ଖେଲୋ ଇଣ୍ଡିଆରେ ସୁନ୍ଦରଗଡ଼ର ବିଶାଳ ଓରାମଙ୍କ ଚମକ  

ସୁନ୍ଦରଗଡ଼: ଖେଲୋ ଇଣ୍ଡିଆରେ ଚମକ ଦେଖାଇଛନ୍ତି ସୁନ୍ଦରଗଡ଼ର ଖେଳାଳି । ହରିଆଣାର ପଞ୍ଚକୁଲା ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଖୋଖୋ ଖେଳରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସୁନ୍ଦରଗଡ଼ର ବିଶାଳ ଓରାମ। ପ୍ରତିଯୋଗିତାର ବାଳକ ଦଳରେ ସେ ଓଡ଼ିଶାର ପ୍ରତିନିଧିତ୍ଵ କରି ତାଙ୍କର କ୍ରୀଡ଼ା ନୈପୁଣ୍ୟରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ବିଶାଳ ଓରାମ ତଳସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାହାଲ ଗ୍ରାମର ପିତା ତୁଳସୀ ଓରାମ ଓ ମାତା ଭଗବତୀ ଓରାମଙ୍କ ପୁତ୍ର। ତୁମୁଲିଆସ୍ଥିତ ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସମୟରେ ତାଙ୍କ କ୍ରୀଡ଼ା ପ୍ରତିଭା ପରିଲକ୍ଷିତ ହୋଇଥିଲା। ଏହି ସମୟରେ ସେ ରାଜ୍ୟସ୍ତରୀୟ ଖୋଖୋ ରେଫରୀ ତଥା ଜିଲ୍ଲାର ସୁନାମଧନ୍ୟ ଖୋଖୋ ପ୍ରଶିକ୍ଷକ ଅନିଲ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ରୀଡ଼ାଭ୍ୟାସ କରୁଥିଲେ।

ନିଜ ପ୍ରତିଭା ବଳରେ ବିଶାଳ ଏ ଯାବତ ପାଞ୍ଚ ଥର ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ମଧ୍ୟରୁ ଦୁଇ ଥର ବିଦ୍ୟାଳୟ ଜାତୀୟସ୍ତରୀୟ ଓ ତିନି ଥର ଜାତୀୟ କ୍ରୀଡ଼ାରେ ଭାଗ ନେଇ ୩ଟି ପଦକ ଆଣିଥିଲେ। ଗତ ୨୦୨୧ ସେପ୍ଟେମ୍ବର ମାସରେ କିଟ୍, ଭୁବନେଶ୍ୱର ଠାରେ ୪୦ ତମ କନିଷ୍ଠ ଜାତୀୟ ଖୋଖୋ ପ୍ରତିଯୋଗିତାରେ ବିଶାଲ, ଟିଙ୍କୁ ଓ ରେଶମା ଓଡ଼ିଶା ଦଳର ପ୍ରତିନିଧିତ୍ଵ କରି କାଂସ୍ୟ ପଦକ ଆଣିଥିଲେ। ବିଶାଳଙ୍କ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ଖୋଖୋ ସମ୍ପାଦକ ପ୍ରଶାନ୍ତ କୁମାର ପଟେଲ, ସହସଂପାଦକ ଜୟଦେବ ପାତ୍ର ତଥା ସେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ସହଦେବ ମହାକୁଡ ତଥା ଜିଲ୍ଲା କ୍ରୀଡ଼ା ସଂସଦର ସଦସ୍ୟଗଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର