ଭର୍ଚୁଆଲ ବିବାହ : ଜୁମ୍‌ ଆପ୍‌ ଜରିଆରେ ହେବ ବାହାଘରର ସିଧା ପ୍ରସାରଣ

ଭୁବନେଶ୍ବର : ଅତିଥିଙ୍କୁ ନିମନ୍ତ୍ରଣ ପାଇଁ କାର୍ଡ ଛପା ହେଇନି କି ବାହାଘର ଉତ୍ସବ ପାଇଁ ପାର୍ଟିର ଆୟୋଜନ ହୋଇନି। ମାତ୍ର ବାହାଘରର ଏହି ଉତ୍ସାହ ଓ ରୀତିନୀତିକୁ ବନ୍ଧୁ ସ୍ବଜନଙ୍କ ପାଖେ ପହଞ୍ଚାଇବାକୁ ଆୟୋଜନ ହେବାକୁ ଯାଉଛି ‘ଭର୍ଚୁଆଲ ବିବାହ’। ଯୁବ ଚିତ୍ରଶିଳ୍ପୀ କ୍ଷିତୀଶ ଚନ୍ଦ୍ର ଦାସ ନିଜ ବାହାଘରକୁ ଏପରି ନିଆରା ଢଙ୍ଗରେ ଆୟୋଜନ କରିବାକୁ ପ୍ରସ୍ତୁତି କରିଛନ୍ତି। ଚିତ୍ରରେ ସୃଜନ ଫୁଟାଉଥିବା କ୍ଷିତୀଶ ଆସନ୍ତା ୧୩ ତାରିଖରେ ନିଜ ବାହାଘର‌ରେ ବି ସୃଜନର ଛାପ ଦେବାକୁ ଯାଉଛନ୍ତି। ଆପାତତଃ ରାଜ୍ୟରେ ଜୁମ୍‌ ଆପ୍‌ ଜରିଆରେ ନିଜ ବାହାଘରର ରୀତିନୀତିକୁ ନିଜ ବନ୍ଧୁ ସ୍ବଜନଙ୍କ ପାଖେ ପହଞ୍ଚାଇବାର ଏହି ପ୍ରୟାସ ପ୍ରଥମ।

କ୍ଷିତୀଶ କହିଛନ୍ତି, ସରକାରଙ୍କ କଟକଣା ମାନି ବିବାହ କରିବା ପ୍ରଥମ କର୍ତବ୍ୟ। ତେବେ ବନ୍ଧୁମାନଙ୍କୁ ନିଜ ବିବାହ ଉତ୍ସବରେ ସାମିଲ୍‌ ନକରିପାରିବା ନେଇ ମନରେ ଅବ ସୋସ ଥିଲା। ତେଣୁ ବରଯାତ୍ରୀରେ ଯାଇ ନପାରୁଥିବା ବନ୍ଧୁମାନେ କିଭଳି ବାହାଘରର ରୀତିନୀତି ଦେଖିପାରିବେ, ସେନେଇ ଜୁମ୍‌ ଆପ୍‌ର ସହାୟତା ନେଇଛି। ଏହା ଜରିଆରେ ମୋ ବନ୍ଧୁ ଓ ସମ୍ପର୍କୀୟମାନେ ବେଦିରେ ହେଉଥିବା ରୀତିନୀତି ଦେଖିପାରିବେ। ସେମାନଙ୍କ ପ୍ରଶ୍ନ ମଧ୍ୟ ରଖି ପାରିବେ। ବିଶେଷକରି ତାଙ୍କର କିଛି ବିଦେଶୀ ଶିଳ୍ପୀ ବନ୍ଧୁ ଥିବାରୁ, ଭାରତୀୟ ବିବାହର ରୀତି ଓ ମନ୍ତ୍ର ଉଚ୍ଚାରଣର ଆୟୋଜନ ଦେଖିବାକୁ ସେମାନେ ବେଶ୍‌ ଉତ୍ସୁକ ଅଛନ୍ତି ବୋଲି କ୍ଷିତୀଶ କହିଛନ୍ତି। ସାଲେପୁରର ବାସିନ୍ଦା କ୍ଷିତୀଶ ଚିତ୍ରକଳା ପାଇଁ ଅନେକଥର ବିଦେଶ ଗସ୍ତ କରିଥିବା ବେଳେ କଳା କାରିଗରମାନଙ୍କ ହକ୍‌ ପାଇଁ ସଂଗଠନ କରି ସ୍ବର ଉଠାଇ ଆସିଛନ୍ତି। ସେ ଇନ୍ଦିପୁରର ସସ୍ମିତା ପରିଡ଼ାଙ୍କୁ ବିବାହ କରୁଛନ୍ତି। ତେବେ କେବଳ ବାହାଘରର ସିଧା ପ୍ରସାରଣ କରିବା ପାଇଁ ସେ ଯେତିକି ଚର୍ଚ୍ଚିତ ହୋଇଛନ୍ତି, ତାଙ୍କ ଭର୍ଚୁଆଲ କାର୍ଡ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡ୍‌ର ଅଭିନେତା ଅମୋଲ ପାଲେକରଙ୍କଠୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ଏହି ସୃଜନ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର