ଝାରସୁଗୁଡ଼ା: ଝାରସୁଗୁଡ଼ା ମଙ୍ଗଲବଜାରଠାରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ହେବା ଘଟଣା ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ଦୃଶ୍ୟମ-୨ ର ନକଲ କରାଯାଇଥିବା ଭଳି ପ୍ରତୀୟମାନ ହେଉଛି। ଦୃଶ୍ୟମ-୨ ରେ ଦୃଶ୍ୟମ-୧ କାହାଣୀର ଅବଶିଷ୍ଟାଂଶ ରହିଥିଲା। ଅଜୟ ଦେବଗନଙ୍କ ବଡ଼ ଝିଅର ଏମ୍‌ଏମ୍‌ଏସ୍‌ କରି ତାକୁ ବ୍ଲାକମେଲ କରୁଥିବା ସେନ୍‌ ନାମକ ଜଣେ ଯୁବକକୁ ଉକ୍ତ ଝିଅ ଏକ ବାଡ଼ିରେ ପ୍ରହାର କରିବା ବେଳେ ତାର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡକୁ ନିଜ ଝିଅ ମୁଣ୍ଡରୁ ନିଜ ମୁଣ୍ଡକୁ ନେଇଥିଲେ ଅଜୟ ଦେବଗନ ଓ ପରେ ହତ୍ୟାକାଣ୍ଡ ପ୍ରମାଣିତ କରିବା ପାଇଁ ମାଟି ତଳେ ପୋତାଯାଇଥିବା ଶବ ବାହାର କରି ଏହା ସେନ୍‌ର କି ନୁହେଁ  ଜାଣିବା ପାଇଁ ତାର କଙ୍କାଳକୁ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଥିଲା।

Advertisment

ମାତ୍ର ଅଜୟ ଦେବଗନ କୌଶଳ କରି ସେହି କଙ୍କାଳ ସ୍ଥାନରେ ଅନ୍ୟ ଏକ କଙ୍କାଳ ରଖି ଦେଇ ହତ୍ୟା ଅପରାଧରୁ ମୁକ୍ତ ହୋଇ ଯାଇଥିବା ଏହି ଫିଲ୍ମରେ ପ୍ରାଞ୍ଜଳ ଭା‌ବରେ ପ୍ରଦର୍ଶିତ ହୋଇଛି। ଝାରସୁଗୁଡ଼ା ଭିସେରା ଗାଏବ ପଛରେ ସେପରି କୌଣସି ରହସ୍ୟ ନଥିଲେ କିଏ କାହିଁକି ବ୍ୟବଚ୍ଛେଦ ଗୃହରେ ଥିବା ସବୁ ଭିସେରା ସହିତ ଡିଏନ୍‌ଏ ଟେଷ୍ଟ ପାଇଁ ଥିବା ଏକ ଫେମୁର ବୋନକୁ  ଉଭାନ କଲା ବୋଲି ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷେ ଏହି ଘଟଣାରେ ପୁଲିସ ସଂପୂର୍ଣ୍ଣ ନିରବ ରହିବା ସଂଦେହକୁ ଦ୍ବିଗୁଣିତ କରିବା ସ୍ବାଭାବିକ।

ଏହି ଘଟଣା ଜଣେ ମଦ୍ୟପ କରିଥିବ ଭାବି ପୁଲିସ ଏହାକୁ ହାଲୁକା ଭାବରେ ନନେଇ ଯଦି ତୁରନ୍ତ ତଦନ୍ତ ଆରମ୍ଭ କରିଥାନ୍ତା ହୁ‌ଏତ ଏହା ପଛରେ ଥିବା ରହସ୍ୟ ଜଣାପଡ଼ିଥାନ୍ତା। ଭିସେରା ଗାଏବ ଘଟଣାକୁ ଏକ ମାସ ଉପରେ ହୋଇ ଯାଇଥିବା ବେଳେ ପୁଲିସ ଗୁରୁବାର ଏଫ୍ଆଇଆର୍‌ ପଞ୍ଜୀକରଣ କରିଛି। ଡାକ୍ତରଖାନା ପକ୍ଷରୁ ମଧ୍ୟ ସିଡିଏମ୍‌ଓ ଏହି ଘଟଣାକୁ ଯେଭଳି ଗୁରୁତ୍ବ ଦେବା କଥା ଦେଇ ନାହାନ୍ତି। ଡିଏମ୍ଓ (ଏମ୍ଏସ୍‌)ଙ୍କୁ  ସିଡିଏମ୍ଓ ଡିସେମ୍ବର ୩ ତାରିଖ ଥାନାରେ ଏଫ୍ଆଇର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାତ୍ର ଡିଏମ୍ଓ ଏହାର ୫ ଦିନ ପରେ ଯାଇ ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଲେଖି କରି ଦେଇଦେବା ପରେ ଆଉ ପୁଲିସ ସହିତ ଯୋଗାଯୋଗ ନକରି ଚୁପ୍‌ ବସି ଯାଇଥିବା ମଧ୍ୟ ଆହୁରି ସଂଦେହ ସୃଷ୍ଟି କରିଛି। ଯଦି କେହି ମନ୍ଦ ଉଦ୍ଦେଶ୍ୟ ରଖି ଭିସେରା ଗାଏବ କରିଛି ତେବେ ସମସ୍ତଙ୍କ ଆଖି ଆଗରେ ଏକ ବଡ଼ ଅପରାଧରୁ ଖସି ଯିବାରେ ଅପରାଧୀ ସଫଳ ହେବା ଆଶଂକା ରହିଛି।

ପୁଲିସ ତଦନ୍ତ ଆରମ୍ଭ କଲା

ଗୁରୁବାର ପୁଲିସ ମାମଲା ରୁଜୁ କରିବା ପରେ ଶୁକ୍ରବାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଆଇଆଇସି ସାବିତ୍ରୀ ବଳ ନିଜେ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ‌ଶ୍ରୀମତୀ ବଳ ଆଜି ସକାଳେ ଶବ ବ୍ୟବଚ୍ଛେଦ ଗୃହକୁ ଯାଇ ଛାନଭିନ୍‌ କରିଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ଦାୟିତ୍ବରେ ଥିବା ସୁଶୀଳ ସୁନାନୀକୁ ପୁଲିସ ପଚରାଉଚରା କରିଥିବା ବେଳେ କେତେ ସଂଖ୍ୟାରେ ଭିସେରା ଥିଲା, କେବେ ଠାରୁ ଥିଲା ସେ ବାବଦରେ ପଚାରିଥିବା ଜଣାଯାଇଛି।