ପୁଣି ବାଜିରେ ଇଜ୍ଜତ୍‌

ମହାମାରୀ ପରି ବ୍ୟାପୁଛି ଭାଇରାଲ୍‌ ଭିଡିଓ / କାମ ଦେଉନି ପୁଲିସ୍‌ ଆଡ୍‌ଭାଇଜରି

ଭୁବନେଶ୍ୱର : କିଛି ଦିନର ନିରବତା ପରେ ପୁଣି ‘ଭାଇରାଲ୍‌ ଭିଡିଓ’କୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମହାମାରୀ ପରି ବ୍ୟାପିଚାଲିଛି। ମୋବାଇଲ୍‌ରୁ ମୋବାଇଲ୍‌କୁ ଡେଇଁ ଚାଲିଛି। ଚାରି ମାସ ତଳେ ବାରିପଦା, କେନ୍ଦୁଝରରେ ଏପରି ହୋଇଥିଲା। ଏବେ ନୟାଗଡ଼ ଓ କେନ୍ଦ୍ରାପଡ଼ାରେ। ସ୍କୁଲ୍‌, କଲେଜ ଛାତ୍ରୀଙ୍କ ଇଜ୍ଜତ୍‌ ବାଜିରେ ଲାଗିଛି। ଏ ନେଇ ସାରା ରାଜ୍ୟରେ ଅଭିଭାବକମାନେ ଚିନ୍ତାରେ।

ଆଧୁନିକ ଜ୍ଞାନକୌଶଳର ବ୍ୟବହାରରେ ହେଉଥିବା ଏହି ସାଂଘାତିକ ଅପରାଧକୁ ରୋକିବା ଦିଗରେ ପୁଲିସ୍‌ର ବିଫଳତା ସାଧାରଣ ଜନତାଙ୍କୁ ବିବ୍ରତ କରିଦେଉଛି। ଗତ ନଭେମ୍ବର ମାସରେ ବାରିପଦା ଭିଡିଓ ଭାଇରାଲ୍‌ ହେଲା ପରେ ପୁଲିସ୍‌ ସବୁ ମହଲରୁ ନିନ୍ଦିତ ହେଲା। ତାହା ପରେ ଏ ନେଇ ପୁଲିସ୍‌ ମୁଖ୍ୟାଳୟରେ ତତ୍ପରତା ପ୍ରକାଶ ପାଇଲା। ଏଭଳି ଅଭିଯୋଗ ଆସିବା ପରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ରାଜ୍ୟର ସମସ୍ତ ଏସ୍‌ପି ଓ କମିସନରେଟ୍‌ ପୁଲିସ ଡିସିପିମାନଙ୍କୁ ନିର୍ଦେଶ ଦେଲେ। ଭାଇରାଲ୍‌ ଭିଡିଓ ନେଇ ଆଡ୍‌ଭାଇଜରି ବି ଜାରି ହେଲା। କିନ୍ତୁ ଦୁଇ ତିନି ମାସ ନ ପୂରୁଣୁ ପୁଣି ଦୁଇଟି ଜିଲ୍ଲାରେ ସମାନ ଘଟଣା ପୁଲିସର ସକ୍ରିୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ଆଡ୍‌ଭାଇଜରିରେ ପରାମର୍ଶ ଦେବା ସହ ଚେତାବନୀ ବି ଦିଆଯାଇଥିଲା। କାହାର କୌଣସି ବ୍ୟକ୍ତିଗତ ଅନ୍ତରଙ୍ଗ ସମୟର ଫଟୋ କିମ୍ବା ଭିଡିଓ ଜାରି ଉତ୍ତୋଳନ କଲେ ବର୍ଷକରୁ ୩ ବର୍ଷ ଜେଲ୍‌ ଦଣ୍ଡ ହେବ। ଏହା ଛଡ଼ା ଏହି ଭିଡିଓକୁ ଅଧିକରୁ ଅଧିକ ପ୍ରସାରଣ କଲେ କିମ୍ବା ଭାରାଲ କଲେ ୫ରୁ ୭ ବର୍ଷ ଜେଲ୍‌ ଦଣ୍ଡ ହେବ। କାହାର ବ୍ୟକ୍ତିଗତ ଅନ୍ତରଙ୍ଗ ସମୟର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ତୁରନ୍ତ ସେମାନେ ସ୍ଥାନୀୟ ଥାନା କିମ୍ବା ସାଇବର ଥାନାରେ ଅଭିଯୋଗ କରିବାକୁ ଡିଜି ପରାମର୍ଶ ଦେଇଥିଲେ। ଶିକ୍ଷାନୁଷ୍ଠାନଗୁଡିକ ଏ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଗଣମାଧ୍ୟମଗୁଡିକ ମଧ୍ୟ ଏ ଦିଗରେ ସଚେତନ ହେବା ଆବଶ୍ୟକ। ଖବର ପ୍ରସାରଣ ବେଳେ ପୀଡ଼ିତାଙ୍କ ଫଟୋ, ନାଁ କିମ୍ବା ଠିକଣା ପ୍ରକାଶ କରିବା ଉଚିତ ନୁହେଁ ବୋଲି ଡିଜି ସୂଚନା ଦେଇଛନ୍ତି।

ପୁଲିସ୍‌ ପକ୍ଷରୁ ଆଡ୍‌ଭାଇଜରି ଜାରି ହେଲା ସତ। କିନ୍ତୁ ଗଣମାଧ୍ୟମର ଶିରୋନାମାରୁ ବାରିପଦା ଘଟଣା ହଟିଗଲା ପରେ ଆଉ ପୁଲିସ୍‌ ତତ୍ପରତା ପ୍ରକାଶ କଲା ନାହିଁ। ଏ ନେଇ ଆଖିଦୃଶିଆ ଭାବେ ଯେପରି ସଚେତନତା ସୃଷ୍ଟି କରାଯିବା କଥା, ତାହା କରାଗଲା ନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକ ଡିଜିଙ୍କ ଆଡ୍‌ଭାଇଜରି ପ୍ରତି କର୍ଣ୍ଣପାତ କଲେ ନାହିଁ। ଏ ନେଇ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଗଲା ନାହିଁ। ଭିଡିଓ ଭାଇରାଲ୍‌ କଲେ କିପରି ଦଣ୍ଡ ଭୋଗିବାକୁ ପଡ଼ିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରାଗଲା ନାହିଁ।

ଫଳତଃ ଗତ କିଛି ଦିନ ହେଲା ନୟାଗଡ଼ ଓ ତାହା ପରେ କେନ୍ଦ୍ରାପଡ଼ା ଭିଡିଓ ଭାଇରାଲ୍‌ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ନାରୀ ନିର୍ଯାତନାର ଏହା ଏକ ସାଂଘାତିକ ଅପରାଧ ରୂପ ହୋଇଥିଲେ ବି ପୁଲିସ୍‌ ପକ୍ଷରୁ ଏପରି ଅପରାଧକୁ ଦମନ କରିବା ପାଇଁ ସେତିକି ପ୍ରସ୍ତୁତି ନାହିଁ ବୋଲି ପ୍ରତୀୟମାନ ହେଉଛି। ସାଇବର୍‌ ସେଲ୍‌ ଏହି ଅପରାଧକୁ ରୋକିବା ପାଇଁ କି ପଦକ୍ଷେପ ନେଉଛି, ତାହା ବି ବୁଝାପଡ଼ୁନି। ରାଜ୍ୟରେ ସାଇବର୍‌ କ୍ରାଇମ୍‌ ବଢ଼ିଚାଲିଥିଲା ବେଳେ ରାଜ୍ୟ ପୁଲିସ୍‌ ସେ ଦିଗରେ ଯେ ନିଜକୁ ପ୍ରସ୍ତୁତ କରିନି, ତାହା ସଚେତନ ନାଗରିକମାନେ ଅନୁଭବ କରୁଛନ୍ତି। ପୁଲିସ୍‌ର ଦକ୍ଷତା ଉପରୁ ଅଭିଭାବକଙ୍କ ଆସ୍ଥା ଯେମିତି ତୁଟିଯାଉଛି।

କେନ୍ଦ୍ରାପଡ଼ାରେ ବୁଲୁଛି ଛାତ୍ରୀଙ୍କ ଭିଡିଓ, ୨ ଯୁବକ ଅଟକ

ଡେରାବିଶ : ଡେରାବିଶ ଥାନା ଚାଟରାଚକଡ଼ା ପଞ୍ଚାୟତ ଅନ୍ତର୍ଗତ ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ର ଜଣେ ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ ହୋଇଛି। କିଛି ଦିନ ହେଲାଣି ଏହା ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲିବା ପରେ ସଂପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ଏହା ଜାଣିବାକୁ ପାଇଥିଲେ। ଏହାପରେ ସଂପୃକ୍ତା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଗତକାଲି ପୀଡ଼ିତା ଜଣଙ୍କ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା ଚଳାଇଛି। ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତରେ ବାଧା ଆଶଙ୍କାରେ ପୁଲିସ୍‌ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରୁ ନାହିଁ।

