ଡୁଙ୍ଗୁରିପାଲି: ବିଦ୍ୟୁତ ପରିଚାଳନା ତଦାରଖ ପାଇଁ ବିଧାନସଭା ଗୃହ କମିଟିର ଗସ୍ତ, ୧୫ ଦିନ ଭିତରେ ମିଲର୍ସଙ୍କ ତଥ୍ୟ ଦେବାକୁ ନିର୍ଦେଶ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ରାଇସ୍‌ ମିଲ୍‌ଗୁଡ଼ିକ ଦ୍ବାରା ପ୍ରତିମାସରେ ଧାନ କେତେ ପ୍ରୋକ୍ୟୁଓରମେଣ୍ଟ ହେଉଛି, କେଉଁ ମିଲରେ କେତେ ଧାନ ଓ ଚାଉଳ ଷ୍ଟକ ଅଛି ଓ କୁଇଣ୍ଟାଲ ପ୍ରତି କେତେ ବିଦ୍ୟୁତ ଖର୍ଚ୍ଚ ହେଉଛି ୧୫ଦିନ ଭିତରେ ତିନି ବର୍ଷର ରିପୋର୍ଟ ଦେବାକୁ ଜିଲ୍ଲା ଯୋଗାଣ ବିଭାଗକୁ ଗୃହ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିର୍ଦେଶ ଦେଇଛନ୍ତି।

ଶନିବାର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ବୈଠକରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ବିଦ୍ୟୁତ ଚୋରିକୁ ଗୁରୁତ୍ବ ଦେଇ ସତ୍ୟ ପ୍ରକାଶ ନନ୍ଦଙ୍କ ରିପୋର୍ଟରେ କଣ ଅସୁବିଧା ଅଛି ଓ କଣ କଲେ ସୁବିଧା ହେବ ସେନେଇ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇ ଧାନ ମିଲିଂ ବେଳେ କେତ‌େ ବିଦ୍ୟୁତ ଖର୍ଚ୍ଚ ହେଉଛି ତାର ତଥ୍ୟ ଦେବାକୁ କହିଥିଲେ। ଡୁଙ୍ଗୁରିପାଲି ଜାତୀୟ ରାଜପଥ ଚିନାଯୁରୀଠାରେ ରାସ୍ତା ପାର୍ଶ୍ବରେ ହାଇସ୍କୁଲ ଓ ୟୁପିସ୍କୁଲ ଥିବା ବେଳେ ସ୍କୁଲ ସମ୍ମୁଖରେ ଶିବମ୍ ରାଇସମିଲ ଓ ଲୋକନାଥ ରାଇସ ମିଲ୍‌ ଅଛି। ଆହୁରି ମଧ୍ୟ ଉକ୍ତ ରାସ୍ତାକଡ଼ରେ ସରକାରୀ ଅଫିସ ଥିବା ବେଳେ ରାଇସମିଲକୁ କିପରି ବିଦ୍ୟୁତ ଯୋଗାଣ ହୋଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ବିଦ୍ୟୁତ ବିଭାଗର ଯନ୍ତ୍ରୀ ପ୍ରଦୂଷଣ ଅନୁମତି ପତ୍ର ଥିବା କହିଥିଲେ।

ଉକ୍ତ ବୈଠକରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ସ୍ବତନ୍ତ୍ର ଅତିରିକ୍ତ ସଚିବ ସୁରତ ଚନ୍ଦ୍ର ମିଶ୍ର, ସୁବର୍ଣ୍ଣପୁର ଏଡିଏମ୍‌ ସୂର୍ଯ୍ୟନାରାୟଣ ଦାଶ ଉପସ୍ଥି ଥିଲେ। ଏଥିରେ ଯୋଗାଣ ବିଭାଗ ଓ ବିଦ୍ୟୁତ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ। ବ୍ଲକ୍‌କୁ ବିଧାୟକ ଶ୍ରୀ ମିଶ୍ର ପହଞ୍ଚିବା ପରେ ଡୁଙ୍ଗୁରିପାଲି ବ୍ଲକ୍‌ କଂଗ୍ରେସ ସଭାପତି ଚିତ୍ତରଂଜନ ମିଶ୍ରଙ୍କ ସହ ବହୁ କଂଗ୍ରେସ କର୍ମୀ ସ୍ବାଗତ କରିଥିଲେ।

ବିନିକା: ବିଧାନସଭା ଗୃହ କମିଟି ଶନିବାର ବିନିକା ଗସ୍ତରେ ମଧ୍ୟ ଆସିଥିଲା। କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ନେତୃତ୍ବରେ, ବିଧାୟକ ଶ୍ରୀ ମହାନ୍ତି, ଶ୍ରୀ ପାଣିଗ୍ରାହୀ ଗସ୍ତରେ ଆସି ସ୍ଥାନୀୟ ବ୍ଲକ୍‌ ସଭାଗୃହଠାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ ଲାଗି ରହିଥିବା ବିଦ୍ୟୁତ ସମସ୍ୟା ଉପରେ କମିଟି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଠିକ୍‌ ଭାବେ ବିଦ୍ୟୁତ ସେବା ଯୋଗାଇବାକୁ ତାଗିଦ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏଡିଏମ୍‌ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ନିହାର ରଂଜନ କହଁର, ପିଡି ଡିଆର୍‌ଡିଏ ଡୋଳାମଣି ପଟେଲ, ବିନିକା ବିଡିଓ ବ୍ୟାସଦେବ ବେହେରା, ବିଦ୍ୟୁତ ବିଭାଗ ଏସ୍‌ଇ ଇଂ ରଂଜନ ନାଏକ, ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟରଞ୍ଜନ ସାହୁ, ବିନିକା ଏସ୍‌ଡିଓ ରଶ୍ମିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାର ବିଦ୍ୟୁତ ସମସ୍ୟା ନେଇ ଗୃହ କମିଟିକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର