ତେଲ ଲିକ୍‌ ପାଇଁ ଅଧା ଆକାଶରୁ ଫେରିଲା ବିମାନ, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୯୬ ଯାତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନର ୯୬ଜଣ ଯାତ୍ରୀ ଆଜି ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଏବଂ ଭୁବନେଶ୍ବର ବିମାନବନ୍ଦରର ଏଟିସି ତ୍ବରିତ ପଦକ୍ଷେପ (ବିମାନ ଅବତରଣ କରିବାକୁ ଅନୁମତି ଦେଇ ଦେବା) ପାଇଁ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରୁ ଭୁବନେଶ୍ବର ଆସିଥିବା ଭିସ୍ତାରା ବିମାନ ୟୁକେ-୭୮୫ ପୂର୍ବାହ୍ନ ୯ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ଏଠାରୁ ୟୁକେ-୭୮୬ ବିମାନ ୯୬ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ପୂର୍ବାହ୍ନ ୧୧ଟା ୪୦ମିନିଟରେ ଉଡ଼ାଣ କରିଥିଲା। କିନ୍ତୁ ବିମାନ ଉଡ଼ାଣର ୧୫ମିନିଟ ପରେ ପାଇଲଟ୍ ଜାଣିବାକୁ ପାଇଥିଲେ ଯେ ବିମାନରୁ ତେଲ ଲିକ୍‌ କରୁଛି। ହଠାତ୍‌ ତେଲ୍‌ ମିଟର ତଳକୁ ଖସିବାରୁ ବିମାନକୁ ଆଗକୁ ନେବା ସମ୍ଭବ ନ ଥିଲା। ତେଣୁ ପାଇଲଟ୍‌ ବିମାନର ଜରୁରୀ ଅବତରଣ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ଜଣାଇଥିଲେ। ଏଟିସି ତୁରନ୍ତ ବିମାନ ଅବତରଣ ପାଇଁ ସବୁଜ ସଂକେତ ଦେବାରୁ ପାଇଲଟ୍ ୧୨ଟା ୧୫ରେ ବିମାନକୁ ଅବତରଣ କରାଇଥିଲେ। ‌

ଅପରପକ୍ଷେ ପାଇଲଟ୍ ବିମାନରେ ତେଲ ଲିକ୍‌ ହେଉଥିବା ଜାଣିବା ପରେ ଯାତ୍ରୀମାନଙ୍କ ନିମନ୍ତେ ଘୋଷଣା କରିଥିଲେ ଯେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ବିମାନ ଜରୁରୀ ଅବତରଣ କରିବ। ଯାତ୍ରୀମାନେ ଏହା ଜାଣିବା ପରେ ଭୟଭୀତ ହୋଇଯାଇଥିଲେ। ସମସ୍ତେ ନିଜ ନିଜ ସୁରକ୍ଷା ପାଇଁ ଲାଇଫ୍‌ ଜ୍ୟାକେଟ୍‌ ଖୋଲି ଦେଇଥିଲେ। ବିମାନରେ କିଛି ଅଘଟଣ ଯେପରି ନ ଘଟିବ ସେଥିପା‌ଇଁ ପ୍ରାର୍ଥନା କରୁଥିଲେ। କିନ୍ତୁ କିଛି ଅଘଟଣ ଘଟିବା ପୂର୍ବରୁ ବିମାନଟିକୁ ପାଇଲଟ୍‌ ସୁରକ୍ଷିତ ଭାବେ ଅବତରଣ କରି ଦେଇଥିଲେ। ସମସ୍ତେ ଆଶ୍ବସ୍ତ ହୋଇଥିଲେ ଓ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଯାଇଥିଲା।

ବିମାନର ଜଣେ ଯାତ୍ରୀ କହିଛନ୍ତି ଯେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ନେଇ ଘୋଷଣା ହେବା ଏବଂ ଜରୁରୀ ଅବତରଣ କରିବା ମଧ୍ୟରେ ଯେଉଁ ୧୫ମିନିଟ ଆମେ ଆକାଶରେ ଥିଲୁ; ବହୁତ ଭୟଭୀତ ହୋଇଯାଇଥିଲୁ। ବିମାନରେ ସବୁ ଯାତ୍ରୀଙ୍କର ହୃତ୍‌ସ୍ପନ୍ଦନ ବଢ଼ିଯାଇଥିଲା। ଏପରିକି ବିମାନ ଜଳିଯିବନି ତ କିଛି ବଡ଼ ଅଘଟଣ ଘଟିଯିବନି ତ ବୋଲି ମନକୁ ଭୟ ଘାରୁଥିଲା। ଲାଇଫ୍‌ ଜ୍ୟାକେଟ୍‌ ଖୋଲି ପିନ୍ଧି ଦେଇଥିଲି। କିନ୍ତୁ ଭଗବାନଙ୍କ କୃପାରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲୁ।

ଅପରପ‌େକ୍ଷ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିମାନରେ ଯେଉଁ ଯାନ୍ତ୍ରିକ ତ୍ରୁଟି ଥିଲା ତାହାକୁ ମରାମତି କରାଯାଉଛି। ଦିଲ୍ଲୀରୁ ଇଞ୍ଜିନିୟର ଆସି ମରାମତି କରୁଛନ୍ତି।

ସମ୍ବନ୍ଧିତ ଖବର