ସ୍ବର୍ଗଦ୍ବାରରେ ଭିଆଇପି ପିଣ୍ଡି: ୨୮ରୁ ବଡ଼ବଡ଼ିଆଙ୍କ ସେବାରେ ୪, ମାଡ଼ି ବସିଛନ୍ତି ସେବାୟତ, ବଡ଼ବଡ଼ିଆ

ସ୍ବର୍ଗଦ୍ବାରରେ ଭିଆଇପି ପିଣ୍ଡି: ୨୮ରୁ ବଡ଼ବଡ଼ିଆଙ୍କ ସେବାରେ ୪, ମାଡ଼ି ବସିଛନ୍ତି ସେବାୟତ, ବଡ଼ବଡ଼ିଆ

ପୁରୀ : ସର୍ବସାଧାରଣଙ୍କ ସେବାରେ ଥିବା ସ୍ବର୍ଗଦ୍ବାରକୁ ବଡ଼ବଡ଼ିଆଙ୍କ ସେବାରେ ଲଗାଯାଉଥିବା ଗୁରୁତର ଅଭିଯୋଗ ହୋଇଛି। ଏଥିପାଇଁ ନିର୍ଦ୍ଦିଷ୍ଟ ପିଣ୍ଡି ସଂରକ୍ଷିତ ରଖାଯାଉଥିବା ଅଭିଯୋଗ ହୋଇଛି। ଯେଉଁଥିରେ ବଡ଼ବଡ଼ିଆଙ୍କ ସହ ସେବାୟତଙ୍କ ପରିବାରର ମରଶରୀର ଦାହ କରାଯାଉଥିବା ଅଭିଯୋଗ ହୋଇଛି। ସ୍ବର୍ଗଦ୍ବାର ଭଳି ଜାଗାରେ ଏଭଳି ପାତରଅନ୍ତରକୁ ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ମହଲରୁ ବିରୋଧ କରାଯାଇଛି।

ବର୍ତ୍ତମାନ ସ୍ବର୍ଗଦ୍ବାରର ୨୮ଟି ପିଣ୍ଡିରୁ ୨୪ଟି ପିଣ୍ଡିରେ ପ୍ରାୟ ନିୟମିତ ଶବଦାହ କରାଯାଉଛି। ସମୁଦ୍ର ପାର୍ଶ୍ବକୁ ଥିବା ୪ଟି ପିଣ୍ଡି (୨୬, ୨୭, ୨୮ ଓ ୨୯)ରେ ଶବଦାହ କରାଯାଉନି। ଯେଉଁ ୨୪ଟି ପିଣ୍ଡିରେ ଶବଦାହ କରାଯାଉଛି, ସେଥିରୁ ୨୧, ୨୨, ୨୩ ଓ ୨୪ ନମ୍ବର ପିଣ୍ଡି ସେବାୟତ ଓ ବଡ଼ବଡ଼ିଆଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକେ କେହି ଯଦି ଏହି ଜାଗାରେ ଶବଦାହ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମନା କରାଯାଉଥିବା ଅଭିଯୋଗ ହୋଇଛି।

publive-image

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମିଳିଥିବା ଅନୁଦାନରେ ସ୍ବର୍ଗଦ୍ବାରର ପୁନରୁଦ୍ଧାର ପରେ ଶବଦାହ ଆରମ୍ଭ ସମୟରେ ସେବାୟତମାନେ ସେମାନଙ୍କ ପାଇଁ ପିଣ୍ଡି ସଂରକ୍ଷଣ ପାଇଁ ଦାବି କରିଥିଲେ। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରି ଦାବି ପୂରଣ ପାଇଁ ଜିଦ୍‌ ଧରିଥିଲେ। ସେବାୟତ ପରିବାରରୁ ଶବଦାହ ପାଇଁ ଆସୁଥିବା ଶବ ସ୍ବର୍ଗଦ୍ବାରରେ ଅପେକ୍ଷା କରିବା ପରମ୍ପରା ବିରୋଧୀ ବୋଲି ଅଭିଯୋଗ କରିଥିଲେ। କିନ୍ତୁ, ସ୍ବର୍ଗଦ୍ବାରରେ ସେଭଳି ବ୍ୟବସ୍ଥା କରାଯାଇପାରିବ ନାହିଁ ବୋଲି ସ୍ବର୍ଗଦ୍ବାର ସେବା ସମିତି ସିଧାସଳଖ ମନା କରି ଦେଇଥିଲା। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ବର୍ଗଦ୍ବାରରେ ଏଭଳି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରାଯାଇଥିଲା। ତଥାପି ରାଜ୍ୟସ୍ତରର ପଦସ୍ଥ ଅଧିକାରୀଙ୍କୁ ଚାପ ପକାଇ, ସେବାୟତମାନେ ସ୍ବର୍ଗଦ୍ବାରର ପିଣ୍ଡି ହାତେଇବାରେ ସଫଳ ହୋଇଛନ୍ତି। ବିଶେଷକରି ୨୩ ଓ ୨୪ ନମ୍ବର ପିଣ୍ଡିରେ ସେବାୟତ ଓ ବଡ଼ବଡ଼ିଆଙ୍କ ଶବଦାହ କରାଯାଉଥିବା ଅଭିଯୋଗ ହୋଇଛି।

ଏସମ୍ପର୍କରେ ସ୍ବର୍ଗଦ୍ବାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ପଚାରିବାରୁ ସେ ସ୍ବର୍ଗଦ୍ବାରରେ ସେବାୟତ, ବଡ଼ବଡ଼ିଆଙ୍କ ପାଇଁ ପିଣ୍ଡି ସଂରକ୍ଷଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି, ସମୁଦ୍ର ଆଡ଼କୁ ଯେଉଁ ୪ ପିଣ୍ଡି(୨୬, ୨୭, ୨୮ ଓ ୨୯ ) ରହିଛି, ସେଥିରେ ଶବଦାହ କରାଯାଉନି। କାରଣ ସମୁଦ୍ର ପାର୍ଶ୍ବରୁ ପବନ ବେଗ ଅଧିକ ରହୁଛି। ଫଳରେ, ନିଆଁ ଉଡ଼ୁଛି ଓ ଲୋକେ ଶବଦାହ କରି ପାରୁନାହ‌ାନ୍ତି। ବାକି ପିଣ୍ଡିରେ ଶବଦାହ କରାଯାଉଛି। କିନ୍ତୁ ଶବଦାହ ବେଳେ ଛାଡ଼ି ଛାଡ଼ି କରିବାକୁ ପଡ଼ୁଛି। ନିଆଁର ଧାସ ବାଜୁଥିବାରୁ ଶବଦାହ କରୁଥିବା ବ୍ୟକ୍ତିମାନେ ଅସୁବିଧା ଭୋଗୁଛନ୍ତି। ବାକି ସେଭଳି ପିଣ୍ଡି ସଂରକ୍ଷଣର ଅଭିଯୋଗରେ ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗଦ୍ବାରର ସମ୍ପୂର୍ଣ୍ଣ ଦେଖାରଖା ଏବେ ସ୍ବର୍ଗଦ୍ବାର ସେବା ସମିତି କରୁଛି। ୯ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ସମିତିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି। ସେହିଭଳି ଉପଜିଲ୍ଲାପାଳ ଆବାହକ ସଂପାଦକ ରହିଛନ୍ତି। ପୁରୀ ଏସ୍‌ପି, ପୁରୀ ପୌର ନିର୍ବାହୀ ଅଧିକାରୀ, ‌ଜିଲ୍ଲା ଟ୍ରେଜେରି ଅଧିକାରୀ, ଓଡ଼ିଶା ବନ ନିଗମର ପ୍ରବନ୍ଧକଙ୍କ ସମେତ ସମାଜର ବିଭିନ୍ନ ବର୍ଗରୁ ୩ଜଣ ଜଣାଶୁଣା ବ୍ୟକ୍ତିତ୍ବଙ୍କୁ ପରିଚାଳନା କମିଟି ସଦସ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe