ଭିସୁଟ୍‌କୁ ସିଏଫ୍‌ଟିଆଇରେ ପରିଣତ କରାଯାଉ, ଲୋକସଭାରେ ଦାବି କଲେ ସୁରେଶ ପୂଜାରୀ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)କୁ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ(ସିଏଫ୍‌ଟିଆଇ)ରେ ପରିଣତ କରିବାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଗୁରୁବାର ଦିନ ଲୋକସଭାରେ ଦାବି ଉପସ୍ଥାପନ କରିଛନ୍ତି। ଆସାମର କୋକ୍ରାଝରରେ ଥିବା ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନ‌ୋଲୋଜି(ସିଆଇଟି) ଶୈଳୀରେ ଭିସୁଟ୍‌କୁ ମଧ୍ୟ ସିଏଫ୍‌ଟିଆଇରେ ପରିଣତ କରିବାକୁ ସାଂସଦ ଶ୍ରୀ ପୂଜାରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Patrika

ସାଂସଦ ଶ୍ରୀ ପୂଜାରୀ କହିଛନ୍ତି ଯେ ‌ବିଶ୍ବପ୍ରସିଦ୍ଧ ହୀରାକୁଦ ଡ୍ୟାମ୍‌ ପାଖରେ ୧୯୫୬ ମସିହାରେ ୟୁସିଇ ନାମରେ ଏହି ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିଲା। ୨୦୦୯ ମସିହାରେ ରାଜ୍ୟ ସରକାର ଏହାକୁ ଭିସୁଟ୍‌ ନାମରେ ଏକକ ବିଶ୍ବବିଦ୍ୟାଳୟ‌ରେ ପରିଣତ କରିଛନ୍ତି। ୟୁଜିସି ସ୍ବୀକୃତିପ୍ରାପ୍ତ ଏହି ଶିକ୍ଷାନୁଷ୍ଠାନରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଠାରେ ୧୧ଟି ସ୍ନାତକ ଓ ୩୪ଟି ସ୍ନାତକୋତ୍ତର ଏବଂ ୧୬ ପିଏଚ୍‌ଡି ପାଠ୍ୟକ୍ରମରେ ଶିକ୍ଷାଦାନ ହେଉଛି। ୩୦ ହଜାରରୁ ଅଧିକ ପୁରାତନ ଛାତ୍ର ଏବେ ଦେଶବିଦେଶରେ ବଡ଼ ବଡ଼ ପଦରେ ଅବସ୍ଥାପିତ ହୋଇଛନ୍ତି। ଭିସୁଟ୍‌ ପାଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ, କୃଷି ବିଶ୍ବବିଦ୍ୟାଳୟ, ଆଇଆଇଏମ୍‌ ଆଦି ରହିଛି। ଭିସୁଟ୍‌ ନାମରେ ୫୦୦ ଏକରରୁ ଅଧିକ ଜମି ମଧ୍ୟ ରହିଛି। ଏଣୁ, ନୂଆ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଭିସୁ୍ଟ୍‌କୁ ମଲ୍‌ଟି ଡିସିପ୍ଲିନାରି ଇଂଜିନିୟରିଂ ରିସର୍ଚ ୟୁନିଭର୍ସିଟି(ମେରୁ)ରେ ପରିଣତ କରାଯିବାର ଏକ ସୁଯୋଗ ରହିଛି। ଅନେକ ଥର ‌ସେ ଭିସୁଟ୍‌କୁ ସିଏଫ୍‌ଟିଆଇ‌କୁ ଉନ୍ନିତ କରିବାକୁ ଦାବି କରାଯାଇଛି। ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଆଗରୁ ସୁପାରିଶ କରିଛନ୍ତି। ତେଣୁ, ଭିସୁଟ୍‌କୁ ସିଏଫ୍‌ଟିଆଇରେ ଉନ୍ନିତ କରିବାକୁ ସାଂସଦ ଶ୍ରୀ ପୂଜାରୀ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର