ଭୁବନେଶ୍ବର: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର କମ୍ପାନିର ଏକ ସହଯୋଗୀ ସଂସ୍ଥା ଦ୍ବାରା ୩ ହଜାର କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱରସ୍ଥିତ ବିଶ୍ୱାଳ ଟ୍ରେଡ୍ ଲିଙ୍କ୍ କମ୍ପାନିର ମ୍ୟାନେଜିଂ ଡାଇରେକ୍ଟର ପାର୍ଥସାରଥି ବିଶ୍ୱାଳଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଆଧାରରେ ଶ୍ରୀ ବିଶ୍ବାଳଙ୍କୁ ଗିରଫ କରାଯାଇଛି। ୩ ହଜାର କୋଟି ଋଣ ଜାଲିଆତି ଘଟଣାରେ ଇଡିର ଏହା ପ୍ରଥମ ଗିରଫଦାରୀ। ଗତ ଦୁଇଦିନ ହେବ ଇଡି ପକ୍ଷରୁ ରାଜଧାନୀର ବେହେରାସାହି, ଟଙ୍କପାଣି ରୋଡ୍, କୋଳଥିଆ ଆଦି ସ୍ଥାନରେ ଥିବା କମ୍ପାନିର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଥିଲା।
ସୂଚନା ଅନୁସାରେ, ଦିଲ୍ଲୀ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (ଇଓଡବ୍ଲୁ) ପକ୍ଷରୁ ନଭେମ୍ବର ୨୦୨୪ରେ ୩ ହଜାର କୋଟି ଟଙ୍କାର ଋଣ ଜାଲିଆତି ମାମଲାର ତଦନ୍ତ ସମୟରେ ଓଡ଼ିଶାର ଏକ କମ୍ପାନି ସାମିଲ ଥିବା ଇଡିକୁ ସୂଚନା ମିଳିଥିଲା। ଶୁକ୍ରବାର ଦିନ ଇଡି ପକ୍ଷରୁ ଭୁବନେଶ୍ୱର ଓ କୋଲକାତାର ୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବିଶ୍ୱାଳ ଟ୍ରେଡ୍ ଲିଙ୍କ୍ ୮ ପ୍ରତିଶତ
କମିସନ ବଦଳରେ ନକଲି (ଜାଲି) ବ୍ୟାଙ୍କ ଗ୍ୟାରେଣ୍ଟି ଜାରି କରୁଥିବା ଇଡି ଜାଣିବାକୁ ପାଇଥିଲା। ଏହି କମ୍ପାନି କେବଳ କାଗଜପତ୍ରର ଏକ ସଂସ୍ଥା। ଚଢ଼ଉ ସମୟରେ କମ୍ପାନିର ଯେଉଁ ଠିକଣା ଥିଲା, ସେହି ଠିକଣାରେ କୌଣସି କମ୍ପାନି ଥିବାର ରେକର୍ଡ ମିଳିନଥିଲା। ଏହାସହିତ କମ୍ପାନି କର୍ତ୍ତୃପକ୍ଷ ଟେଲିଗ୍ରାମ ଆପ୍ରେ ‘ଡିସାପିୟରିଂ ମେସେଜ୍’ ମୋଡ୍ ବ୍ୟବହାର କରି ସେମାନଙ୍କ ଯୋଗାଯୋଗକୁ ଲୁଚାଉଥିଲେ। ଏହି ମାମଲାରେ ଅନ୍ୟାନ୍ୟ କମ୍ପାନିଙ୍କ ସହ ସନ୍ଦେହଜନକ ଆର୍ଥିକ ନେଣଦେଣର ତଦନ୍ତ ଚାଲିଥିବା ଇଡି ପକ୍ଷରୁ ଜଣାପଡ଼ିଛି।