ଭୁବନେଶ୍ୱର: ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’। ଯେଉଁ ସଂସ୍କୃତିରେ ମାଆକୁ ସ୍ୱର୍ଗଠାରୁ ବି ଉଚ୍ଚ ବୋଲି ବିବେଚନା କରାଯାଏ ସେହି ମାଟିରେ ଜଣେ ପୁଅ ନିଜର ଜନ୍ମକଲା ମାଆକୁ ଗୋଇଠା ମାରୁଥିବା କଥା ସଂସ୍କୃତିକୁ ପରିହାସ କରୁଛି। ନିକଟରେ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଭିଡିଓଟିକୁ ଆପଣ ଦେଖି ଥିବେ ହୁଏତ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ବୃଦ୍ଧାଙ୍କୁ ତାଙ୍କର ମଧ୍ୟ ବୟସ୍କ ପୁଅ ଗୋଇଠା ଉପରେ ଗୋଇଠା ମାରି ଚାଲିଛନ୍ତି।
ସେହି ଭିଡିଓରେ ଦୃଶ୍ୟମାନ ହେଉଥିବା ବୃଦ୍ଧାଙ୍କ ସହ ‘କନକ ନ୍ୟୁଜ୍’ର ଏକ ଟିମ୍ ଯାଇ କଥା ହୋଇଥିଲେ। ସାକ୍ଷାତ୍କାରରେ ବୃଦ୍ଧା ଜଣକ ଯେପରି ମତ ରଖିଛନ୍ତି ତାହା ଆହୁରି ଦୁଃଖଦାୟକ। ଏତେ ସବୁ ପରେ ବି ପୁଅ ମୁଣ୍ଡରୁ ହଟିନି ମାଆର ସ୍ନେହପୂର୍ଣ୍ଣ ହାତ। ଘରକୁ ଆସିଥିବା ନବବଧୂକୁ ଆଡୁସାଡୁ କହି ଦେଲି ବୋଲି ଟିକେ ରାଗରେ ଆସି ସେ ଏମିତି କରିଦେଲା ବୋଲି ପୁଅ ସପକ୍ଷରେ ବୟାନ ରଖିଛନ୍ତି ମାଆ। ସେ ଜୋର୍ ମାରିନି, ଜୋର୍ ମାରିଥିଲେ ମୋ ଶରୀରରେ କ୍ଷତ ଥାଆନ୍ତା ବୋଲି ପୁଅକୁ ସମର୍ଥନ କରି ବୃଢ଼ୀ ମାଆ ଜଣକ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସଫେଇ ଦେଇଛନ୍ତି। ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଥାନାର ବଇତିପଡ଼ର ଗ୍ରାମର। ବସ୍ତା ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁତ୍ରକୁ ଗିରଫ କରିଛି। ଆର୍ଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।
ଉଲ୍ଲେଖଯୋଗ୍ୟ, ପାରିବାରିକ କଳହରୁ ମାଆ ପୁଅଙ୍କ ମଧ୍ୟରେ ମନାନ୍ତର ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ଭିଡିଓଟିରେ। ସେଥିରେ ବୃଦ୍ଧା ଜଣକ ନିଜ ପୁଅ ଉପରେ କୁଭାଷା ପ୍ରୟୋଗ କରୁଥିବାର ଦେଖିବାକୁ ମିଳିଥିଲା। ବୃଦ୍ଧାଙ୍କର ପୁତ୍ର ଅତିଶୟ ହୋଇ ନିଜ ଉପରୁ ଆୟତ୍ତ ହରାଇ ନିଜ ଜନ୍ମକଲା ମାଆ ସହ ଏପରି ଘୃଣ୍ୟ ଆଚରଣ କରୁଥିବା ଏହି ଭିଡିଓଟି ଚାରିଆଡ଼େ ଖେଳି ଯାଇଛି।
ନିକଟରେ ଜଣେ ବୋହୂ ତାଙ୍କ ଶାଶୂଙ୍କୁ ଏକ କାଠ ଫାଳିଆରେ ପିଟୁଥିବାର ଦୃଶ୍ୟ ଆପଣ ଗଣମାଧ୍ୟମରେ ଦେଖିଥିବେ ନିଶ୍ଚୟ। ଏଭଳି ଘଟଣା ରାଜ୍ୟରେ ପ୍ରଥମ ନୁହେଁ। ପାରିବାରିକ କଳହକୁ ନେଇ ନିଜ ବାପାମାଆଙ୍କ ପ୍ରତି ପଶୁ ପରି ଆଚରଣ ଆପଣଉ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Untitled-1-copy-4.jpg)