ବିଶ୍ବଜିତ ଦାଶ
ଭୁବନେଶ୍ବର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସମୟରେ ଓଡ଼ିଶାର ଅର୍ଥନୀତି ୫୦୦ ବିଲିଅନ ଡଲାରରେ ପହଞ୍ଚିବ। ଏହି ମହତ୍ତ୍ବକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ସରକାର ସଡ଼କ, ଯୋଗାଯୋଗ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ବିଭାଗ ମଧ୍ୟ ବଡ଼ ଯୋଜନା କରିଛି। ଯୋଜନା ଅନୁଯାୟୀ, ୨୦୩୬ ସୁଦ୍ଧା ଦେଶର ବନ୍ଦରଭିତ୍ତିକ କାର୍ଗୋ ପରିବହନର ୩୩% ଓଡ଼ିଶାରୁ ହେବ। ରାଜ୍ୟ-ରାଜ୍ୟ ମଧ୍ୟରେ ଏବଂ ଆମ ରାଜ୍ୟ ମଧ୍ୟରେ ରେଳ, ବିମାନ, ବନ୍ଦର ଏବଂ ଜଳପଥରେ ମୋଟ୍ ମାଲ୍ ପରିବହନର ୫୫% ଅଂଶ ହେବ, ଇ-ଯାନ ବା ବିକଳ୍ପ ଯାନ ବିକ୍ରି ୮୦% ହେବ, ସବୁ ଗାଁକୁ ସରକାରୀ ବସ୍ ଚାଲିବ, ସହରାଞ୍ଚଳରେ ମେଟ୍ରୋ ଚାଲିବ, ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ଗଠନ ହେବାକୁ ଥିବା ‘କ୍ବାଡ୍ ସିଟି’ରେ ୧୮୦ କିମି ବେଗରେ ଟ୍ରେନ୍ ଗଡ଼ିବା ପାଇଁ ରିଜିଓନାଲ ରାପିଡ୍ ଟ୍ରାନ୍ଜିଟ୍ ସିଷ୍ଟମ (ଆର୍ଆର୍ଟିଏସ୍)କୁ ସୁଦୃଢ଼ କରାଯିବ।
ହେଲେ ଏହି ଯୋଜନା ଆସନ୍ତା ୧୦ ବର୍ଷରେ ହାସଲ ହୋଇପାରିବ ତ? ବିଭାଗର ଯୋଜନା ଦେଖିଲେ ‘ଆକାଶ କଇଁଆ ଚିଲିକା ମାଛ’ ଭଳି ହୋଇଛି। କାରଣ ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରି ନିର୍ମାଣ ହେବାକୁ ଥିବା ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି। ଯେଉଁ ସହରରେ ମେଟ୍ରୋ ପ୍ରକଳ୍ପ ହେଉଛି, ତାହା ଶେଷ ହେବାକୁ ୮ରୁ ୧୦ ବର୍ଷ ଲାଗୁଛି। ଏବେ ଯେଉଁ ପ୍ରକଳ୍ପ ବନ୍ଦ ହୋଇଛି, ତାହାକୁ ନୂଆ କରି ପୁଣି ଆରମ୍ଭ କଲେ ସେଥିପାଇଁ କେବେ ଡିପିଆର୍ ହେବ, କେବେ ଟେଣ୍ଡର ହେବ ଏବଂ କେବେ ମେଟ୍ରୋ ଗଡ଼ିବ, ସେ ଖବର କାହା ପାଖରେ ନାହିଁ। ତେଣୁ ୧୦ ବର୍ଷ ଭିତରେ କିପରି ମେଟ୍ରୋ ଗଡ଼ିବ? ଏହା ବାଦ୍ ‘କ୍ବାଡ୍ ସିଟି’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି ନଥିବାବେଳେ ରେଳ ମନ୍ତ୍ରଣାଳୟ ୧୮୦ କିମି ବେଗରେ ରେଳ ଚଳାଇବା ପାଇଁ ରେଳ ଲାଇନ୍ ସୁଦୃଢ଼ କରିବ ତ?
୨୦୩୬ ସୁଦ୍ଧା ଇ-ଯାନ/ବିକଳ୍ପ ଯାନ ବିକ୍ରି ୮୦% କରିବାକୁ ଲକ୍ଷ୍ୟ ରଖାଯାଇଛି। ଅତୀତର ବିଫଳତା ଏବଂ ବର୍ତ୍ତମାନର ସ୍ଥିତିରେ ଏହା କିପରି ସମ୍ଭବ ହେବ ତାହା ମଧ୍ୟ ବଡ଼ ପ୍ରଶ୍ନ। କାରଣ ଇଭି ନୀତି-୨୦୨୦ରେ ଲକ୍ଷ୍ୟ ରଖାଯାଇଥିଲା ୫ବର୍ଷରେ ରାଜ୍ୟରେ ୨୦% ଇ-ଯାନ ଚଳାଚଳ କରାଯିବ। କିନ୍ତୁ ଏବେ ସୁଦ୍ଧା ୯% ଇ-ଯାନ ବ୍ୟବହାର ହେଉଥିବାବେଳେ ନୂଆ ଗାଡ଼ି ବିକ୍ରିର ମାତ୍ର ୭% ଇ-ଯାନ ବିକ୍ରି ହେଉଛି। ଏହାକୁ ୨୦୩୦ ସୁଦ୍ଧା ୫୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୩୬ ସୁଦ୍ଧା କିପରି ୮୦% ହେବ ସେ ନେଇ ସ୍ପଷ୍ଟ ଯୋଜନା ନାହିଁ।
୧୦ ବର୍ଷରେ ଏତେ ଯୋଜନା କେମିତି ହେବ?
ଦେଶର ୩୩% କାର୍ଗୋ ପରିବହନ ବନ୍ଦରରେ ହେବ
ରାଜ୍ୟ ଭିତରେ ବିମାନ, ରେଳ, ଜଳପଥ, ବନ୍ଦର ପରିବହନ ୧୦%ରୁ ୫୫%କୁ ବଢ଼ାଇବାକୁ ଯୋଜନା
ଇ-ଯାନ ବିକ୍ରି ୭% ହେଉଛି, ୮୦% କରିବେ
ରାଜ୍ୟରେ ଥିବା ୩ଟି ବନ୍ଦରରେ ଏବେ ଦେଶର ୧୩% କାର୍ଗୋ ପରିବହନ ହେଉଛି। ଏହାକୁ ୩୩%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟରେ ୨୦୩୬ ସୁଦ୍ଧା ୮ଟି ବନ୍ଦର କରିବାକୁ ଯୋଜନା ହୋଇଥିବାବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ପାଇଁ ଆସନ୍ତା ୨ ବର୍ଷରେ ତ୍ବରିତ ପଦକ୍ଷେପ ନେବାକୁ ଯୋଜନା ହୋଇଛି। କିନ୍ତୁ ଓଡ଼ିଶାରେ ବନ୍ଦରଭିତ୍ତିକ କାର୍ଗୋ ପରିବହନ କହିଲେ ମୁଖ୍ୟତଃ ଲୁହାପଥର, କୋଇଲା ସମେତ ବିଭିନ୍ନ ଖଣିଜ ପଦାର୍ଥ, ଅଶୋଧିତ ତୈଳ, ସାର ଇତ୍ୟାଦିକୁ ବୁଝାଉଛି। ରାଜ୍ୟରେ ବନ୍ଦରଭିତ୍ତିକ କାର୍ଗୋ କାରବାର ବଢ଼ାଇବାକୁ ରାଜ୍ୟ ସରକାର ନିକଟରେ ବିଭିନ୍ନ ସଂସ୍ଥା ସହ ଏମ୍ଓୟୁ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସର୍ବସାଧାରଣ ବ୍ୟବହାର ଭଳି ସାମଗ୍ରୀ କିପରି ସୁବିଧାରେ ଆସିବ ସେଥିପାଇଁ କଣ୍ଟେନର୍ କାର୍ଗୋ ବ୍ୟବସ୍ଥା ସୁଦୃଢ଼ କରାଯାଇନାହିଁ। ଏବେ କେବଳ ପାରାଦୀପ ବନ୍ଦରରେ କିଛି କଣ୍ଟେନର୍ କାର୍ଗୋ ଆସୁଥିଲେ ହେଁ ଏହା ନିୟମିତ ଆସୁନି। ଯେଉଁଥିପାଇଁ ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗର ହଳଦିଆ ଏବଂ ବିଶାଖପାଟଣା ବନ୍ଦର ଉପରେ ନିର୍ଭର କରୁଛନ୍ତି। ଏହାବାଦ୍ ଓଡ଼ିଶାରେ ଖଣିଭିତ୍ତିକ ଶିଳ୍ପ ବ୍ୟତୀତ ଅନ୍ୟ ଶିଳ୍ପ ନହେଲେ ୧୦ ବର୍ଷରେ ୨୦% କାର୍ଗୋ ପରିବହନ ଲକ୍ଷ୍ୟ ବଢ଼ାଇବା କଷ୍ଟକର ହୋଇପଡ଼ିବ।
