ଭିସୁଟ୍‌ ଛାତ୍ରଙ୍କୁ ମାଡ଼ ଘଟଣା: କୁଳପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ବହିଷ୍କୃତ ଛାତ୍ରଙ୍କ ଅଭିଭାବକ

ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ରଷ୍ଟିକେଟ୍ ହୋଇଥିବା ୧୨ ଜଣ ଛାତ୍ରଙ୍କ ଅଭିଭାବକ ମାନେ ଶୁକ୍ରବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ଛାତ୍ର ମାନଙ୍କ କ୍ୟାରିୟର୍‌ର ପ୍ରଶ୍ନ ହୋଇଥିବାରୁ ଦଣ୍ଡ କୋହଳ କରିବାକୁ ଅନୁରୋଧ କରିଛନ୍ତି। ଭବିଷ୍ୟତରେ ସେମାନଙ୍କ ପିଲା ମାନେ କୌଣସି ପ୍ରକାର ବିଶୃଂଖଳାରେ ଲିପ୍ତ ରହିବେ ନାହିଁ ବୋଲି ଲିଖିତ ଭାବେ ଦେବାକୁ ମଧ୍ୟ କହିଥିଲେ। ଶୁକ୍ରବାର ଦିନ ପ୍ରାୟ ୨ଟା ୩୦ ବେଳେ ବହିଷ୍କୃତ ଛାତ୍ରଙ୍କ ଅଭିଭାବକ ମାନେ ବିଶ୍ବବିଦ୍ୟାଳୟରେ ପହଞ୍ଚି କୁଳପତି, କୁଳସଚିବ ତଥା ଶୃଂଖଳା କମିଟିକୁ ଭେଟିଥିଲେ।

ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ଆଶଂକା ଥିବାରୁ ସେମାନଙ୍କୁ କ୍ଷମା କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ କମିଟି ସଦସ୍ୟ ମାନେ ମତ ଦେଇଥିଲେ ଯେ ସେମାନେ ଯଦି ଆଜି ଛାତ୍ରମାନଙ୍କୁ ଦଣ୍ଡ ନ ଦିଅନ୍ତି ତାହେଲେ ଭବିଷ୍ୟତରେ ଆଉ କାହାରି ଭୟ ରହିବ ନାହିଁ। ସେମାନେ ଆହୁରି ବଡ଼ କାଣ୍ଡ ଘଟାଇ ପାରନ୍ତି। ତେଣୁ ଏହି ସମୟ ମଧ୍ୟରେ ଛାତ୍ର ମାନେ ପିତାମାତାଙ୍କ ତତ୍ତ୍ବାବଧାନରେ ଘରେ ରହି ନିଜକୁ ସୁଧାରିବା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ‌ ହୁଅନ୍ତୁ ବୋଲି ଭିସୁଟ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ତ୍ର‌ିକୋଣୀୟ ପ୍ରେମ ବ୍ୟାପାରରେ ଜଣେ ଛାତ୍ର ନିଜ ୧୧ ଜଣ ସହପାଠୀଙ୍କ ସହ ମିଶି ଅନ୍ୟ ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣାରେ କଠୋର ଆଭିମୁଖ୍ୟ ପୋଷଣ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୧୨ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଘଟଣାରେ ସଂପୃକ୍ତ ଥିବା ୧୨ ଛାତ୍ରଙ୍କ ବିରୋଧରେ ଦଣ୍ଡବିଧାନ ସ୍ୱରୂପ ବିଶ୍ବବିଦ୍ୟାଳୟରୁ ଅସ୍ଥାୟୀ ରୂପେ ବହିଷ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣଙ୍କୁ ‌ଗୋଟିଏ ବର୍ଷ ପାଇଁ ରଷ୍ଟିକେଟ୍‌ କରିଥିଲେ। ଏଥିରେ ଚିନ୍ତିତ ସଂପୃକ୍ତ ଛାତ୍ରମାନଙ୍କ ପିତାମାତା କୁଳପତିଙ୍କୁ କାର୍ଯ୍ୟାନୁଷ୍ଠାନ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। ତେବେ ବର୍ତ୍ତମାନ ଛାତ୍ରଙ୍କ ଉପରେ ହୋଇଥିବା ଦଣ୍ଡ କାଏମ ରହିଛି ଓ ଅଭିଭାବକଙ୍କ ସହ ଆଲୋଚନା ହୋଇଥିଲେ ବି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ଭିସୁଟ୍ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର