ଜନ୍ମବେଦିରେ ସନ୍ଧ୍ୟା ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଆଜି ଜନ୍ମବେଦିରେ ଭକ୍ତଙ୍କୁ ସନ୍ଧ୍ୟାଦର୍ଶନ ଦେଇଛନ୍ତି। ବାହୁଡ଼ା ଯାତ୍ରା ପୂର୍ବରୁ ସନ୍ଧ୍ୟା ଦର୍ଶନରେ ଭକ୍ତମାନେ ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ଆନନ୍ଦାଶ୍ରୁ ଝରାଇଛନ୍ତି। ହଜାର ହଜାର ଭକ୍ତ ଆଜି ଶେଷ ଦିନରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିଛନ୍ତି। ଅପରାହ୍ଣ ୪ଟାରୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ପ୍ରଶାସନ, ଭକ୍ତଙ୍କ ଭିଡ଼ ଦେଖି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ବାର ଖୋଲା ରଖିବା ସହ ଦର୍ଶନର ସୁଯୋଗ ଦେଇଛି। ସେହିପରି ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ବ୍ୟାପକ ସାଜସଜା ଆରମ୍ଭ ହୋଇଛି। ଆଲୋକମାଳାରେ ଶ୍ରୀମନ୍ଦିରକୁ ସଜାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ୯ଦିନ ଭିଡ଼ ପରେ ଏବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳଚହଳ ଆରମ୍ଭ ହୋଇଛି।

ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଲା ଦର୍ଶନ
ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର
ଲାଗିଲା ଗହଳଚହଳ

ଆଜି ସକାଳ ୫ଟା ୪୫ରେ ଦ୍ବାରଫିଟା ପରେ ସାଢ଼େ ୬ଟାରେ ମଙ୍ଗଳ ଆଳତି ହୋଇଥିଲା। ମଙ୍ଗଳ ଆଳତି ପରେ ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ବଡ଼ଦାଣ୍ଡରେ ହୋଇଥିବା ବାରିକେଡ୍‌ ଦେଇ ଭକ୍ତମାନେ ଶ୍ରୀଗୁଣ୍ଡିଚା ମୁଖ୍ୟ ଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ ସାରି ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ଏହାସହ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବି ଆରମ୍ଭ ହୋଇଥିଲା। ରାତି ୯ଟା ସୁଦ୍ଧା ବଡ଼ସିଂହାର ଭୋଗ, ରାତ୍ର ପହୁଡ଼ ହୋଇ ବାହୁଡ଼ା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର