ଭୁବନେଶ୍ବର : ଏବେ ସୁଦ୍ଧା ୮୦ଟି ତହସିଲ୍‌ରେ ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ହୋଇଛି। ଏଥି‌େର ୩ହଜାର ମାମଲାର ଭର୍ଚୁଆଲ ପ୍ଲାଟଫର୍ମରେ ଶୁଣାଣି ପରେ ଫଇସଲା ହୋଇଛି। ତେଣୁ ଏପ୍ରିଲରୁ ରାଜ୍ୟର ୩୧୭ଟି ଯାକ ତହସିଲ୍‌ରେ ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା କରାଯିବ ଏବଂ ଆଭାସି ମାଧ୍ୟମରେ ଜମିଜମା ସମ୍ପର୍କିତ କେସ୍‌ ଫଇସଲା ହେବ। ଏହାସହ ଗାଁ ଗାଁରେ ରାଜସ୍ବ ମେଳା ଆୟୋଜନ କରି ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ସୃଷ୍ଟି କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

Advertisment

ଗୁରୁବାର ଦିନ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ରାଜସ୍ବ ବିଭାଗରେ କର୍ମଚାରୀ ଅଭାବ ଦୂର ପାଇଁ ଆର୍‌ଆଇ, ଏଆର୍‌ଆଇ ଭଳି ପଦବି ସମତେ ବିଭିନ୍ନ ପଦବିରେ ୫ହଜାର ନୂଆ ନିଯୁକ୍ତି ଦିଆଯିବ। ଏହାସହ ଚଳିତବର୍ଷ ୫୪୫ ଓଏଏସ୍‌/ଓଆର୍‌ଏସ୍ ପଦବିରେ ନିଯୁକ୍ତି ଦିଆଯିବ। ଭିତ୍ତିଭୂମି ସୁଦୃଢ ପାଇଁ ଗୁରୁତ୍ବ ଦିଆଯାଉଥିବାରୁ ୪୩୧ଟି ଆର୍‌ଆଇ ଅଫିସ ନିର୍ମାଣ କରାଯିବ।

ଏହି ଅବସରରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବିଭାଗର ବିଭିନ୍ନ ଯୋଜନା ପାଇଁ ହୋଇଥିବା ଅର୍ଥବରାଦ ଉପରେ କହିଥିଲେ। ସ୍ବତନ୍ତ୍ର ରିଲିଫ କମିସନର ନିକୁଞ୍ଜବିହାରୀ ଧଳ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ କହିଥିଲେ।