ବିଶାଖା ଏକ୍ସପ୍ରେସ୍‌ରୁ ଖସିଗଲା ୧୦ ବଗି, ଇଞ୍ଜିନ ସହ କିଛି ବଗି ୨ କିମି ଆଗକୁ ଚାଲିଗଲା

ବାଲୁଗାଁ: ଚଳନ୍ତା ଟ୍ରେନ୍ ମଝିରୁ ହଠାତ୍ ଅଲଗା ହୋଇଗଲା ୧୦ ବଗି। ଆଉ ଅବଶିଷ୍ଟ ବଗି ସହ ଇଞ୍ଜିନ ମାଡ଼ିଗଲା ଆଗକୁ। ଏମିତି ପ୍ରାୟ ୨ କିମି ଗଲାପରେ ଅଟକିଲା ଇଞ୍ଜିନ। ଆଜି ସକାଳେ ବାଲୁଗାଁ ଷ୍ଟେସନ ନିକଟରେ ଘଟିଛି ବିଶାଖା ଏକ୍ସପ୍ରେସ୍‌ରେ ଘଟିଛି ଏପରି ଅଭାବନୀୟ ଘଟଣା। ଏହାକୁ ନେଇ ଟ୍ରେନ୍‌ର ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ଟ୍ରେନ୍ ଇଞ୍ଜିନ ପଛକୁ ଫେରି ଖୋଲି ଯାଇଥିବା ବଗି ଯୋଡ଼ା ହେବା ପରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଛି।

ଶନିବାର ପୂର୍ବାହ୍ନ ୧୧ଟା ସମୟରେ ବାଲୁଗାଁ ଷ୍ଟେସନଠାରୁ ୪ କିମି ଦୂର ବଡ଼କୁଳ ଲେଭଲ କ୍ରସିଂ ନିକଟରେ ହଠାତ୍ ଭୁବନେଶ୍ବରରୁ ସିକନ୍ଦରାବାଦ ଯାଉଥିବା ୧୭୦୧୫ ଅପ୍ ବିଶାଖା ଏକ୍ସପ୍ରେସ୍‌ର ଏସି-୨ ଟାୟାର ଓ ଏସ୍‌-୧ ମଝିରେ ଥିବା କପଲିଂ ଖସିଯିବା ଫଳରେ ଇଞ୍ଜିନ୍ ସହ କିଛି ଡ଼ବା ଆଗକୁ ଚାଲିଯାଇଥିଲା। ପ୍ରାୟ ୧୦ଟି ଡବା ଟ୍ରେନ୍‌ ଇଞ୍ଜିନ୍‌ଠାରୁ ବିଚ୍ଛିନ୍ନ ହୋଇ ଅଟକି ଯାଇଥିଲା। ଏ ବିଷୟରେ କିନ୍ତୁ ଟ୍ରେନ୍ ଡ୍ରାଇଭର ଜାଣି ପାରି ନ ଥିଲେ। ଏହାକୁ ନେଇ ଯାତ୍ରୀମାନେ ପାଟିତୁଣ୍ତ କରିଥିଲେ। ଟ୍ରେନ୍ ପଛରେ ଥିବା ଗାର୍ଡ଼ ଡ୍ରାଇଭର ସହ ଯୋଗାଯୋଗ କରିବା ପରେ ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ। ଟ୍ରେନ୍‌ଟି ପ୍ରାୟ ୨କିମି ଆଗକୁ ଚାଲିଯାଇଥିବା ବେଳେ ଟ୍ରେନର ଡ୍ରାଇଭର ଏହାକୁ ପୁଣି ଥରେ ପଛକୁ ଫେରାଇଥିଲେ। ଅଟକି ଯାଇଥିବା ବଗିଗୁଡ଼ିକୁ ସଂଯୋଗ କରି ପ୍ରାୟ ୧ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା। ସୂଚନାଯୋଗ୍ୟ ଯାତ୍ରା କରୁଥିବା ସମସ୍ତ ଟ୍ରେନର ବଗି ସହ ସଂଯୋଗ କରୁଥିବା କପ୍‌ଲିଙ୍ଗ୍ ଠିକ୍‌ ଭାବେ ଯା‌ଞ୍ଚ ନ ହେଉ ନ ଥିବାରୁ ଏଭଳି ଘଟୁଥିବା ଯାତ୍ରୀମାନେ ମତ ଦେଇଛନ୍ତି। ତେବେ ଆଜି ଏପରି ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଦକ୍ଷିଣ–ପୂର୍ବ ରେଳପଥର ଡିଆରଏମ୍ ଜଣାଇଛନ୍ତି।

ସମ୍ବନ୍ଧିତ ଖବର