ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଦର୍ଶନାର୍ଥୀଙ୍କୁ ଦେବାକୁ ପଡ଼ିବ ଘୋଷଣା ପତ୍ର, ଦେବାକୁ ପଡ଼ିବ ଏହି ତଥ୍ୟ

ପୁରୀ, (ଗଦାଧର ପଣ୍ଡା): ଯେଉଁ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଛନ୍ତି, ସେମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରିବାକୁ ପଡ଼ିବ। ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଦର୍ଶନାର୍ଥୀଙ୍କୁ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି।

ଏଥିରେ ପ୍ରଥମତଃ ଦର୍ଶନାର୍ଥୀଙ୍କ ପରିବାରର କେହି ଗତ ୧୫ ଦିନ ଭିତରେ ବିଦେଶରୁ ଫେରିନାହାନ୍ତି ବୋଲି ଘୋଷଣା କରିବାକୁ ପଡ଼ିବ। ଠିକ୍ ସହିପରି ୧୫ ଦିନ ଭିତରେ ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନାର୍ଥୀଙ୍କୁ ଜଣାଇବାକୁ ପଡ଼ିବ। ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଏହି ଫର୍ମ ଯୋଗାଇ ଦିଆଯିବ। ଏହାଛଡ଼ା ପୁରୀ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବି ଏହି ଫର୍ମ ମିଳିବ। ସେଠାରେ ଏହି ଫର୍ମ ପୂରଣ କରି ଦାଖଲ କରାଯାଇପାରିବ।
ଏସଂପର୍କରେ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର ପୁରୀ ନ ଆସିବା ଭଲ ବୋଲି କହିଛନ୍ତି। କରୋନା ସଂକ୍ରମଣ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଧାଡ଼ି ଭିତରେ ଦୁଇ ଦର୍ଶନାର୍ଥୀଙ୍କ ଭିତରେ ୧ ମିଟରର ବ୍ୟବଧାନ ରହିବ ବୋଲି କୁହାଯାଇଛି। ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ ଭକ୍ତ।


ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ଏହି ନିଷ୍ପତ୍ତି ଅନୁସାରେ ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଭିତର କାଠ ପାଖରୁ ଠାକୁରଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନସମାଗମ ଉପରେ ବି କଟକଣା ଜାରି କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭକୁ ଭକ୍ତଙ୍କୁ ଛୁଇଁବାକୁ ବାରଣ କରାଯାଇଛି।
ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମନ୍ଦିରରେ ପୂଜା ବେଳେ ଶ୍ରୀମନ୍ଦିରର ସେବାୟତମାନେ ମାସ୍କ ପିନ୍ଧିବେ । ଏଥିସହିତ ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର