ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ବଲାଙ୍ଗୀର ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କଲେ

ବଲାଙ୍ଗୀର/ଦେଓଗାଁ : ବଲାଙ୍ଗୀର ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଛନ୍ତି। ଜିଲ୍ଲାରେ ନୀତି ଆୟୋଗ ତଫରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ ସକାଶେ କ୍ଷେତ୍ର ପରିଦର୍ଶନ କରିବା ସହ ସଂପୃକ୍ତ ବିଭାଗ ତରଫରୁ କାର୍ଯ୍ୟକାରୀ କାରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସମୀକ୍ଷା କରିଥିଲେ।

ପୂର୍ବାହ୍ଣରେ ସଚିବ ଶ୍ରୀ ଧଳ ଦେଓଗାଁ ବ୍ଲକ୍‌ ଗାଈବାହାଲ ପଞ୍ଚାୟତ ଘୁଚେପାଲିକୁ ଯାଇ ଓଡ଼ିଶା ଜୀବିକା ମିସନ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଗ୍ରାହକ ସେବାକେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ସେହି ପଞ୍ଚାୟତର ରତନପୁର ଗ୍ରାମକୁ ଯାଇ ଛେଳି ପାଳନ କ୍ଲଷ୍ଟର, ମାଁ ତାରିଣୀ ଏସ୍‌ଏଚ୍‌ଜି ଦ୍ୱାରା କରାଯାଇଥିବା ମାଛଚାଷ, ଗୋଦାବରୀ ପ୍ରଡ୍ୟୁସର ଗ୍ରୁପ ଦ୍ୱାରା କରାଯାଇଥିବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମାଁ ସନ୍ତୋଷୀ ଏସ୍‌ଏଚ୍‌ଜି ଦ୍ୱାରା କରାଯାଇଥିବା ଛତୁ ଚାଷ କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ପରେ ବଲାଙ୍ଗୀର ବ୍ଲକ୍‌ ଚୁଡ଼ାପଲି ଯାଇ ବୁଣାକାର ସମବାୟ ସମିତି ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରୁ ଝାଙ୍କରପାଲିକୁ ଯାଇ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଯଥା ବାସନା କିସମର ଧାନଚାଷ କ୍ଷେତ, ଆମ୍ବ ବଗିଚା ଓ ପନିପରିବା ବଗିଚା ପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସଚିବ ଶ୍ରୀ ଧଳ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ କରି ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ।

ଅପରାହ୍ଣରେ ବଲାଙ୍ଗୀରସ୍ଥିତ ପୃଥ୍ବିରାଜ ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟରେ ଅନୁଧ୍ୟାନ କରି ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ପିଆର୍‌ ହାଇସ୍କୁଲ ପରିସରରେ ସଚିବ ଶ୍ରୀ ଧଳ ଓ ଜିଲ୍ଲାପାଳ ଚଞ୍ଚଳ ରାଣା ବୃକ୍ଷରୋପଣ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ  ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ର, ଶିକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଦକ୍ଷତା ବିକାଶ ମୌଳିକ ଭିତ୍ତିଭୂମି କ୍ଷେତ୍ର କୃଷି ଓ ଜଳସଂପଦ କ୍ଷେତ୍ର ସମ୍ପର୍କରେ ଜିଲ୍ଲାରେ କାର୍ଯ୍ୟକାରୀ ହୋଉଥିବା ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଏବଂ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣା ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଓଗାଁ ପରିଦର୍ଶନ ସମୟରେ ସଚିବ ଶ୍ରୀ ଧଳଙ୍କ ସହ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂହ, ଜିଲ୍ଲା ପ୍ରକଳ୍ପ ପରିଚାଳକ କମଲେନ୍ଦୁ ପଲ, କୈଳାସ ସାହୁ, ବ୍ଲକ୍‌ ଅଧ୍ୟକ୍ଷା ରୀନା ମେହେର, ବିଡିଓ ମୁରଲୀଧର ନାଏକ, ବିପିଏମ୍‌ ପ୍ରଦୀପ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର