚ ମିନତି କରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଥିଲା ଅସନ୍ତୁଷ୍ଟ ବିଜେଡିର କର୍ମୀ ସମାବେଶ। ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମୀ ସମାବେଶରେ ଜଳେଶ୍ୱର ନିର୍ବାଚନମଣ୍ଡଳୀର ୪୯ଟି ପଞ୍ଚାୟତ ଓ ଜଳେଶ୍ୱର ପୌରାଞ୍ଚଳର ୧୭ଟି ୱାର୍ଡରୁ ପାଖାପାଖି ସାଢ଼େ ୬ ଶହରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କେମିତି ଦଳର ପୁରୁଖା କର୍ମୀଙ୍କୁ ଅବହେଳା କରୁଛନ୍ତି ଓ ପ୍ରତିବାଦ କଲେ ନାଲି ଆଖି ଦେଖାଉଛନ୍ତି; ସେସଂପର୍କରେ କ୍ଷୋଭ ଜାହିର କରିଥିଲେ। କେବଳ ସେତିକି ନୁହେଁ, ୨୦୨୪ ନିର୍ବାଚନରେ ଜଳେଶ୍ୱରରେ ନେତୃତ୍ବ ପରିବର୍ତ୍ତନ ପାଇଁ ଶ୍ରୀ ପ୍ରଧାନଙ୍କ ସହିତ ଭୂପତି ମିର୍ଦ୍ଧା, ସୁଧୀର ପାତ୍ର, ସତ୍ୟଶୋଭନ ମିଶ୍ର, ଯୁବନେତା କାଳୀଚରଣ ଦାସ, ରାସବିହାରୀ ରଣା, ଚନ୍ଦନ କର, ରାଜେଶ ଜେନା, ରାଜେନ୍ଦ୍ର ପାତ୍ର, ଶ୍ରୀକଣ୍ଠ ମହାନ୍ତି, ଦୁର୍ଗା ଶଙ୍କର ଭୂୟାଁ, ରବୀନ୍ଦ୍ର ଗିରି, ରବୀନ୍ଦ୍ର ବେହେରା ପ୍ରମୁଖ ନେତାମାନେ ନିଜ ଦାବିକୁ ଶାଣିତ କରିଥିଲେ।
ନିଜ ନିର୍ବାଚନମଣ୍ଡଳୀ ଭିତରୁ ଅଶ୍ବିନୀଙ୍କ ବିରୋଧରେ ଏଭଳି ରଣ ହୁଙ୍କାର ୨୦୨୨ ମସିହା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରୁ ଆରମ୍ଭ ହୋଇଥିଲା। ଅଶ୍ବିନୀ ତାଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ମାନସ କୁମାର ଜେନାଙ୍କୁ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସବୁଜ ସଙ୍କେତ ଦେବା ପରେ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅନ୍ୟତମ ଦାବିଦାର ବ୍ରଜମୋହନ ପ୍ରଧାନ ଏହାକୁ ଚ୍ୟାଲେଞ୍ଜ କରି ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢ଼ିଥିଲେ। ତେବେ ଅଶ୍ବିନୀଙ୍କ ଗୋଟି ଚାଳନାରେ ମାନସ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବ୍ରଜମୋହନ ସେବେଠାରୁ କ୍ଷୁବ୍ଧ ଅଛନ୍ତି। ବ୍ରଜମୋହନଙ୍କ ନେତୃତ୍ବରେ ଭିନ୍ନଭିନ୍ନ ସ୍ଥାନରେ ଦଳୀୟ ବ୍ୟାନରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ତେବେ କୌତୂହଳର ବିଷୟ ହେଉଛି, ମନ୍ତ୍ରୀ ଯେଉଁଠି ସଭାସମିତି କରୁଛନ୍ତି, ତାକୁ ବିରୋଧ କରି ମାତ୍ର କିଛି ଦୂରତା ମଧ୍ୟରେ ବ୍ରଜମୋହନଙ୍କ ଗୋଷ୍ଠୀ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ୨୦୨୩ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ଜଳେଶ୍ବର ଟାଉନହଲ୍ ପଡ଼ିଆରେ ମନ୍ତ୍ରୀ ଶ୍ରୀ ପାତ୍ର କର୍ମୀ ସମାବେଶ କରିଥିବା ବେଳେ ସେଠାରୁ ଅଳ୍ପ ଦୂର କାଳୀକପୁରଠାରେ ବ୍ରଜମୋହନ ସହସ୍ର ସଂଖ୍ୟାରେ ଲୋକଙ୍କୁ ଆଣି କରିଥିଲେ ଶକ୍ତି ପ୍ରଦର୍ଶନ। ସେହିପରି ୨୦୨୩ ଏପ୍ରିଲ ୧୭ ତାରିଖ ବିଜୁ ବାବୁଙ୍କ ତିରୋଧାନ ଦିବସରେ ମନ୍ତ୍ରୀ ଶ୍ରୀ ପାତ୍ର କାଳୀକପୁରରେ ସଭା କରିଥିବା ବେଳେ ବ୍ରଜମୋହନଙ୍କ ଗୋଷ୍ଠୀ ଶାଳିକୋଠାରେ ସମାବେଶ କରି କଡ଼ା ଟକ୍କର ଦେଇଥିଲେ। ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିଥିଲେ ବ୍ରଜମୋହନଙ୍କ ଗୋଷ୍ଠୀ। ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେଇ ଚାଲିଛନ୍ତି ବିରୋଧୀ। ଏହାକୁ ପ୍ରତିହତ କରିବା ପାଇଁ ଦଳ ତରଫରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସମ୍ଭବତଃ ଏହା ହିଁ ଅଶ୍ବିନୀଙ୍କ ବିରୋଧୀଙ୍କୁ ଉତ୍ସାହିତ କରୁଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଚାଲିଛି। ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମତାମତ ନେବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ବ୍ୟସ୍ତ ଥିବା ଦର୍ଶାଇ କିଛି ପ୍ରତିକ୍ରିୟା ରଖି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/65sf4h654sfhfhssfh.jpg)