କରୋନା ସ୍ଥିତି ନେଇ କଂଗ୍ରେସର ଭର୍ଚୁଆଲ୍‌ ବୈଠକ: ଗରିବଙ୍କୁ ମାସିକ ୬ ହଜାର,ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି

ଭୁବନେଶ୍ବର : କରୋନା କାଳରେ ରାଜ୍ୟର ଗରିବମାନେ ବେରୋଜଗାର ହୋଇଛନ୍ତି। ସେମାନଙ୍କୁ ମାସିକ ସରକାର ୬ ହଜାର ଟଙ୍କା ନଗଦ ଅର୍ଥ ପ୍ରଦାନ କରନ୍ତୁ। ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟରେ କରୋନା ମହାମାରୀ ସ୍ଥିତି ନେଇ ଭର୍ଚୁଆଲ ବୈଠକରେ ସର୍ବସମ୍ମତି ପ୍ରସ୍ତାବ ଗ୍ରହଣ କରାଯାଇଛି। କୋଭିଡ ମହାମାରୀ ପରିଚାଳନା, ଟିକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ବେତପତ୍ର ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମ୍ପ୍ରତି କରୋନା ସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟକଳାପ ସମୀକ୍ଷା କରାଯାଇଥିଲା। ଏଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କୁ ରକ୍ଷା କରିବା କ୍ଷେତ୍ରରେ କଂଗ୍ରେସର ପ୍ରମୁଖ ଭୂମିକା ନିର୍ବାହନ ଅପରିହାର୍ଯ୍ୟ ବୋଲି ନେତୃମଣ୍ଡଳି ମତ ରଖିଥିଲେ। ଦଳ ପକ୍ଷରୁ ଭୁବନେଶ୍ବର, କଟକ, ବାଲେଶ୍ବର, ବଲାଙ୍ଗୀର, ନୂଆପଡ଼ା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ନିଶୁଳ୍କ ଆମ୍ବୁଲାନ୍‌ସ୍‌ ସେବା ଯୋଗାଇ ଦିଆଯାଉଛି। କଂଗ୍ରେସର ପ୍ରତ୍ୟେକ ବିଧାୟକ ନିଜର ଆଞ୍ଚଳିକ ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍‌ସ୍‌ ଖର୍ଚ୍ଚ ବହନ କରିବାକୁ ପିସିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ବିପିଏଲ ପରିବାର, ଆଦିବାସୀ, ହରିଜନ, ମତ୍ସ୍ୟଜୀବୀ, ପ୍ରବାସୀ ଶ୍ରମିକମାନେ ବେରୋଜଗାର ହୋଇଛନ୍ତି। କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦିଆଯିବା ଦରକାର। ସମ୍ବିଧାନର ଧାରା ୨୧ ଅନୁଯାୟୀ ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦଳ ଆହ୍ବାନ କରିଛି।

ଟିକାକରଣ କ୍ଷେତ୍ରରେ ସରକାରଙ୍କ ଅପାରଗତା ନେଇ ଆଲୋଚନା କରାଯାଇଥିଲା। ଆଗାମୀ ୨ ମାସ ଭିତରେ କେତେ ପରିମାଣର ଟିକା ପ୍ରଦାନ କରାଯିବ ଓ କେବେ ସୁଦ୍ଧା ୧୮ରୁ ୪୪ ବର୍ଷ ବୟସର ଯୁବଶ୍ରେଣୀଙ୍କୁ ଟିକା ପ୍ରଦାନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ତାର ଏକ ବିସ୍ତୃତ ସୂଚୀ ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି।

ଅକ୍ଷୟତୃତୀୟାଠାରୁ ରାଜ୍ୟରେ ଚାଷକାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ପ୍ରାମାଣିକ ବିହନ ଯୋଗାଇ ଦିଆଯାଇନାହିଁ। ରାଜଧାନୀ ଭୁବନେଶ୍ବରରେ ଆଇସିୟୁ ଶଯ୍ୟା ଅଭାବ ଯୋଗୁ ଜଣେ କରୋନା ପୀଡ଼ିତ ନବ ବିବାହିତା ମହିଳାଙ୍କର ପ୍ରାଣହାନୀ ଘଟିଛି। ଏହି ହୃଦୟ ବିଦାରକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି।

ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ସି.ଏସ୍‌ ରାଜନ ଏକା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ। ଭର୍ଚୁଆଲ ବୈଠକକୁ ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ସଂଯୋଜକ ଦୀପକ ମହାପାତ୍ର ଓ ଚେତନ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର