ସରକାରୀ ଅଧିକାରୀଙ୍କୁ ପୋତ୍ସାହିତ କରିବାକୁ ଗଣଶିକ୍ଷା ବିଭାଗର ପଦକ୍ଷେପ : ପୋଷ୍ୟ ସ୍କୁଲକୁ ଗସ୍ତ ଏକ ସରକାରୀ କାର୍ଯ୍ୟ

୨୪୦ରୁ ଅଧିକ ବ୍ୟକ୍ତିବିଶେଷ ଗ୍ରହଣ କଲେଣି
ମନ୍ତ୍ରୀ ଜଗନ୍ନାଥ ସାରକା ୪ ସ୍କୁଲ ପାଇଁ ଆଗ୍ରହୀ

ଭୁବନେଶ୍ବର : ସରକାରୀ ବିଦ୍ୟାଳୟଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନେତା, ମନ୍ତ୍ରୀ, ବିଧାୟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆଇଏଏସ୍‌ମାନେ ମଧ୍ୟ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଏବେ ସୁଦ୍ଧା ୨୪୦ରୁ ଅଧିକ ବ୍ୟକ୍ତିବିଶେଷ ପୋଷ୍ୟ ସ୍କୁଲରେ ସାମିଲ ହୋଇସାରିଛନ୍ତି। ଦିନକୁ ଦିନ ପୋଷ୍ୟ ସ୍କୁଲ ଗ୍ରହଣ ସଂଖ୍ୟା ବଢ଼ୁଥିବାରୁ ସର୍ବଭାରତୀୟ ସେବା ଓ ରାଜ୍ୟ ସେବାରେ ନିଯୁକ୍ତି ପାଇଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଉକ୍ତ ଦୁଇ ସେବାର ଅଧିକାରୀମାନେ ଯଦି ପୋଷ୍ୟ ସ୍କୁଲ ଗସ୍ତରେ ଯାଆନ୍ତି ତେବେ ତାହାକୁ ସରକାରୀ କାର୍ଯ୍ୟ ଭାବେ ଗଣନା କରାଯିବ। ଏସମ୍ପର୍କରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ରାଜ୍ୟପାଳଙ୍କ ସଚିବଙ୍କ ସମେତ ସମସ୍ତ ମନ୍ତ୍ରୀ, ବିଭିନ୍ନ ବିଭାଗ, ଆରଡିସି, ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ‘ମୋ ସ୍କୁଲ’ ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଲାଗି ଆରମ୍ଭ ହୋଇଥିବା ଉଦ୍ୟମ ବେଶ୍‌ ଫଳପ୍ରଦ ହୋଇଛି। ଆଲୁମିନିମାନେ ଅର୍ଥ ସମେତ ସାମଗ୍ରୀ ପ୍ରଦାନ କରି ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଆଗେଇ ଆସୁଛନ୍ତି। ୫-ଟି ମାଧ୍ୟମରେ ଚାଲିଥିବା ଏହି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ଲାଗି ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭିଆଇପିମାନେ ଯଥା ବିଧାୟକ, ସାଂସଦମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିପାରୁଛନ୍ତି। ସର୍ବଭାରତୀୟ ସେବା ଓ ରାଜ୍ୟ ସେବା ସମେତ କର୍ପୋରେଟ୍‌ ସଂସ୍ଥା‌ରେ ନିଯୁକ୍ତ ହୋଇଥିବା ବ୍ୟକ୍ତିବିଶେଷ ବି ନିଜ ପସନ୍ଦର ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ। ଅନ୍ୟପକ୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ୪ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇବା ପରେ ମୁଁ ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ବିଦ୍ୟାଳୟ ଯଥା ବିଷମ କଟକ ବ୍ଲକର ଡୁକୁମ ଏସ୍‌ଏସ୍‌ଡି ହାଇସ୍କୁଲ, ମୁନିଗୁଡ଼ା ବ୍ଲକର ଆମ୍ବଦୋଳା ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଲନାରା ବ୍ଲକର କୈଳାଶପୁଟ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲ୍ୟାଣସିଂପୁର ବ୍ଲକ ଶିରିପୁର ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାଗୁ ଆଗ୍ରହୀ ଅଛି।

ସମ୍ବନ୍ଧିତ ଖବର