ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କରନ୍ତୁ ଅଧିକାରୀ: ମନ୍ତ୍ରୀ

ଭୁବନେଶ୍ବର : ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। କିନ୍ତୁ ସବୁ ଚାଷୀମାନେ ଏହାର ଲାଭ ପାଇପାରୁ ନାହାନ୍ତି। ଆଗକୁ ଏପରି ଆଉ ଚଳିବ ନାହିଁ। ଏଣିକି ଜିଲ୍ଲା କୃଷି ଅଧିକାରୀମାନେ ନିଜେ ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା କଥା ବୁଝନ୍ତୁ ଓ ତାର ସମାଧାନ କରନ୍ତୁ। ସବୁ ସହାୟତା ଯୋଗାଇବା ପାଇଁ ସରକାର ପ୍ରସ୍ତୁତ। ଆଜି ସ୍ଥାନୀୟ କୃଷି ଭବନଠାରେ ଆୟୋଜିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏହାସହିତ ସାର ଓ କୀଟନାଶକ ଯୋଗାଣ ସମ୍ପର୍କରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସେ ତାଗିଦ୍‌ କରିଛନ୍ତି।

ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଜିଲ୍ଲାରେ ଆଶାୟୀ କୃଷି ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରିବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟର ଚାଷୀମାନଙ୍କ ଆୟକୁ ଦୁଇଗୁଣ ଓ ବହୁଗୁଣିତ କରିବା ପାଇଁ ସରକାର କୃଷିନୀତି ‘ସମୃଦ୍ଧି’ ୨୦୨୦ ପ୍ରଣୟନ କରିଛନ୍ତି। ବଳରାମ ଯୋଜନାରେ ଯେପରି ଚାଷୀମାନେ ସହଜରେ ଋଣ ପାଇପାରିବେ, ସେଥିପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ। ଚାଷୀମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନା କରି ନିୟମିତ କ୍ଷେତ୍ର ପରିଦର୍ଶନ କରିବା ଉପରେ ମନ୍ତ୍ରୀ ଶ୍ରୀ ସାହୁ ଗୁରୁତ୍ବ ଦେଇଥିଲେ। ବିଶେଷକରି ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଡାଲି ଓ ତୈଳବୀଜ ଚାଷ ପାଇଁ ଅଧିକରୁ ଅଧିକ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ନେଇ ଆଲୋଚନା ହୋଇଥିଲା।

ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ବିଭାଗୀୟ ନିର୍ଦ୍ଦେଶକ ଏମ୍‌.ମୁଥୁକୁମାରଙ୍କ ସମେତ ୩୦ଟି ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର