ପୁରୀ : ଦୀର୍ଘ ଦଶମାସ ଧରି କୋଭିଡ୍‌ କଟକଣାର ଅଡ଼ୁଆ ଜାଲରେ ଛନ୍ଦି ହୋଇ ରହିଥିବା ଭକ୍ତଙ୍କୁ ଗୁରୁବାରଠାରୁ ଆଶ୍ବସ୍ତି ମିଳିଛି। ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କୁ ମନଭରି ଦର୍ଶନ କରିଛନ୍ତି ଭକ୍ତ। କୋଭିଡ୍‌ ରିପୋର୍ଟ କଟକଣା ହଟିବାର ଆଜି ପ୍ରଥମଦିନରେ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଏଥିପାଇଁ ଆଜି ଭୋର ୫ଟାରୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଜଗନ୍ନାଥ ବଲ୍ଲଭରେ ଗାଡ଼ି ପାର୍କିଂ ପରେ ଶ୍ରଦ୍ଧାଳୁ ସପରିବାର ମାର୍କେଟ୍‌ ଛକରୁ ବାରିକେଡ୍‌ ଭିତରେ ଲମ୍ବାଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିଲା।

Advertisment

ଗୁରୁବାର ଭୋର ୫ଟା ୨୫ରେ ଦ୍ବାରଫିଟା ନୀତି ପରେ ୫ଟା ୫୫ରେ ଭିତରଶୋଧ, ୬ଟାରେ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଭୋର ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତ ସକାଳୁ ମାର୍କେଟ୍‌ ଛକରୁ ଧାଡ଼ିରେ ଯାଇ ଜୋତାଷ୍ଟାଣ୍ଡ୍‌ରେ ଜୋତା, ବ୍ୟାଗ ଆଦି ରଖିବା ପରେ ସିଂହଦ୍ବାର ସେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସମସ୍ତ ଭକ୍ତଙ୍କ ଥର୍ମାଲ୍‌ ସ୍କାନିଂ କରାଯାଇଥିଲା। ମାସ୍କ ଯାଞ୍ଚ ସହ ‌ହାତ ସାନିଟାଇଜ ପରେ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଥିଲା।

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସ୍ବତନ୍ତ୍ର ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏଥିପାଇଁ ପୁଲିସ ପକ୍ଷରୁ ୨୫ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ସହ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ଅପରାହ୍ଣ ୨ଟାରୁ ୩ଟା ଭିତରେ ଭକ୍ତଙ୍କ ସଂଖ୍ୟା କିଛିଟା କମିବା ପରେ ପୁନର୍ବାର ଅପରାହ୍ଣ ୪ଟାରୁ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ବିନା ଧୂପ, ଦୀପ, ଫୁଲରେ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ ସାରି ଉତ୍ତରଦ୍ବାରରେ ପ୍ରସ୍ଥାନ କରିଥିଲେ। ଭକ୍ତଙ୍କୁ ଖରାରୁ ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ଥାନରେ ପିଇବା ପାଣି ସହ ଉତ୍ତରଦ୍ବାରରେ ପୁଲିସ ସହାୟତା କେନ୍ଦ୍ର ଖୋଲା ଯାଇଥିଲା।

ଆଇନଶୃଙ୍ଖଳା ଦୃଷ୍ଟିରୁ ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହେ ଅଧିକାରୀଙ୍କ ସହ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ ପ୍ରମୁଖ ଦର୍ଶନ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ଭିତରେ ପ୍ରତିହାରୀ ସେବକ ଜୟ-ବିଜୟ ଦ୍ବାର ଓ ବେହେରଣ ଦ୍ବାରରେ ରହି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିଥିଲେ। ଭିଡ଼ ନିୟନ୍ତ୍ରଣ କରି ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିଥିଲେ। ଗୋପାଳବଲ୍ଲଭ ନୀତି ପାଇଁ ପୂର୍ବାହ୍ଣରେ ଗୋଟିଏ ଘଣ୍ଟା ଦର୍ଶନ ବନ୍ଦ ରହିବା ପରେ ପୁନର୍ବାର ଦର୍ଶନ ସ୍ବାଭାବିକ ହୋଇଥିଲା।

ଦୀର୍ଘ ୯ ମାସ ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲେ ବି ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କଟକଣା ଭକ୍ତ ଓ ଭଗବାନଙ୍କ ମଝିରେ ପ୍ରାଚୀର ସୃଷ୍ଟି କରିଥିଲା। ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲେ ବି ଆଶାଜନକ ଭକ୍ତ ହୋଇନଥିଲେ। ବିରୋଧ ପରେ ଶେଷରେ କୋଭିଡ୍‌ ରିପୋର୍ଟ କଟକଣାକୁ ହଟାଯାଇଛି। ଆସନ୍ତା ଫେବ୍ରୁଆରି ୨୧ ପର୍ଯ୍ୟନ୍ତ ବିନା କୋଭିଡ୍‌ ରିପୋର୍ଟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। କେବଳ ପ୍ରତି ରବିବାର ଦିନ ଦର୍ଶନ ବନ୍ଦ ରହିବ। ଏହି ଦିନ ଶ୍ରୀମନ୍ଦିର ବିଶୋଧନ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ମାସେ ଧରି ଦର୍ଶନର ସମୀକ୍ଷା ପରେ ଏସ୍‌ଓପିରେ ପରିବର୍ତ୍ତନ କରାଯିବା ସହ କଟକଣା କୋହଳ କରାଯିବ।