ସେହିପରି ରେଳ, ବିମାନ, ବନ୍ଦର, ଜଳ ପରିବହନରେ ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏବଂ ରାଜ୍ୟ ଭିତରେ ପରିବହନ ବ୍ୟବସ୍ଥା ଏବେ ୧୦%ରୁ କମ୍ ଥିବାବେଳେ ଏହାକୁ ୨୦୩୬ ସୁଦ୍ଧା ୫୫% କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ମୁଖ୍ୟତଃ ରେଳ ମାଧ୍ୟମରେ ଯାହା ଅନ୍ତଃରାଜ୍ୟ ପରିବହନ ହେଉଛି। ଦୁଇଟି ଜଳପଥ ଯଥା ଜାତୀୟ ଜଳପଥ-୫ ଏବଂ ଜାତୀୟ ଜଳପଥ-୬୪ର ବିକାଶ ପାଇଁ ଏମ୍ଓୟୁ ହୋଇଥିବାବେଳେ ଏହା ବାସ୍ତବରେ କେବେ କାର୍ଯ୍ୟକ୍ଷମ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନି। ଅଦ୍ୟାବଧି ଭୁବନେଶ୍ବର ବିମାନବନ୍ଦରକୁ ଗୋଟିଏ ବି ସ୍ବତନ୍ତ୍ର କାର୍ଗୋ ବିମାନ ଚଳାଚଳ କରିପାରିଲାନି। ତେଣୁ ୨୦୩୬ ସୁଦ୍ଧା ୫୫% ପରିବହନ ଲକ୍ଷ୍ୟ କିପରି ହାସଲ କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଏସବୁ ବାଦ୍ ବାଣିଜ୍ୟ ଓ ପରିବହନ ବିଭାଗ ଯୋଜନା କରିଛି ପ୍ରତି ୧୦ଲକ୍ଷ ଲୋକରେ ୫ ଲକ୍ଷ ଯାତ୍ରୀ ବିମାନରେ ଯାତାୟାତ କରିବା ଭଳି ଭିତ୍ତିଭୂମି ସୁଦୃଢ଼ ହେବ। ଏଥିପାଇଁ ‘ଉଡାନ୍’ ଯୋଜନାରେ ରାଜ୍ୟରେ ୧୦ ବର୍ଷରେ ଆଉ ୫ଟି ନୂଆ ବିମାନବନ୍ଦର ହେବ। ଏଥିରେ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଛି। ଦୁଇ ବର୍ଷ ଭିତରେ ୧୦ଟି ନୂଆ ସହରକୁ ଘରୋଇ ବିମାନ ଏବଂ ୩ଟି ଅନ୍ତର୍ଜାତୀୟ ବିମାନ ଉଡ଼ାଇବାକୁ ଯୋଜନା ହୋଇଛି। ଏହାବାଦ୍ ୨୦୩୬ ସୁଦ୍ଧା ସି-ପ୍ଲେନ୍, ବିଭିନ୍ନ ସହରାଞ୍ଚଳ ଏବଂ ଅପହଞ୍ଚ ଜାଗାରେ ହେଲିକପ୍ଟର ସେବା ଆରମ୍ଭ କରାଯିବ। ଏହି ସବୁ ଯୋଜନା କେବଳ ଭିଜନ୍ ଡକ୍ୟୁମେଣ୍ଟରେ ସ୍ଥାନ ପାଇଛି। ମାତ୍ର ଏତେ ବଡ଼ ଲକ୍ଷ୍ୟ କିଭଳି ହାସଲ ହେବ, ସେ ନକ୍ସା କେବେ ସାମନାକୁ ଆସିବ; ତାହା ଏବେ ବଡ଼ ଆହ୍ବାନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/20/odisha-vision-2025-11-20-00-47-09.jpg)