ଚିନ୍ତା ବଢ଼ାଇଲା ଭାଇରାଲ୍‌ ଭିଡିଓ

୨୦୧୭ରେ ୧୮୪ ମାମଲା
ହତ୍ୟା, ଡକାୟତି କମିଛି, ଦୁଷ୍କର୍ମ ବଢିଛି

ଭୁବନେଶ୍ୱର : ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ଘଟଣାକୁ ନେଇ ରାଜ୍ୟର ବୁଦ୍ଧିଜୀବୀ, ଅଭିଭାବକ ମହଲ ଚିନ୍ତାରେ ଥିବା ବେଳେ ୨୦୧୭ ଅପରାଧ ଇତିହାସରୁ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ୨୦୧୭ରେ ରାଜ୍ୟରେ ୧୮୪ଟି ଏ ସଂକ୍ରାନ୍ତ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ପୁଲିସ ତଥାପି ବେଫିକର। ଅପରାଧ ନିୟନ୍ତ୍ରଣ ଦିଗରେ ଯେତିକି ତନାଘନା ହେବା କଥା ତାହା ହେଉନାହିଁ। କ୍ରାଇମବ୍ରାଞ୍ଚ ଏ ଦିଗରେ ଏକ ପ୍ରକାର ବିଫଳ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଲାଣି।

ଅନ୍ୟପକ୍ଷରେ ପରିସଂଖ୍ୟାନ ସୂଚାଉଛି, ରାଜ୍ୟରେ ହତ୍ୟା, ଡକାୟତି, ଠକେଇ ଓ ଚୋରି ଭଳି ଅପରାଧ ହ୍ରାସ ପାଇଥିଲେ ହେଁ, ସାଇବର ଅପରାଧ ଭଳି ଦୁଷ୍କର୍ମ ଓ ମୋଟର ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୭ରେ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ମାମଲା ଦରଜ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୧ଲକ୍ଷ ୩ ହଜାର ୬୦୨ ଓ ୨୦୧୫ରେ ୧ଲକ୍ଷ ୩ ହଜାର ୨୦୦ ରେକର୍ଡ ହୋଇଛି। ଏହା ସଙ୍କେତ ଦେଉଛି ଯେ ଥାନାକୁ ଆସୁଥିବା ସବୁ ମାମଲାର ପଞ୍ଜୀକରଣ କ୍ଷେତ୍ରରେ ତଥାପି ପୁଲିସ ସକ୍ଷମ ହେଉନାହିଁ। ମାମଲା ରଫାଦଫା କରି ଦିଆଯାଉଛି ବା ଏହା ପଛରେ ଆଉ କୌଣସି ଅଦୃଶ୍ୟ ଚାପ ପୁଲିସ ବାଟ ଓଗାଳୁଛି।

କୁନ୍ଦୁଲି ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ପରିସଂଖ୍ୟାନ ଦର୍ଶାଉଛି ଯେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି। ୨୦୧୭ରେ ଦୈନିକ ୬ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ବିଭିନ୍ନ ଥାନାରେ ୨୨୨୧ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଦୁଷ୍କର୍ମ ମାମଲା ଥିଲା ୨୧୪୪ ଓ ୨୦୧୫ରେ ୨୨୮୬। ଦଙ୍ଗା ସଂକ୍ରାନ୍ତ ମାମଲାରେ ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ୨୪୦୭ଟି ଦଙ୍ଗା ମାମଲା ରୁଜୁ ହୋଇଥିବା ରେକର୍ଡ କହୁଛି। ପୂର୍ବବର୍ଷ (୨୦୧୬) ୧୯୧୪ ଓ ୨୦୧୫ରେ ୧୯୭୬ ଏଭଳି ମାମଲା ରୁଜୁ ହୋଇଥିଲା।

ଭଦ୍ରକରେ ଦେଖା ଦେଇଥିବା ଦଙ୍ଗା ଯୋଗୁ ଗତବର୍ଷ ଏହି ମାମଲା ସଂଖ୍ୟା ବଢ଼ିଥିବା କୁହାଯାଉଥିଲେ ହେଁ, ପଞ୍ଚାୟତ ନିର୍ବାଚନ ପ୍ରଭାବକୁ ଏ କ୍ଷେତ୍ରରେ ଅଣଦେଖା କରିହେବ ନାହିଁ। ଭଦ୍ରକରେ ୨୦୧୬ରେ ୨୧ଟି ଦଙ୍ଗା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ରେ ଏହା ବଢି ୧୩୫ରେ ପହଞ୍ଚିଥିଲା।

ଯଦିଓ ସାଇବର ଅପରାଧରେ ଗତବର୍ଷ ତୁଳନାରେ ପାଖାପାଖି ଦୁଇଗୁଣ ଲୋକ ବନ୍ଧା ହୋଇଛନ୍ତି, କିନ୍ତୁ ଆଜି ବି ଏ କ୍ଷେତ୍ରରେ ପୁଲିସ ବିଫଳତା ଜଳ ଜଳ ହୋଇ ଦିଶୁଛି। ୨୦୧୫ ଓ ୨୦୧୬ରେ ଏହି ଘଟଣାରେ ୯୯ ଜଣ ବନ୍ଧା ହୋଇଥିବା ବେଳେ ୨୦୧୭ରେ ୧୯୫ଜଣଙ୍କୁ ଗିରଫ କରାଯାଇଥିଲା। ସାଇବର ଅପରାଧ ମଧ୍ୟରେ ସବୁଠାରୁ ଅଧିକ ଏଟିଏମ୍‌ ଠକେଇ ଘଟିଛି। ଗତବର୍ଷ ୨୬୫ଟି ଏଟିଏମ୍‌ ଠକେଇ ହୋଇଥିଲା। ଅନ୍‌ଲାଇନ୍‌ ଠକେଇ ସଂଖ୍ୟା ଥିଲା ୨୦୬। କ୍ରେଡିଟ୍‌ କାର୍ଡ ଠକେଇ ସଂଖ୍ୟା ୨୭ ଥିବା ବେଳେ ବ୍ୟାଙ୍କ ଠକେଇ ୧୯ଟି ହୋଇଥିବା ରେକର୍ଡ କହୁଛି। ଗତବର୍ଷ ଭାଇରାଲ ଭିଡ଼ିଓ ଓ ଫଟୋ ଜନିତ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ ନିଯୁକ୍ତି ଠକେଇ ଅଭିଯୋଗରେ ୭ଟି ମାମଲା ରୁଜୁ ହୋଇଛି। ଗତବର୍ଷ ୮୨୪ଟି ସାଇବର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୬ରେ ଏହା ୩୧୭ ଓ ୨୦୧୫ରେ ୩୮୫ଟି ଥିଲା।

ପରିସଂଖ୍ୟାନ ଅନୁଯାୟୀ ହତ୍ୟା ମାମଲା ସଂଖ୍ୟା ହ୍ରାସ ପାଇଛି। ୨୦୧୬ରେ ରାଜ୍ୟରେ ୧୩୨୮ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ଏହା ୧୪୭୩ ଥିଲା। ଗତବର୍ଷ ଏହି ଧରଣର ମାମଲା ସଂଖ୍ୟା ୧୨୬୭ ରହିଛି। ଅନୁରୂପ ଭାବେ ୨୦୧୫ ଓ ୨୦୧୬ ତୁଳାନରେ ଡକାୟତି ମାମଲା ମଧ୍ୟ ୨୦୧୭ରେ କମିଛି। ରାଜ୍ୟରେ ମୋଟ ୫୩୪ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିବା ବେଳେ ୨୦୧୬ରେ ଏହା ୫୬୬ ଥିଲା। ସେହିଭଳି ଚୋରି ସଂଖ୍ୟା ୩୯୫୩କୁ କମିଛି। ୨୦୧୬ରେ ଏହା ୪୦୦୪ ଓ ୨୦୧୫ରେ ଏଭଳି ୪୦୪୬ଟି ମାମଲା ରୁଜୁ ହୋଇଥିଲା। ଠକେଇ ମାମଲା ସଂଖ୍ୟା ବି ୨୯୬୦ରେ ଅଟକିଛି। ୨୦୧୫ରେ ୨୯୨୫ଟି ଓ ୨୦୧୬ରେ ୩୧୯୭ ଥିଲା।

ମୋଟର ଯାନ ଦୁର୍ଘଟଣା ସଂଖ୍ୟା କିନ୍ତୁ କମୁନି। ୨୦୧୭ରେ ୧୦ ହଜାର ୮୫୫ଟି ମୋଟର ଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହା ୧୦,୫୩୨ ଓ ୨୦୧୫ରେ ୧୦ ହଜାର ୫୪୨ଟି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର