ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନୂଆପଡ଼ା ଗସ୍ତ: ସାଇପଲା, ପତୋରା ଡ୍ୟାମ୍ ବୁଲି ଦେଖିଲେ

ନୂଆପଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ଚତୁର୍ଥଦିନରେ ଟିମ୍ ସଦସ୍ୟମାନେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚି ସାଇପଲା ଡ୍ୟାମ୍‌ ଓ ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଷ୍ଟିସ୍ ଏଏମ୍ ଖାନୱଲିକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ସଦସ୍ୟ ପ୍ରଥମେ ସାହିପଲା ଡ୍ୟାମ୍‌ରେ ପହଞ୍ଚିଥିଲେ। ​ଡ୍ୟାମ୍‌ର ଜଳଧାରଣ କ୍ଷମତା ସହ ବର୍ତ୍ତମାନ ଡ୍ୟାମ୍‌ରେ କେତେ ପାଣି ଅଛି ଏବଂ ରବି ଚାଷ ପାଇଁ କେତେ ପାଣି ଦିଆଯାଇଛି, ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବାହାରି ଅପରାହ୍ନ ୨ଟାରେ ପତୋରା ଅପର ଜୋଙ୍କ ପ୍ରକଳ୍ପରେ ପହଞ୍ଚିଥିଲେ। ପ୍ରକଳ୍ପ ପାଣି କେଉଁ ସ୍ଥାନକୁ ପ୍ରବାହିତ ହୁଏ, ଖରିଫ ଓ ରବି ଚାଷ ପାଇଁ କେତେ ପାଣି ଲାଗିଥାଏ ସେନେଇ ଅପର ଜୋଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏଏମ୍‌ ଖାନୱଲିକରଙ୍କ ସହ ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ଜଣ ଆସେସର୍‌, ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ, ବୈଷୟିକ ଟିମ୍‌ ସଦସ୍ୟ, ଉତ୍ତରାଞ୍ଚଳ ରାଜସ୍ବ କମିସନର ସୁରେଶ ଚନ୍ଦ୍ର ଦଲାଇ, ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସୟ, ଏସ୍‌ପି ଜି.ଆର ଗୁଣ୍ଡାଲାଲ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରିବ୍ୟୁନାଲଙ୍କ ଗସ୍ତକୁ ନେଇ ସାଇପଲା ଓ ପତୋରା ଅପର ଜୋଙ୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯିବା ସହ ଏହି ସ୍ଥାନମାନଙ୍କୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା।

ସମ୍ବନ୍ଧିତ ଖବର