ଆମ୍ବୁଲାନ୍ସକୁ ଧକ୍କା ଦେଲା ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟର୍‌ସିଟି

ବ୍ରହ୍ମପୁର: ବିଶାଖାପାଟଣାରୁ ଭୁବନେଶ୍ବରରେ ଅଭିମୁଖେ ଆସୁଥିବା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌(୨୨୮୨୦) ଆନ୍ଧ୍ରପ୍ରଦେଶର ପଲାସା ଷ୍ଟେସନ୍‌ ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର୍‌ ସମେତ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ରେଳ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରାକ୍‌ରେ ଫସି ରହିଥିବା ଆମ୍ବୁଲାନ୍ସ ବାହାର କରିବା ପରେ ଟ୍ରେନ୍‌ ପ୍ଲାଟଫର୍ମରେ ପ୍ରବେଶ କରିଥିଲା।

ସୂଚନା ଅନୁସାରେ ପ୍ରାୟ ସାଢ଼େ ୭ଟା ବେଳେ ପଲାସା ଷ୍ଟେସନ୍‌କୁ ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟର୍‌ସିଟି ପ୍ରବେଶ କରୁଥିଲା। ଏହି ସମୟରେ ପ୍ଲାଟଫର୍ମ ପୂର୍ବରୁ ଥିବା ଏକ ମାନବବିହୀର ଫାଟକ ଦେଇ ୧୦୮ ଆମ୍ବୁଲାନ୍ସ ଯାଉଥିବା ବେଳେ ତାକୁ ଟ୍ରେନ୍‌ ଧକ୍କା ଦେଇଥିଲା। ଟ୍ରେନ୍‌ ଚାଳକ ଜରୁରୀକାଳୀନ ବ୍ରେକ୍‌ ଦେଇଥିଲେ। ତଥାପି ପ୍ରାୟ ୨ଶହ ମିଟର୍‌ ପର୍ଯ୍ୟନ୍ତ ଟ୍ରେନ୍‌ଟି ଆମ୍ବୁଲାନ୍ସକୁ ଘୋଷାଡ଼ି ନେଇଥିଲା। ଏଥିରେ ଡ୍ରାଇଭର୍‌ ଓ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଫଲକନାମା ଟ୍ରେନ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ପଲାସା ଷ୍ଟେସନ୍‌ର କର୍ମଚାରୀମାନେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ସମ୍ପୃକ୍ତ ଯାତ୍ରୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ପଲାସା ଷ୍ଟେସନ୍‌କୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ପ୍ରାୟ ଦେଢ଼ ଘଣ୍ଟା ପରେ ଆମ୍ବୁଲାନ୍ସ ହଟାଇବା ପରେ ଟ୍ରେନ୍‌ ପ୍ଲାଟଫର୍ମରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର