ଚଣ୍ଡିଖୋଲ: ଗତ କିଛି ବର୍ଷ ହେବ ବିରୂପା ନଦୀଶଯ୍ୟା ଧୀରେ ଧୀରେ ପୋତି ହେବାରେ ଲାଗିଛି। ମହାନଦୀର ଶାଖାନଦୀ ବିରୂପା କଟକରୁ ବାହାରି ଟାଙ୍ଗି, ଚୌଦ୍ୱାର, ସାଲେପୁର, ମାହାଙ୍ଗା, ବଡ଼ଚଣା ଆଦି ବ୍ଲକ୍‌ ଅଞ୍ଚଳରେ ପ୍ରବାହିତ ହୋଇ ଶେଷରେ ବରୀର କାଇପଡ଼ାଠାରେ ବ୍ରାହ୍ମଣୀରେ ମିଶିଛି। ଏହି ନଦୀ କୁସୁପୁରଠାରୁ ବଡ଼ଚଣାର ନାନପୁର, ରୁକୁଟିପାଟ, ଆମ୍ବସୌରୀ, ଚାରିନଙ୍ଗଳ ଓ ଗୋପାଳପୁର ସମେତ ବିଭିନ୍ନ ସ୍ଥାନରେ ପୋତି ହୋଇଗଲାଣି। ନଦୀଶଯ୍ୟା ଏବେ ପଡ଼ିଆରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ନଦୀପଠାରେ ବଡ଼ବଡ଼ ଗଛ ଉଠି ତାହା ଏକପ୍ରକାର ଜଙ୍ଗଲ ହୋଇଗଲାଣି। ଗୋଟିଏ ପାର୍ଶ୍ବରେ କ୍ଷୀଣ ଜଳଧାର ପ୍ରବାହିତ ହେଉଛି। ଏକଦା ସ୍ଥାନୀୟ ଲୋକଙ୍କର ଜୀବନରେଖା ଭାବେ ବିରୂପା ନଦୀ ପରିଗଣିତ ହେଉଥିଲା। ଏହି ନଦୀ ପାଣି ଉପରେ ଆଖପାଖ ଗାଁର ଲୋକମାନେ ଚାଷବାସଠୁ ନେଇ ପାନୀୟଜଳ ପାଇଁ ନିର୍ଭର କରି ଆସୁଥିଲେ। ନିଜ ଜମିରେ ପାଣି ମଡ଼ାଇ ବିଭିନ୍ନ ଫସଲ କରୁଥିଲେ। ନଦୀଶଯ୍ୟା ପୋତି ହୋଇଯିବା ପରେ ଚାଷ କାମରେ ବାଧା ସୃଷ୍ଟି ହେଉଛି। ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ନଦୀ ପାଣିକୁ ଚାଷଜମିରେ ମଡ଼ାଇବାର ଯୋଜନା ସଫଳ ହୋଇନାହିଁ। ଏଣେ ଦିନକୁ ଦିନ ନଦୀଶଯ୍ୟା ଅଧିକ ପୋତି ହୋଇଯାଉଥିବାରୁ ଜଳସ୍ତର କମି ଚାଲିଛି। ଫଳରେ ଭୂତଳ ଜଳସ୍ତର ହ୍ରାସ ପାଇ ପାନୀୟଜଳ ସଙ୍କଟ ସୃଷ୍ଟି ହେଉଛି।

Advertisment

ଏହି ସମସ୍ୟାର ସମାଧାନ ପାଇଁ ୧୯୮୯ ମସିହାରେ ମାହାଙ୍ଗା ଓ ବଡ଼ଚଣା ଅଞ୍ଚଳରେ ‘ବିରୂପା ବଞ୍ଚାଅ’ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନ ତୀଵ୍ରତର ହେବାରୁ କଟକର ତତ୍କାଳୀନ ଜିଲ୍ଲାପାଳ ରଘୁନାଥ ଦାସ ନଦୀଶଯ୍ୟା ଖନନ ପାଇଁ ପ୍ରୟାସ କରିଥିଲେ। ଏଥିପାଇଁ ଅର୍ଥ ମଞ୍ଜୁର କରାଯାଇ ସେ ସମୟରେ ନଦୀଶଯ୍ୟା ଖୋଳିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଖନନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଏହା ପରେ ଆଜି ପର୍ଯ୍ୟନ୍ତ ବିରୂପା ଖନନ ଉପରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ବିରୂପା ନଦୀଶଯ୍ୟା ଖନନ ପାଇଁ ନୂତନ ସରକାର ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି। ନଚେତ ଆଗକୁ ଏହି ନଦୀ ଅସ୍ତିତ୍ୱ ହରାଇବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।