ନିଅଣ୍ଟ ପଡ଼ୁଛି ଭିଟାମିନ୍‌ ଚାଉଳ, ଅପପୁଷ୍ଟିର ଶିକାର ୫ଜିଲ୍ଲାର ପିଡିଏସ୍‌ରେ ହୋଇପାରୁନି ଯୋଗାଣ

୧୪ ଜିଲ୍ଲାର ଏମଡିଏମ୍

ଭୁବନେଶ୍ବର : ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ; କିନ୍ତୁ ଭିଟାମିନ୍‌ଯୁକ୍ତ ଚାଉଳ ନିଅଣ୍ଟ ପଡ଼ୁଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୩୦ ଜିଲ୍ଲାରେ ଆଇସିଡିଏସ୍ ଓ ଏମଡିଏମ୍ ଯୋଜନାରେ ଏବଂ ମାର୍ଚ୍ଚ ୨୨ତାରିଖ ସୁଦ୍ଧା ଅପପୁଷ୍ଟି ଥିବା ୧୩ ଜିଲ୍ଲାରେ ପିଡିଏସ୍‌ରେ ଭିଟାମିନ୍‌ ଚାଉଳ ପହଞ୍ଚିବା ଉଚିତ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଇସିଡିଏସ୍ ଏବଂ ଏମ୍‌ଡିଏମ୍ ଯୋଜନାରେ ୧୬ଜିଲ୍ଲା ଏବଂ ପିଡିଏସ୍‌ରେ ଅପପୁଷ୍ଟି ଥିବା ୮ଜିଲ୍ଲାରେ ଏହା ପହଞ୍ଚି ପାରିଛି। ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଜିଲ୍ଲାର ଉଭୟ ପିଡିଏସ୍‌, ପୋଷଣ ଏବଂ ଏମଡିଏମ୍‌ ଯୋଜନାରେ ସାଧାରଣ ଚାଉଳ ବଦଳରେ ଭିଟାମିନ୍‌ଯୁକ୍ତ ଚାଉଳ ବିତରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Mint

ଅପପୁଷ୍ଟିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇରନ୍‌, ଫୋଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌-ବି ୧୨ ମିଶ୍ରିତ ଭିଟାମିନ୍‌ ଚାଉଳ ଯୋଗାଣ ପାଇଁ ଗୁରୁତ୍ବ ଦିଆଯାଉଛି। ଯେଉଁଥିରେ ୧୦୦ଗ୍ରାମ ଚାଉଳ, ୧ ଗ୍ରାମ୍‌ ଭିଟାମିନ୍‌ ରହିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜରେ ପିଡିଏସ୍‌ରେ ଏହି ଚାଉଳ ଦିଆଯାଉଛି। ସବୁ ଜିଲ୍ଲାକୁ ଭିଟାମିନ୍‌ ଚାଉଳ ଯୋଗାଣରେ ବାଧକ ହେଉଛି ଆବଶ୍ୟକ ସଂଖ୍ୟକ ରାଇସ ମିଲ୍‌ର ଅଭାବ। ଅର୍ଥାତ୍‌ ରାଜ୍ୟରେ ଥିବା ୧୩୧୩ ରାଇସ୍‌ ମିଲ ମଧ୍ୟରୁ କେବଳ ୫୧୫ ରାଇସ ମିଲ୍‌ରେ ହିଁ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନର କ୍ଷମତା ରହିଛି। ଏହି ମିଲ୍‌ଗୁଡ଼ିକୁ ମଧ୍ୟରୁ ଅଧିକାଂଶ ଟିଟିଲାଗଡ଼ ଏବଂ ସମ୍ବଲପୁର ଏଫସିଆଇ ଜିଲ୍ଲା ଅନ୍ତର୍ଗତରେ ରହିଛି। ଏଥିପାଇଁ ମୁଖ୍ୟତଃ ପଶ୍ଚିମଓଡ଼ିଶା ଜିଲ୍ଲାଗୁଡ଼ିକରେ ହିଁ ଏହି ଚାଉଳ ଯୋଗାଣ ହୋଇ ପାରୁଛି।

ବିଭିନ୍ନ ବାବଦରେ ଓଡ଼ିଶାକୁ ୩୩ ଲକ୍ଷ ମେଟ୍ରିକ ଟନ ଚାଉଳ ଆବଶ୍ୟକ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ରାଇସ ମିଲରେ ମାସିକ ୨ ଲକ୍ଷ ୬୪ହଜାର ମେଟ୍ରିକ ଟନର ଭିଟାମିନ ଚାଉଳ ଉତ୍ପାଦନର କ୍ଷମତା ରହିଛି। ପ୍ରଶାସନିକ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଆଇସିଡିଏସ୍‌, ଏମଡିଏମ୍‌ ଏବଂ ପିଡିଏସ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୮ ଲକ୍ଷ ୪୯ ହଜାର ୭୭୨ ମେଟ୍ରିକ ଟନ୍‌ ଭିଟାମିନ୍‌ ଚାଉଳ ଯୋଗାଣ କରାଯାଉଛି। ଏଥିରୁ ୬ଲକ୍ଷ ୩୭ହଜାର ଏଫସିଆଇ ଦେଉଛି ଏବଂ ବାକି ୨ ଲକ୍ଷ ୧୨ ହଜାର ଓଡ଼ିଶା ନିଜେ ଉତ୍ପାଦନ କରୁଛି। ୨୦୨୩ ସୁଦ୍ଧ ଚାହିଦା ଅନୁସାରେ, ଓଡ଼ିଶା ଭିଟାମିନ୍‌ ଚାଉଳ ଉତ୍ପାଦିତ କରିବା ନେଇ ବର୍ତ୍ତମାନ ବି ପ୍ରଶ୍ନବାଚୀ ରହିଛି।

The Indian Express

ଅପପୁଷ୍ଟି ମୁକାବିଲା ପାଇଁ ଭିଟାମିନ ଚାଉଳ ଯୋଗାଣ କରାଯାଉଥିବା କହୁଛନ୍ତି କେନ୍ଦ୍ର ସରକାର। ମାତ୍ର ଏହାକୁ ନେଇ ବିଭିନ୍ନ ସାମାଜିକ ସଙ୍ଗଠନଗୁଡ଼ିକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଖାଦ୍ୟ ଅଧିକାର ଅଭିଯାନ ପକ୍ଷରୁ କୁହାଯାଇଛି, ଗତବର୍ଷ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ଭିଟାମିନ ଚାଉଳ ବିତରଣ ବ୍ୟବସ୍ଥା ଆରମ୍ଭ ହେଲା। କୁହାଯାଉଥିଲା, ପାଇଲଟ ଜିଲ୍ଲାର ରିପୋର୍ଟ ଆଧାରରେ ସମଗ୍ର ଦେଶରେ ଲାଗୁ ହେବ। କିନ୍ତୁ ଓଡ଼ିଶାର ମାଲକାନଗିରି ସମେତ କୌଣସି ପାଇଲଟ ଜିଲ୍ଲାରେ ଭିଟାମିନ ଚାଉଳ ବ୍ୟବହାର ନେଇ ରିପୋର୍ଟ ନ ଆସିବା ପରେ ମଧ୍ୟ ଏହାକୁ ସାମଗ୍ରିକ ଭାବରେ କାହିଁକି ଲାଗୁ କରାଗଲା। ଦ୍ବିତୀୟତଃ ଥାଲାସେମିଆ ଏବଂ ସିକଲିନ ରୋଗୀଙ୍କୁ ଆଇରନଯୁକ୍ତ ଖାଦ୍ୟ ଖାଇବା ପାଇଁ ବାରଣ କରାଯାଏ। ସରକାର ଏହାକୁ ନେଇ ଅବଗତ ଥାଇ ମଧ୍ୟ ବିନା ସୂଚନାରେ ବ୍ୟାପକ ଭାବରେ ଏହାକୁ ପିଡିଏସରେ ସାମିଲ କରିଛନ୍ତି। ତୃତୀୟତଃ ଏଥିସଂକ୍ରାନ୍ତରେ ଲୋକଙ୍କ ସହିତ ମଧ୍ୟ ଆଲୋଚନା ହୋଇ ନାହିଁ। ଏହି ଚାଉଳର ରଙ୍ଗ ଏବଂ ସ୍ବାଦରେ ପରିବର୍ତ୍ତନ ଆସିଛି, ଏହାକୁ ନେଇ ପୂର୍ବରୁ ସୂଚନା ଦିଆଯିବା ଉଚିତ। ଭିଟାମିନ ଯାହା ଚାଉଳରେ ମିଶା ଯାଏ ତାହା ଏକ ବିଦେଶୀ କମ୍ପାନି ଦ୍ବାରା ଉତ୍ପାଦିତ ବୋଲି ମଧ୍ୟ ସଙ୍ଗଠନ କହିଛି। ପିଡିଏସ ଏବଂ ଆଇସିଡିଏସରେ ଭିଟାମିନ ଚାଉଳ ଚାଉଳ ସାମିଲ କରାଗଲା କିନ୍ତୁ ବ୍ୟାପକ ପ୍ରଚାର ପ୍ରସାର ବିନା ସରକାର କାହିଁକି ଲାଗୁ କରିଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ରହିଛି।

ସମ୍ବନ୍ଧିତ ଖବର