ପୁଲିସ୍‌ ସୂଚନା ଅନୁଯାୟୀ, ପଲିଟେକ୍‌ନିକ୍‌ କଲେଜରେ ପଢ଼ୁଥିବା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଏହି ତୃତୀୟ ବର୍ଷର ଛାତ୍ରୀଙ୍କ ସହ ପୂର୍ବରୁ ଏହି କଲେଜରେ ଅଧ୍ୟୟନ କରୁଥିବା କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସୌମ୍ୟରଞ୍ଜନ ବେହେରାଙ୍କ ୨୦୧୫ ମସିହାରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୌମ୍ୟରଞ୍ଜନ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ହୋଟେଲ୍‌ ଏବଂ ଲଜ୍‌କୁ ନେଇ ତାଙ୍କ ସହ ଦୈହିକ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଗୁପ୍ତରେ ରେକର୍ଡିଂ କରି ନେଇଥିଲେ। ଏହା ପରେ ଏହି ଭିଡିଓ ଜରିଆରେ ତାଙ୍କୁ ବ୍ଲାକ୍‌ମେଲ୍‌ କରି ଚାଲିଥିଲେ। ବାରମ୍ବାର ଧମକ ଦେଉଥିଲେ। ଅନ୍ୟମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହୁଥିଲେ। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସେହି ଅନ୍ତରଙ୍ଗ ଭିଡିଓଗୁଡ଼ିକୁ ଯୁବକ ଜଣଙ୍କ ସୋସିଆଲ୍‌ ମିଡ଼ିଆରେ କିଛିଦିନ ତଳେ ଭାଇରାଲ୍‌ କରିଦେଇଥିଲେ। ଛାତ୍ରୀ ଜଣଙ୍କ ଏ ସମ୍ପର୍କରେ ଘର ଲୋକଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଲୋକଲଜ୍ଜାରେ ଘରୁ ବାହାରି ପାରୁ ନ ଥିବା ଛାତ୍ରୀ ଜଣଙ୍କ ଶେଷରେ ଗତକାଲି ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟରଞ୍ଜନ ଓ ତାଙ୍କ ସହଯୋଗୀ ତାପସ ରଣାଙ୍କୁ ଅଟକ ରଖିଛି। ୩ଟି ମୋବାଇଲ ଓ ଲାପଟପ୍‌ ଜବତ କରିଛି। ସେହିପରି ଛାତ୍ରୀ ଜଣଙ୍କ ଅନ୍ୟ ଦୁଇ ଯୁବକ ନିରଞ୍ଜନ ରାଉତ ଓ ସୁଧାଂଶୁ କୁମାର ସିଂଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ପୁଲିସ ଏମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ଆଜି କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀଙ୍କ ଡାକ୍ତରୀମାଇନା କରାଯାଇଛି।

ନୟାଗଡ଼ରେ ଅଭିଯୁକ୍ତ ଛାତ୍ର ଗିରଫ

ନୟାଗଡ଼/କଣ୍ଟିଲୋ : କଣ୍ଟିଲୋ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଘଟଣାରେ ତିନିଦିନର ଘଣ୍ଟାଚକଟା ପରେ ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ସଂପୃକ୍ତ ଛାତ୍ର ଖଣ୍ଡପଡ଼ା ଥାନା ସିଧାମୁଳାର ପବିତ୍ର କୁମାର ନାୟକ(୨୧)କୁ ଧରିଛି। ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପବିତ୍ରର ଡାକ୍ତରୀ ମାଇନା କରାଯାଇଛି। ସେପଟେ ଗଣମାଧ୍ୟମ ଆଗରେ ଗିରଫ ବଦଳରେ ପୁଲିସ୍‌ ଅଟକ ଦର୍ଶାଇ ଆଜି ଦିନତମାମ୍‌ ପବିତ୍ରକୁ ପଚରାଉଚରା ଜାରି ରଖିଛି। ଆସନ୍ତାକାଲି ପବିତ୍ରକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାରେ ତୃତୀୟ ବ୍ୟକ୍ତି କେହି ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନି। ଏମିତିକି ପଚରାଉଚରା ସମୟରେ ସଂପୃକ୍ତ ଛାତ୍ରଛାତ୍ରୀ କ’ଣ କହିଛନ୍ତି, ପୁଲିସ ସେ ସଂପର୍କରେ କିଛି ସୂଚନା ଦେଇନି।

କଣ୍ଟିଲୋର ଏକ ମହାବିଦ୍ୟାଳୟର ଜନୈକ ଛାତ୍ରଙ୍କ ସହ ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ହେବା ପରେ ଗତ ୮ ତାରିଖରେ ଛାତ୍ରୀଙ୍କ ପରିବାର ଲୋକେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଂପୃକ୍ତ ଛାତ୍ରକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପୁଲିସର ୪ଟି ଟିମ୍‌ ଏ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର