ମୁକୁଳା ଡ୍ରେନ୍‌ରେ ପଡ଼ି ପର୍ଯ୍ୟଟକଙ୍କ ପ୍ରାଣଗଲା

ତିନି ଦିନ ହେଲା ନିଖୋଜ ଥିଲେ, ପଚି ଗନ୍ଧ ହେଲା ପରେ ଜଣାପଡ଼ିଲା

ପୁରୀ : ପୁରୀର ବିକାଶ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରେଳ ଷ୍ଟେସନ୍‌ ସମ୍ମୁଖରେ ମୁକୁଳା ପଡିଥିବା ଏକ ଡ୍ରେନ୍‌ (ନାଳରେ) ପଡି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି। ସଂପୃକ୍ତ ପର୍ଯ୍ୟଟକ ତିନି ଦିନ ହେଲା ନିଖୋଜ ଥିଲେ। ମୁକୁଳା ଡ୍ରେନରୁ ଆଜି ତାଙ୍କର ମୃତଦେହ ମିଳିବା ପରେ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଆଜି ପୂର୍ବାହ୍ନରେ ପୁରୀ ‌ରେଳ ଷ୍ଟେସନ୍‌ ସମ୍ମୁଖ ଏକ ମୁକୁଳା ଡ୍ରେନ୍‌ରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଉଲଗ୍ନ ଅବସ୍ଥାରେ ମୃତଦେହଟି ଡ୍ରେନ‌‌୍‌ରେ ଭାସୁଥିବା ବେଳ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ସୂଚନା ମୁତାବକ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ମଣ୍ଟେଶ୍ବର ଅଞ୍ଚଳରୁ ୬୦ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସି ସମୁଦ୍ରକୂଳ ଅଞ୍ଚଳର ଏକ ହୋଟେଲରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ହେମନ୍ତ ଗନ (୫୦) ନାମକ ଜନୈକ ବ୍ୟକ୍ତି ଗତ ଶୁକ୍ରବାର ଦିନ ହଠାତ୍ କେଉଁଆ‌ଡେ ନିଖୋଜ ହୋଇ ଯାଇଥିଲେ। ଶନିବାର ସୁଦ୍ଧା ହେମନ୍ତ ହୋଟେଲକୁ ନ ଫେରିବାରୁ ସାଥୀ ପର୍ଯ୍ୟଟକମାନେ ପୁଲିସରେ ଅଭିଯୋଗ କରିଥିଲେ। ଆଜି ଖୋଲା ଡ୍ରେନ୍‌ରୁ ଶବ ମିଳିବା ପରେ ମୃତଦେହଟି ହେମନ୍ତଙ୍କର ବୋଲି ଚିହ୍ନଟ ହୋଇଛି। ତେବେ ହେମନ୍ତ କିଭଳି ଡ୍ରେନ୍‌ରେ ପଡିଲେ ତାହା ସ୍ପଷ୍ଟ ହୋଇନାହିଁ। ପର୍ଯ୍ୟଟନ ସହର ପୁରୀରେ ଡ୍ରେନ୍‌ ବ୍ୟବସ୍ଥାର ସୁଧାର ପାଇଁ ୧୮୨ କୋଟି ଟଙ୍କା ମିଳିଥିଲା। ମାତ୍ର ସହରର ଅଧିକାଂଶ ଡ୍ରେନ୍‌ ମୁକୁଳା ପଡ଼ିଥିବା ବେଳେ କାଁଭାଁ କେଉଁଠି ସ୍ଲାବ୍‌ ପଡ଼ିଛି। ରେଡକ୍ରସ୍‌ ରୋଡ, ସମୁଦ୍ରକୂଳ ଇଲାକା ଭଳି ମୁଖ୍ୟ ସ୍ଥାନଗୁଡ଼ିକରେ ଡ୍ରେନ୍‌ଗୁଡ଼ିକ ବର୍ଷତମାମ୍‌ ଖୋଲା ମୁକୁଳା ପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର