ବୈଜୟନ୍ତଙ୍କୁ ଦାମଙ୍କ ସମାଲୋଚନା : ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ବର : କିଛି ଦିନ ଧରି ବିଜେଡି ଉପରେ ବର୍ଷୁଥିବା ବରିଷ୍ଠ ନେତା ଦାମ ରାଉତଙ୍କ ତୁଣ୍ଡରେ ଲଗାମ ଲାଗୁନି। ଏଥର ତାଙ୍କ ଟାର୍ଗେଟ୍‌ ହୋଇଛନ୍ତି ତାଙ୍କର ସହଯୋଗୀ ବୋଲି କୁହାଯାଉଥିବା ବୈଜୟନ୍ତ ପଣ୍ଡା। ଏ ନେଇ ଏକ ନ୍ୟୁଜ୍ ପୋର୍ଟାଲ୍‌ର ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବୈଜୟନ୍ତଙ୍କୁ ଦାମ ସମା‌ଲୋଚନା କରୁଥିବାର ଦେଖିବାକୁ ମିଳିଛି।

ଦାମ କହିଛନ୍ତି, ବୈଜୟନ୍ତଙ୍କର ଅବସ୍ଥା ସବୁ ବେପାରୀ ଘରେ ଯାହା ହୁଏ ସେଇଆ। ସେ ଏବେ ଚା’ ଦୋକାନରେ ବସି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ଆଗୁଆ ଲୋକ ପଠାଇ ବନ୍ଦୋବସ୍ତ କରୁଛନ୍ତି। ତାହା ଉପରେ ଖୋଲା ଗାଡ଼ିରେ ନିଜେ ଯାଇ ଚା’ ଦୋକାନରେ ଓହ୍ଲାଉଛନ୍ତି। ୬୦/୭୦ ଲୋକଙ୍କୁ ଏକାଠି କରାଇ ଚା’ ପିଆଉଛନ୍ତି। କିନ୍ତୁ ଏଥିରେ ରାଜନୈତିକ ଦିଗ କିଛି ନାହିଁ। ଏବେ ତ ତାଳଚେରରେ ଅପଦସ୍ଥ ହୋଇ ଫେରିଲେ। ସେମିତି ବାରିପଦା ବୈଠକକୁ ବୈଜୟନ୍ତଙ୍କର ଯିବାର ଥିଲା। ପୂର୍ବ ଦିନ ରାତିରେ ମୋତେ କହିଲେ ବାଲେଶ୍ବରରୁ ସିଧା ବାରିପଦା ଯିବେ ବୋଲି। କିନ୍ତୁ ସକାଳୁ ମୋତେ କୁହାଗଲା ଯେ ବାଟରେ ତାଙ୍କୁ ଝାଡ଼ା ଲାଗିଲା ବୋଲି ସେ ବାଲେଶ୍ବର ଫେରିଗଲେ। ସତ କଥା ହେଉଛି, ସେ ନବୀନ ନନ୍ଦଙ୍କୁ ଦୁଇ ଦିନ ଆଗରୁ ବାରିପଦା ପଠାଇ ସ୍ଥିତି ପରଖିଥିଲେ। ନବୀନ ନନ୍ଦ ତାଙ୍କୁ କହିଲେ ଯେ ଅରୁଣ ସାହୁ ଟୋକା ପଠାଇ ମଞ୍ଚରେ ତାଙ୍କୁ ପ୍ରଶ୍ନ କରିବ। ତାହା ପରେ ଆଉ ବୈଜୟନ୍ତ ଗଲେ ନାହିଁ। ସେ ଲୋକଙ୍କୁ ସାମ୍ନା କରିବା କଥା। ଏମିତି ନ ଗଲେ କେମିତି ହେବ। ସେହିପରି ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ବାର ବନ୍ଦ ବୋଲି ବି ଦାମ ଏଥିରେ କହୁଥିବା ଶୁଣାଯାଉଛି।

ଆଜି ଦିନତମାମ ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଲା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। କାରଣ ବିଜେଡିରୁ ବହିଷ୍କାର ପ‌େର ବୈଜୟନ୍ତ ପ୍ରଥମ ବ୍ୟକ୍ତି ଭାବେ ବହିଷ୍କାରର ପରଦିନ ଦାମଙ୍କ ଘରକୁ ଯାଇଥିଲେ। ଦାମ-ବୈଜୟନ୍ତ ଯୋଡ଼ିକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ଦାମଙ୍କ ସମାଲୋଚନା ସବୁ ଚର୍ଚ୍ଚା, ଆଲୋଚନାକୁ ନୂଆ ମୋଡ଼ ଦେଇଛି।

ସମ୍ବନ୍ଧିତ ଖବର