ବିଷ୍ଣୁ ସୁସ୍ଥ, ଆଜିଠୁ ପ୍ରଚାର କରିବେ

ଜଗତସିଂହପୁର : କିଛିଦିନ ତଳୁ ଅସୁସ୍ଥ ହୋଇ ଭୁବ‌ନେଶ୍ବରରେ ଚିକିତ୍ସିତ ହେଉଥିବା ତିର୍ତ୍ତୋଲ ବିଜେଡି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ସୁସ୍ଥ ହୋଇଛନ୍ତି। ତାଙ୍କ ଅସୁସ୍ଥତା ଖବର ଶୁଣି ଭାଙ୍ଗି ପଡ଼ିଥିବା କର୍ମୀମାନେ ଏବେ ଉତ୍ସାହିତ ହୋଇଥିବା ଦେଖାଯାଇଛି। ଆସନ୍ତାକାଲିଠାରୁ ବିଷ୍ଣୁ ପ୍ରଚାରରେ ସାମିଲ ହେବେ। ତା’ଛଡ଼ା, ତାଙ୍କ ଅସୁସ୍ଥତା କାରଣରୁ ଗତକାଲି ବାତିଲ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ୨୫ ତାରିଖରେ କରାଯିବ ବୋଲି ଜଣାପଡ଼ିଛି।

ଜଗତସିଂହପୁର ନିର୍ବାଚନମଣ୍ତଳୀରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଷ୍ଣୁ ଚଳିତଥର ତିର୍ତ୍ତୋଲ ବିଧାନସଭା(ସଂ) ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନିଜ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇବା ପାଇଁ ଗୋଟିଚାଳନା କରୁଥିବା ବେଳେ ବିଷ୍ଣୁ କେଇଦିନ ତଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାକୁ ନେଇ ତାଙ୍କ ସମର୍ଥକମାନେ ଭାଙ୍ଗି ପଡ଼ିଥିଲେ। ତେ‌ବେ, ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆସନ୍ତକାଲିଠାରୁ ଭୋଟ୍‌ ପ୍ରଚାରରେ ସାମିଲ ହେବା ସହ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜୋରଦାର କରିବେ ବୋଲି ତାଙ୍କ ଅନୁଗତମାନେ କହିଛନ୍ତି। ତା’ଛଡ଼ା, ଦଳର ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସହ ଥିବା ତାଙ୍କ ମନୋମାଳିନ୍ୟ ଶାନ୍ତ ପଡ଼ିଥିବାରୁ ବିଷ୍ଣୁ ତାହାକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଚଳାଇଛନ୍ତି। ୨୫ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏହି ଦୁଇନେତାଙ୍କ ସମ୍ପର୍କ ଉପରେ ସମସ୍ତଙ୍କ ନଜର ରହିଛି। ବିଷ୍ଣୁଙ୍କ ସୁସ୍ଥ ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ଅନୁଗତମାନେ ବେଶ ଉତ୍ସାହିତ ହୋଇ ପଡ଼ିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର