ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର ଶୃଙ୍ଖଳା ଭଙ୍ଗ କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଶ୍ବବିଦ୍ୟାଳୟର ୬ ଜଣ ଛାତ୍ରୀଙ୍କୁ ‌ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ମୋଟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଉଚ୍ଛୃଙ୍ଖଳ କାର୍ଯ୍ୟକଳାପ ବିଷୟରେ ବିଶ୍ବବିଦ୍ୟାଳୟର ଶୃଙ୍ଖଳା କମିଟି ଦ୍ବାରା ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟକୁ ଆଧାର କରି କୁଳପତି ପ୍ରଫେସର ଦୀପକ ସାହୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଗ୍ରେଡ୍‌ ଖସାଇବା ସହ ଆର୍ଥିକ ଦଣ୍ଡ ରହିଛି। ତତ୍‌ସହ ବିଭିନ୍ନ ବିଭାଗର ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଛାତ୍ରଛାତ୍ରୀ ନିର୍ବାଚନ, ଚୟନ, ପ୍ରତିନିଧିତ୍ବରୁ ବଞ୍ଚିତ ହେବା ସହ ମେ‌ଡାଲ୍‌, ସାର୍ଟିଫିକେଟ୍‌ ଓ ପୁରସ୍କାରରୁ ବଞ୍ଚିତ ରହିବେ।

Advertisment

୬ ଛାତ୍ରୀଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
୧୦୦ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ସୂଚନାନୁସାରେ, ୧୩ ମାର୍ଚ୍ଚ ୨୦୨୫ରେ ପାୱାର୍‌ ଚାନେଲର ‘ଅଠରହଜାର’ ସ୍ନାନଘାଟରେ ବୁଡ଼ି ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷ ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୭ଟି ସ୍ଥାନକୁ ନିଷେଧାଞ୍ଚଳ ଭାବରେ ଘୋଷଣା କରିଛନ୍ତି। ନିଷେଧାଜ୍ଞାକୁ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ତଥାପି ଚଳିତ ମାସ ୧୪ ତାରିଖରେ ୭ ଜଣ ଛାତ୍ରୀ ଫିସରି ପଏଣ୍ଟକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ରୀ ଶାଶ୍ବତୀ ଭୋଇଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା। ତାଙ୍କ ସହ ଯାଇଥିବା ଅନ୍ୟ ୬ ଜଣ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ଭାବରେ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ‘ମିସ୍‌ ବସନ୍ତ-୨୦୨୫’ ମଧ୍ୟ ପ୍ରତ୍ୟାହାର କରାଯାଇଛି।