ପୁରୀ: ଉଭାଯାତ୍ରାରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଚଳିତବର୍ଷ ଉଭାଯାତ୍ରାରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ଭିଡ଼କୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଅନ୍ୟପଟେ ଏହି ନିଷ୍ପତ୍ତିକୁ ଦଇତାପତି ନିଯୋଗର କେତେକ ସଦସ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି। ସିଧାସଳଖ ଅଭିଯୋଗ କରିଛନ୍ତି, ଇତିହାସରେ କେବେ ବି ଉଭାଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ହୋଇନି। ତେବେ ଏବେ କାହିଁକି ବନ୍ଦ ହେବ ବୋଲି ପ୍ରଶ୍ନ କରିଛନ୍ତି। ଯେଉଁମାନେ ରଥଯାତ୍ରା ଭିଡ଼ରେ ମହାପ୍ରଭୁଙ୍କ ଦର୍ଶନ କରି ନପାରନ୍ତି, ସେମାନେ ଉଭାଯାତ୍ରାରେ ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥାନ୍ତି। ଏଣୁ କାହିଁକି ଭକ୍ତଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି।

ଗୁରୁବାର ଅପରାହ୍ନରେ ପୁରୀରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ଅଧିକ ଭକ୍ତ ଆଗମନର ସମ୍ଭାବନା ରହିଥିବାରୁ ଏ ନେଇ କ’ଣ ସବୁ ବ୍ୟବସ୍ଥା ହୋଇଛି, ତାର ସମୀକ୍ଷା କରିଥିଲେ। ଆଇନଶୃଙ୍ଖଳା ସହ ଭକ୍ତଙ୍କ ମୌଳିକ ସୁବିଧା ସମ୍ପର୍କରେ ବୁଝିଥିଲେ। ଆଲୋଚନା ପରେ ଅଧିକାରୀଙ୍କ ସହମତିକ୍ରମେ ଉଭାଯାତ୍ରାରେ ଭକ୍ତଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। ନୀତିକାନ୍ତି ବିଳମ୍ବ ହେବାର କାରଣ ଦର୍ଶାଇ ଏଭଳି ନିଷ୍ପତ୍ତି ହୋଇଛି। ପରେ ମୁଖ୍ୟ ଶାସନ ସଚିବ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେହରଣ ଦ୍ବାର ନିକଟରେ ଦଇତାପତି ନିଯୋଗ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଉଭାଯାତ୍ରାରେ ଦର୍ଶନ ବନ୍ଦ ରଖିବାକୁ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଜଣାଇବା ସହ ମତାମତ ଲୋଡ଼ିଛନ୍ତି।

ଅନ୍ୟପଟେ ଆଜି ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି। ରଥଯାତ୍ରା ପରେ ନୟାଗଡ଼ର ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ଯେପରି ପୁନରୁଦ୍ଧାର ହୋଇପାରିବ, ସେ ଉପରେ ଗୁରୁତ୍ବ‌ ଦେବାକୁ ନିଷ୍ପତ୍ତି ହୋଇଛି। ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି। ଆଗାମୀ ଦିନରେ ଯେଭଳି ନୟାଗଡ଼ ବନଖଣ୍ଡରେ କାଠର ଅଭାବ ରହିବନି, ତାକୁ ଆଖି ଆଗରେ ରଖି ଏହି ଯୋଜନା ଓ ପୁନରୁଦ୍ଧାର କାମ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଯେଭଳି ଶ୍ରୀମନ୍ଦିର ଉପରେ କୌଣସି ପ୍ରଭାବ ପକାଇବନି, ସେ ଉପରେ ଅନୁଧ୍ୟାନ ପାଇଁ ଏକ ସଂସ୍ଥାକୁ ନିୟୋଜିତ କରିବାକୁ ଆଲୋଚନା ହୋଇଛି।‌ କୌଣସି କର୍ପୋରେଟ୍‌ ସଂସ୍ଥାକୁ ଏହି ଦାୟିତ୍ବ ଦେବାକୁ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର