ଭୁବନେଶ୍ବର: ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ଆଶା, ଆକାଂକ୍ଷାକୁ ସାକାର କରିବା ପାଇଁ ଆମ ସରକାର ନିରନ୍ତର ଭାବେ ଗତ ୧ବର୍ଷ ହେଲା କାର୍ଯ୍ୟ କରିଚାଲିଛନ୍ତି। ଏହାର ସୁଫଳ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କରେ ପ୍ରତିଫଳିତ ହେଉଛି। ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ ଆମ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ମଧ୍ୟ ଏହା ସହାୟକ ହେବ। ଏନେଇ ପ୍ରସ୍ତୁତ ହେଉଥିବା ଭିଜନ୍ ଡକୁମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଭିଜନ ଡକୁମେଣ୍ଟ ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ବପ୍ନର ଏକ ରୋଡ୍ମ୍ୟାପ୍ ହେବାକୁ ଯାଉଛି। ଏହା ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକ ପ୍ରତିଶ୍ରୁତି। ଏହା ଆମ ସାମଗ୍ରିକ ଚିନ୍ତା ଓ ଚେତନାକୁ ବିଶ୍ବସ୍ତରୀୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ‘ସୁଶାସନ ଏବଂ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭’ ସମ୍ପର୍କିତ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ‘ବିକାଶଶୀଳରୁ ବିକଶିତ’ ରାଜ୍ୟରେ ପରିଣତ କରିବା। ଏହି ଲକ୍ଷ୍ୟର ପ୍ରଥମ ମାପଦଣ୍ଡ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ନିୟୁତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବା। ଏଥିପାଇଁ ଆମକୁ ଅତି କମ୍ରେ ଆସନ୍ତା ୧୧ବର୍ଷର ପ୍ରତିବର୍ଷ ଦୁଇ ଅଙ୍କରେ ପ୍ରକୃତ ଅଭିବୃଦ୍ଧି ହାସଲ କରିବା। ଲକ୍ଷ୍ୟ ବଡ଼ ହେଲେ ବି ହାସଲ ସାପେକ୍ଷ। ୨୦୩୬ ସୁଦ୍ଧା ସମସ୍ତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟାପକ ଅଗ୍ରଗତି ଆଣିବା ପାଇଁ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟ ଚିହ୍ନଟ କରାଯାଇଛି। ଆମର ଏହି ରଣନୈତିକ ପଦକ୍ଷେପର ନାଁ ହେଉଛି ‘୩୬ ପାଇଁ ୩୬’।
ଆମର ଲକ୍ଷ୍ୟ ବିକାଶଶୀଳରୁ ବିକଶିତ ଓଡ଼ିଶା ନିର୍ମାଣ
ବିକଶିତ ଓଡ଼ିଶା ଗଠନ ପାଇଁ ମାନସମନ୍ଥନ
ସରକାରଙ୍କ ରଣନୀତି ହେଉଛି ‘୩୬ ପାଇଁ ୩୬’
ବିକଶିତ ଓଡ଼ିଶା ଲକ୍ଷ୍ୟ ଓଡ଼ିଶାକୁ ବଡ଼ ସ୍ବପ୍ନ ଦେଖିବାର ସୁଯୋଗ ଦେଇଛି: ରାଜୀବ ଗୌବା
ସମୃଦ୍ଧ ଓଡ଼ିଶା ଭିଜନ ଡକୁମେଣ୍ଟରେ ଥିବା କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟ ପୂରଣ ପାଇଁ ତାହାର ସମାନୁକ୍ରମରେ ମୂଲ୍ୟାୟନ, ଆବଶ୍ୟକସ୍ଥଳେ ଆବଶ୍ୟକୀୟ ପରିବର୍ତ୍ତନ, ଏହାର ରୂପରେଖକୁ ଦୈନନ୍ଦିନ ଭାବେ ସହାୟତା ଦେବାକୁ ସରକାରଙ୍କ ପାଇଁ ଏକ ଥିଙ୍କଟ୍ୟାଙ୍କ ଅନୁଷ୍ଠାନ ରହିବ। ଏହି ଦିଗରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର (ଏନ୍ସିଡିଏସ୍)କୁ ଏକ ବିଶ୍ବସ୍ତରୀୟ ସାମାଜିକ-ଅର୍ଥନୈତିକ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ କରାଯାଉଛି। ସେହିପରି ଓଡ଼ିଶାକୁ ଏକ ‘କୃଷି ଭିତ୍ତିକ ଅର୍ଥନୀତି’ରୁ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ନେବା। କୃଷି ଉତ୍ପାଦନରେ କୌଣସି ପ୍ରକାରର ପ୍ରଭାବ ନପକାଇ ଏହାକୁ ହାସଲ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୃଦ୍ଧ ଓଡ଼ିଶାର ଆଉ ଏକ ଦିଗ ହେଉଛି ଓଡ଼ିଆ ଅସ୍ମିତା। ଓଡ଼ିଶାର ଇତିହାସ ଏବଂ ଗୌରବମୟ ସଂସ୍କୃତି ଉପରେ ଆଲୋଚନା କରି ସେ କହିଥିଲେ ଓଡ଼ିଆ ସଂସ୍କୃତି, ପରମ୍ପରା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ବିକାଶ କରି ସମୃଦ୍ଧ ଓଡ଼ିଶା ଗଠନରେ ସାମାଜିକ ଓ ଅର୍ଥନୈତିକ ବିକାଶ ସହ ସାଂସ୍କୃତିକ ଅଭ୍ୟୁଦୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଆଲୋଚନାଚକ୍ରର ପ୍ରାରମ୍ଭିକ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଶକ୍ତି ଉତ୍ପାଦନ, କୃଷିରେ ମୂଲ୍ୟଯୁକ୍ତ ଉତ୍ପାଦ ସହ ଉତ୍ପାଦିତ ସାମଗ୍ରୀର ପରିବହନର ସୁବିଧା, ଯୁବକଯୁବତୀଙ୍କ ଦକ୍ଷତା ବିକାଶ କରି ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ଆଦି ବିକଶିତ ଭାରତ ସ୍ବପ୍ନକୁ ସାକାର କରିବ।
ମୁଖ୍ୟ ସଚିବ ମନୋଜ ଆହୁଜା ଯୋଗଦେଇ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ପ୍ରମୁଖ କାର୍ଯ୍ୟପ୍ରଣାଳୀ, ପୁଞ୍ଜିନିବେଶ ଧାରା, ଭିତ୍ତିଭୂମି ବିକାଶ, ଗବେଷଣା, ବୈଷୟିକ ଶିକ୍ଷା, ଦକ୍ଷ ଶାସନ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରେ ରଖି ସାମାଜିକ ଅଭିବୃଦ୍ଧି ଏବଂ ମିସନ ମୋଡ୍ରେ ଦୃତ ବିକାଶମୂଳକ ପରିବର୍ତ୍ତନ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଧନ୍ୟବାଦ ଦେଇଥିଲେ। ପରେ ଆୟୋଜିତ ପ୍ୟାନେଲ ଡିସ୍କସନ୍ରେ ପୂର୍ବତନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ର ଅଧ୍ୟକ୍ଷତା କରି ସୁଶାସନ ପାଇଁ କେତେକ ନିୟାମକରେ ପରିବର୍ତ୍ତନ, ବିକାଶ ପ୍ରକ୍ରିୟାରେ ଔଦ୍ୟୋଗିକ ବିକାଶ, ସମତୁଲ ବିକାଶ, ମାନବ ସମ୍ବଳକୁ ପୁଞ୍ଜି କରିବା, ସହରାଞ୍ଚଳ ବିକାଶ ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେବାକୁ କହିଥିଲେ।
ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା କହିଥିଲେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ଓଡ଼ିଶାକୁ ବଡ଼ ସ୍ବପ୍ନ ଦେଖିବାର ସୁଯୋଗ ଦେଇଛି। ଏଥିପାଇଁ ରାଜନୈତିକ ନେତୃବୃନ୍ଦ, ଶିକ୍ଷାବିତ, ନାଗରିକ ସମାଜ ଏକାଠି ହେବା ଦରକାର। ସେହିପରି ଆନୁଷ୍ଠାନିକ ବା ସଂସ୍ଥାଗତ ସଂସ୍କାର ଗଠନଗତ ଢାଞ୍ଚା, ଔଦ୍ୟୋଗିକ ବିକାଶ ଆଦି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟଯୋଜନା ଏବଂ ସେସବୁର ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେଲେ ଅଭିବୃଦ୍ଧି ହାର ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି କହିଥିଲେ। ନୀତି ଆୟୋଗର ଅନ୍ୟତମ ସଦସ୍ୟ ବିନୋଦ ପାଲ୍ ଯୋଗଦେଇ ଓଡ଼ିଶାରେ ସ୍ବାସ୍ଥ୍ୟ, ପୋଷଣ ଓ ଶିକ୍ଷା ତଥା ଦକ୍ଷତା ବିକାଶକୁ ଗୁରୁତ୍ବ ଦେଇଥିଲେ। ବୈଠକରେ ଅପେଲ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିରାଟ ଭାଟିଆ, ରିନ୍ୟୁର ସିଇଓ ସୁମନ୍ତ ସିହ୍ନା, ନାସକମ୍ର ସଭାପତି ରାଜେଶ ନାମ୍ବିଆର ପ୍ରମୁଖ ଆଭାସୀ ମାଧ୍ୟମରେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଶମିକା ରବି ଯୋଗଦେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସୁଯୋଗ ଓ ସମ୍ଭାବନା ଉପରେ ମତ ରଖିଥିଲେ।