ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟକୁ ଗତ ମାସ ୨୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ପ୍ରତି ରବିବାର ଦିନ ଭର୍ଚୁଆଲ୍ ମୋଡ୍ରେ ଜନସାଧାରଣ ଥ୍ରି-ଡି ମାଧ୍ୟମରେ ଫେସ୍ବୁକ୍ ଓ ଟ୍ବିଟର୍ ପେଜ୍ ଖୋଲି ଜନଜାତି ସଂଗ୍ରହାଳୟର ମୁଖ୍ୟ ଭବନ ବୁଲି ଦେଖିପାରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ରବିବାର ଦିନ ଦର୍ଶକମାନେ ଏହି ସୁବିଧା ପାଇପାରିବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି।
ସଂଗ୍ରହାଳୟର ମୁଖ୍ୟ ଭବନରେ ୫ଟି ଗ୍ୟାଲେରି ରହିଛି। ଏହି ୫ଟି ଗ୍ୟାଲେରିରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି। ବିଭିନ୍ନ ଗ୍ୟାଲେରିରେ ଜନଜାତି ସମ୍ପ୍ରଦାୟଙ୍କ ସମ୍ପର୍କରେ ତଥ୍ୟ ରହିଛି। ପ୍ରଥମ ଗ୍ୟାଲେରିରେ ଜନଜାତି ଅଳଙ୍କାର, ଦ୍ବିତୀୟ ଗ୍ୟାଲେରିରେ ଜନଜାତି ବୟନ, ବ୍ୟକ୍ତିଗତ ସାମଗ୍ରୀ, କଳା ଓ ଶିଳ୍ପକଳା, ତୃତୀୟ ଗ୍ୟାଲେରିରେ ଶିକାର ଓ ମାଛଧରା ଉପକରଣ ଓ ନିଜର ସୁରକ୍ଷା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଚତୁର୍ଥ ଗ୍ୟାଲେରିରେ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଓ କୃଷି ଉପକରଣ, ପଞ୍ଚମ ଗ୍ୟାଲେରିରେ ନୃତ୍ୟ, ବାଦ୍ୟଯନ୍ତ୍ର ଓ ଢୋକ୍ରା ସାମଗ୍ରୀ ପ୍ରଦର୍ଶନ କରାଯାଉଛି।