ଭଦ୍ରକ/କେନ୍ଦୁଝର: ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଜିଲ୍ଲାବାସୀ ଦାବି କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭଦ୍ରକକୁ ବହୁତ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାବାସୀଙ୍କର ଏହି ଦୁଇ ପ୍ରମୁଖ ଦାବି ପୂରଣ ହେବ ବୋଲି ଏଠାକୁ ଦୁଇଦିନିଆ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ କହିଛନ୍ତି।
ଶ୍ରୀ ପାଣ୍ଡିଆନ ଆଜି ଅପରାହ୍ନରେ ନେହେରୁ ଷ୍ଟାଡିୟମର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିବା ସହ କ୍ରିକେଟ୍ ସହିତ ଅନ୍ୟାନ୍ୟ କ୍ରୀଡ଼ା ଆୟୋଜନ ନିମନ୍ତେ ଫ୍ଲଡ୍ ଲାଇଟ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଷ୍ଟାଡିୟମରେ ଉପସ୍ଥିତ ଥିବା ଯୁବକ, ଯୁବତୀମାନଙ୍କ ସହ କ୍ରୀଡ଼ାର ବିକାଶ ନେଇ ଆଲୋଚନା କରିବାପରେ ଚରମ୍ପା ଉଗ୍ରସେନ ଭବନଠାରେ ଆୟୋଜିତ ମିସନ ଶକ୍ତି ମହିଳାମାନଙ୍କ ଏକ ସମାବେଶରେ ଯୋଗ ଦେଇଥିଲେ। ପରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ଛାତ୍ର ସମାବେଶରେ ଯୋଗଦେଇ ଜିଲ୍ଲାର ସମସ୍ତ କଲେଜକୁ ୬ ମାସ ଭିତରେ ରୂପାନ୍ତରୀକରଣ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହିତ, ଭଦ୍ରକ ଗେଲପୁର ଅଞ୍ଚଳରେ ନିର୍ମାଣ ହୋଇଥିବା ନୂତନ ଜିଲ୍ଲା ମହିଳା ଓ ଶିଶୁ ଡାକ୍ତରଖାନାକୁ ଯାଇ ସମସ୍ତ କାର୍ଯ୍ୟ ବୁଲି ଦେଖିଥିଲେ। ଆସନ୍ତା ଅଗଷ୍ଟ ମାସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଦ୍ଘାଟନ କରାଯିବ ବୋଲି ୫-ଟି ସଚିବ କହିଥିଲେ। ଏଥି ସହିତ ମା’ ଭଦ୍ରକାଳୀଙ୍କ ଦର୍ଶନ କରିବା ସହ ଏହି ପୀଠର ଉନ୍ନତି କରାଯିବ ବୋଲି ସେ କହିଥିଲେ।
ଭଦ୍ରକ ଜିଲ୍ଲା ଗସ୍ତପୂର୍ବରୁ ୫-ଟି ସଚିବ ପାଣ୍ଡିଆନ ଘଟଗାଁ ଯାଇ ପ୍ରଥମେ ମା’ ତାରିଣୀଙ୍କ ଦର୍ଶନ କରିଥିଲେ। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ଓ ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ମନ୍ଦିର ପରେ ଏବେ ଘଟଗାଁ ମା’ ତାରିଣୀ ପୀଠର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଥିଲେ।