ବୌଦ୍ଧ/ କଣ୍ଟାମାଳ/ହରଭଙ୍ଗା: ୫-ଟି ସଚିବ ଭିକେ ପାଣ୍ଡିଆନ ବୁଧବାର ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଥମେ କଣ୍ଟାମାଳ ବ୍ଲକର ୫-ଟିରେ ରୂପାନ୍ତରିତ ହୋଇଥିବା ଆମ୍ବଗାଁ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ପାଇଁ ୭୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ।। ସେହିପରି ୨୪୭ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୫-ଟି ପ୍ରକଳ୍ପ ‘ପାର୍ବତୀ ଗିରି ମେଗା ଜଳ ସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ ଶ୍ରୀ ପାଣ୍ଡିଆନ।
ବୌଦ୍ଧରେ ପହଞ୍ଚି ଜିଲ୍ଲା ଷ୍ଟାଡିଅମରେ ୫-ଟି ସଚିବ ମିସନ ଶକ୍ତି ମହିଳାଙ୍କ ସହ ଭାବ ବିନିମୟ କରିଥିଲେ। ପରେ ମଡେଲ ଡିଗ୍ରି କଲେଜରେ ଅନୁଷ୍ଠିତ ଛାତ୍ର ସମାବେଶରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ୫-ଟିରେ ସାମିଲ ହୋଇଥିବା ବଡ଼ବନ୍ଧ ବାଳିକା ଆଶ୍ରମ ହାଇସ୍କୁଲ ପରିଦର୍ଶନ କରି ଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ ବି କରିଥିଲେ। ପୁରୁଣାକଟକ ଭୈରବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ୫-ଟି ସଚିବ ପାଣ୍ଡିଆନଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଆଇଜି ସତ୍ୟବ୍ରତ ଭୋଇଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।