ହସ୍ପିଟାଲ୍ କର୍ମଚାରୀ ମାଷ୍ଟରମାଇଣ୍ଡ, କ୍ରାଇମ୍ବ୍ରାଞ୍ଚରେ ପୀଡ଼ିତାର ସ୍ୱାମୀଙ୍କ ଏତଲା
କଟକ : ଶିଶୁଭବନକୁ ଶିଶୁକନ୍ୟାର ଚିକିତ୍ସା ପାଇଁ ଆସି ଫସିଛନ୍ତି ଜଣେ ଶିଶୁର ମା’। ଶିଶୁଭବନରେ କାର୍ଯ୍ୟରତ ଜଣେ ଯୁବ କର୍ମଚାରୀ ସମ୍ପୃକ୍ତ ମହିଳାଙ୍କ ଫଟୋ ସଫଟଓୟାର ମାଧ୍ୟମରେ ଏଡିଟ୍ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେଇଛନ୍ତି । ଗଲା ପ୍ରାୟ ଏକ ବର୍ଷ ହେବ ସମ୍ପୃକ୍ତ କର୍ମଚାରୀ ଅଶ୍ଳୀଳ ଫଟୋ ଭାଇରାଲ୍ କରୁଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ସମୟରେ ବ୍ଲାକ୍ମେଲ କରିବା ଏବଂ ଧମକଚମକ ଦେଉଥିବା ସଂକ୍ରାନ୍ତରେ କ୍ରାଇମ୍ବ୍ରାଞ୍ଚର ସାଇବର ସେଲ୍ରେ ଆଜି ଲିଖିତ ଅଭିଯୋଗ ହୋଇଛି । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ ୨୦୧୭, ଜାନୁଆରିରେ ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଶିଶୁକନ୍ୟାର ଦେହ ଭୀଷଣ ଖରାପ ହେବାରୁ ସେ ଓ ତାଙ୍କ ସ୍ତ୍ରୀ ଶିଶୁକୁ ନେଇ କଟକ ଶିଶୁଭବନ ଆସିଥିଲେ । ଏଠି ଚିକିତ୍ସିତ ହେଉଥିବା ବେଳେ ଶିଶୁଭବନରେ ଅକ୍ସିଜେନ୍ ଗ୍ୟାସ୍ ଫିଲିଂ କରୁଥିବା ଜଣେ କର୍ମଚାରୀଙ୍କ ସହିତ ସେମାନଙ୍କର ସମ୍ପର୍କ ହୋଇଥିଲା । ଭଦ୍ରକର ଉକ୍ତ ବ୍ୟକ୍ତି ଏବଂ ଶିଶୁଭବନର କର୍ମଚାରୀଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ଦେବା ନେବା ହୋଇଥିଲା । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଭଲ ହେବା ପରେ ସେମାନେ ଭଦ୍ରକ ଫେରିଯାଇଥିଲେ। କିନ୍ତୁ ଫେବ୍ରୁଆରିରେ ପୁଣି ଭଦ୍ରକର ଉକ୍ତ ବ୍ୟକ୍ତି କୌଣସି କାର୍ଯ୍ୟରେ ଶିଶୁଭବନ ଆସିଥିଲେ। କିନ୍ତୁ ଭୁଲ ବଶତ ନିଜ ମୋବାଇଲ୍ ଫୋନ୍ ହସ୍ପିଟାଲ୍ ପରିସରରେ ଛାଡ଼ି ଦେଇଯାଇଥିଲେ । ଫୋନ ଆଣିବାକୁ ଭୁଲିଯାଇଥିବାରୁ ଆଉ ଏକ ନମ୍ବରରେ ଶିଶୁଭବନର ଉକ୍ତ କର୍ମଚାରୀଙ୍କୁ ଫୋନ୍ଟି ସଂଗ୍ରହ କରିବାକୁ କହିଥିଲେ। ମୋବାଇଲ ଫୋନ୍କୁ ତାଙ୍କ ଭଦ୍ରକ ଘରେ ଆଣି ଦେଇଯିବାକୁ ଶିଶୁଭବନର ଉକ୍ତ କର୍ମଚାରୀଙ୍କୁ ଅନୁରୋଧ କରିିଥିଲେ ।
କର୍ମଚାରୀ ଜଣକ ଫୋନ୍ ନେଇ ଭଦ୍ରକ ଯାଇଥିଲେ ଏବଂ ଏକ ହୋଟେଲ୍ ରହି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ହୋଟେଲ୍କୁ ଡାକି ଫୋନ୍ ନେଇଯିବାକୁ କହିଥିଲେ। ମହିଳା ଜଣକ ସେଠାକୁ ଯାଇଥିଲେ ବି ହୋଟେଲ୍ ଭିତରକୁ ଯିବାକୁ ମନା କରିଦେଇଥିଲେ । ଫଳରେ ଶିଶୁଭବନର ଉକ୍ତ କର୍ମଚାରୀ ବାହାରକୁ ଆସି ସମ୍ପୃକ୍ତ ମହିଳାଙ୍କ ଆଉ ଏକ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ଛଡ଼ାଇନେଇଥିଲେ। ତାଙ୍କ ଅଶ୍ଳୀଳ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ। କିନ୍ତୁ ମହିଳା ଜଣକ ତାଙ୍କ କଥା ନ ଶୁଣିବାରୁ ସେ ପରବର୍ତ୍ତୀ ସମୟରେ ଧମକ ଅନୁଯାୟୀ କାମ କରିବା ଆରମ୍ଭ କରିଥିଲେ। ମୋବାଇଲ୍ରୁ ଫଟୋ ସଂଗ୍ରହ କରି ତାକୁ ଏଡିଟ କରିବା ପରେ ଫେସ୍ବୁକ ଏବଂ ହ୍ଵାଟସ୍ଆପ୍ରେ ଭାଇରାଲ୍ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ କେତେଜଣ ବନ୍ଧୁ ତାହାକୁ ଦେଖିବା ପରେ ତାଙ୍କୁ ଖବର ଦେଇଥିଲେ। ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ସେ ଶିଶୁଭବନରେ ଛାଡ଼ି ଆସିଥିବା ମୋବାଇଲ୍ ଫୋନ୍ରୁ ଫଟୋ ସଂଗ୍ରହ କରି ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ଭାଇରାଲ୍ କରିଥିଲେ । ତାଙ୍କୁ ଫୋନ୍ରେ ବିରୋଧ କରିବାରୁ ସମ୍ପୃକ୍ତ କର୍ମଚାରୀ ଜଣକ ଫୋନ୍ରେ ଧମକ ଦେବା ସହିତ ଜୀବନ ପ୍ରତି ବିପଦ ଥିବା ଭୟ ଦେଖାଇଥିଲେ । ଏଭଳି ବାରମ୍ବାର ଘଟିବାରୁ ଆଜି ପୀଡ଼ିତା ମହିଳାଙ୍କ ସ୍ୱାମୀ କଟକ ବକ୍ସିବଜାରସ୍ଥିତ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତୁରନ୍ତ ସୋସିଆଲ୍ ମିଡ଼ିଆରୁ ଉକ୍ତ ଫଟୋ ହଟାଇବାକୁ ଅନୁରୋଧ କରିଛନ୍ତି ।